ମାତ୍ର 11 ବର୍ଷ ବୟସରେ ନେଶନାଲ ଆୱାର୍ଡ; ପରେ ସେକ୍ସ ରାକେଟରେ ଗଲେ ଜେଲ୍, ଆଉ ଏବେ OTTରେ କରୁଛନ୍ତି ଧମାଲ, କିଏ ସେ ଅଭିନେତ୍ରୀ ?
ମାତ୍ର ୧୧ ବର୍ଷ ବୟସରେ ଜାତୀୟ ପୁରସ୍କାର ଜିତିଥିବା ଏହି ଅଭିନେତ୍ରୀ ଏକ ସେକ୍ସ ରାକେଟରେ ଫସି ଜେଲରେ ରହିଲେ 2 ମାସ । ଆଉ ଏବେ ପରଦାରେ ପୁନଃ ଏପରି ଏଣ୍ଟ୍ରି ମାରିଲେ, ଯାହା କେହି କେବେ ଆଶା କରିନଥିଲେ।
ନୂଆଦିଲ୍ଲୀ: ଭାରତୀୟ ସିନେମାର ଚକାଚକ ଦୁନିଆ ତାରକାମାନଙ୍କୁ ଯେତେ ଶିଘ୍ର ଉପରକୁ ଉଠାଏ, ସେତେ ଶିଘ୍ର ସେମାନଙ୍କୁ ତଳେ ମଧ୍ୟ ପକାଇଦିଏ । ଗୋଟିଏ ସମୟରେ ପ୍ରତ୍ୟେକ ପରଦାରେ ପ୍ରାଧାନ୍ୟ ବିସ୍ତାର କରୁଥିବା ଚେହେରା, କିଛି ବର୍ଷ ପରେ ବିସ୍ମୃତିରେ ହଜିଯାଏ। ଏହାର କାରଣ ଅନେକ ଥର ବ୍ୟକ୍ତିଗତ ନିଷ୍ପତ୍ତି, କେତେବେଳେ ବିବାଦ ଏବଂ କେତେବେଳେ ଭାଗ୍ୟ ତାଙ୍କ ସାଥ ଛାଡିଦିଏ।
ତେବେ ଶିଶୁ କଳାକାର ଭାବରେ ଆରମ୍ଭ କରିଥିବା ଶ୍ୱେତା ବାସୁ ପ୍ରସାଦଙ୍କ ଯାତ୍ରା ମଧ୍ୟ ଏପରି କିଛି । କିନ୍ତୁ ସମୟର ପ୍ରହାର ତାଙ୍କୁ ଅଜ୍ଞାତ କରିଦେଲା। ମାତ୍ର ୧୧ ବର୍ଷ ବୟସରେ ଜାତୀୟ ପୁରସ୍କାର ଜିତିଥିବା ଏହି ଅଭିନେତ୍ରୀ ଏକ ସେକ୍ସ ରାକେଟରେ ଫସିଗଲେ । କିନ୍ତୁ ଏହି କଷ୍ଟକର ସମୟରେ ମଧ୍ୟ ସେ ମୁଣ୍ଡ ନୁଆଁଇ ନଥିଲେ ଏବଂ ପରଦାରେ ପୁନଃ ଏପରି ଏଣ୍ଟ୍ରି ମାରିଲେ, ଯାହା କେହି କେବେ ଆଶା କରିନଥିଲେ।
‘ମକଡି଼’ ଫିଲ୍ମ ମାଧ୍ୟମରେ ରାତାରାତି ଷ୍ଟାର ବନିଥିଲେ
ଶ୍ୱେତା ବାସୁ ପ୍ରସାଦ ୨୦୦୨ ମସିହାରେ ବିଶାଲ ଭରଦ୍ୱାଜଙ୍କ ଫିଲ୍ମ ‘ମକଡି’ରେ ଶିଶୁ କଳାକାର ଭାବରେ ବଲିଉଡରେ ଏଣ୍ଟ୍ରି କରିଥିଲେ। ଯୁଡବା ଭୂମିକାରେ ସେ ଏତେ ଭଲ ଅଭିନୟ କରିଥିଲେ ଯେ, ତାଙ୍କୁ ଜାତୀୟ ପୁରସ୍କାର ମିଳିଥିଲା। ଏହା ପରେ, ସେ ‘ଇକବାଲ’ରେ ଖଦିଜା ଚରିତ୍ରରେ ଅଭିନୟ କରି ପୁଣି ଥରେ ଦର୍ଶକଙ୍କ ହୃଦୟ ଜିତିଥିଲେ। ଶ୍ୱେତା ଫିଲ୍ମ ସହିତ ଟିଭି ଜଗତରେ ନିଜକୁ ପ୍ରମାଣିତ କରିଥିଲେ। ସେ ‘କହାନୀ ଘର ଘର କି’ ଭଳି ଲୋକପ୍ରିୟ ଧାରାବାହିକରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ତା’ପରେ ସେ ଦକ୍ଷିଣ ଭାରତୀୟ ସିନେମା ଆଡକୁ ମୁହାଁଇଥିଲେ ଏବଂ ତେଲୁଗୁ ଫିଲ୍ମ ‘ବାଙ୍ଗାରୁ ଲୋକମ’ରେ ତାଙ୍କ ଅଭିନୟର ଯାଦୁ ବିସ୍ତାର କରିଥିଲେ।
ତା’ପରେ କ୍ୟାରିୟରର ସବୁଠାରୁ ଅନ୍ଧକାରମୟ ପର୍ଯ୍ୟାୟ ଆରମ୍ଭ ହେଲା
୨୦୧୪ ମସିହାରେ, ଶ୍ୱେତାଙ୍କ ନାମ ଏକ ବଡ଼ ବିବାଦରେ ଆସିଥିଲା। ହାଇଦ୍ରାବାଦର ଏକ ପଞ୍ଚତାରକା ହୋଟେଲରୁ ସେକ୍ସ ରାକେଟ ସହ ଜଡିତ ନେଇ ତାଙ୍କୁ ଗିରଫ କରାଯାଇଥିଲା। କୁହାଯାଉଛି ଯେ ତାଙ୍କୁ ଦୁଇଜଣ ବ୍ୟବସାୟୀଙ୍କ ସହ ଏକ କୋଠରୀରେ ମିଳିଥିଲା ଏବଂ ସେ ପୋଲିସ ନିକଟରେ ସ୍ୱୀକାର କରିଥିଲେ ଯେ ସେ ଆର୍ଥିକ ଅନଟନ ଯୋଗୁଁ ବେଶ୍ୟାବୃତ୍ତି ଆରମ୍ଭ କରିଥିଲେ ବୋଲି। ଏହି ଖବର ଗଣମାଧ୍ୟମରେ ବହୁତ ହଇଚଇ ସୃଷ୍ଟି କରିଥିଲା। ଫଳରେ ତାଙ୍କ କ୍ୟାରିଅର ଏଇଠୁ ହିଁ ଷ୍ଟପ୍ ହୋଇଗଲା ।
କିନ୍ତୁ, ପରେ ମାମଲାର ମାଷ୍ଟରମାଇଣ୍ଡ ଗିରଫ ହେବା ପରେ ଶ୍ୱେତାଙ୍କ ବିରୁଦ୍ଧରେ ସମସ୍ତ ଅଭିଯୋଗ ଖାରଜ ହୋଇଯାଇଥିଲା। ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ତାଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଲଗାଯାଇଥିଲା ଏବଂ ସେ କେବେ ସ୍ୱୀକାର କରିନଥିଲେ। ଏହା ମଧ୍ୟ କୁହାଯାଇଥିଲା ଯେ ସେ ସନ୍ତୋଷମ ପୁରସ୍କାର ସମାରୋହରେ ଯୋଗଦେବାକୁ ହାଇଦ୍ରାବାଦ ଆସିଥିଲେ। କିନ୍ତୁ ଏହି ବିବାଦ ପାଇଁ ତାଙ୍କୁ 2 ମାସ ଜେଲ ଯିବାକୁ ପଡ଼ିଥିଲା ।
ବିବାଦ ଏବଂ ବ୍ୟକ୍ତିଗତ ସଂଘର୍ଷ ପରେ, ଶ୍ୱେତା ଏବେ ପୁଣି ଥରେ ତାଙ୍କ କ୍ୟାରିଅରକୁ ସଜାଡ଼ିବାରେ ବ୍ୟସ୍ତ। ସେ OTT ପ୍ଲାଟଫର୍ମରେ ସକ୍ରିୟ ଅଛନ୍ତି ଏବଂ ‘ତ୍ରିଭୁବନ ମିଶ୍ର: ସିଏ ଟପର୍’ ଏବଂ ‘ଇଣ୍ଡିଆ ଲକଡାଉନ୍’ ଭଳି ପ୍ରୋଜେକ୍ଟରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ଏହି ପ୍ରୋଜେକ୍ଟଗୁଡ଼ିକରେ ତାଙ୍କର ଅଭିନୟକୁ ମଧ୍ୟ ପ୍ରଶଂସା କରାଯାଇଥିଲା, ଯାହା ଆଶା ସୃଷ୍ଟି କରିଛି ଯେ ସେ ପୁଣି ଥରେ ତାଙ୍କର ପରିଚୟ ଫେରି ପାଇପାରିବେ। ତାଙ୍କୁ ଶେଷ ଥର ପାଇଁ ‘କ୍ରିମିନାଲ ଜଷ୍ଟିସ’ରେ ଦେଖିବାକୁ ମିଳିଥିଲା।