fbpx

କର୍ଣ୍ଣାଟକରେ ସିଦ୍ଧରମୈୟା ଶାସନ ଆରମ୍ଭ, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଆଜି ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ଏହା ସହିତ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଡି.କେ ଶିବକୁମାର । ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଥାୱର ଚାନ୍ଦ । ଆଜିର ଏହି ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ୍‌ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ତାମିଲ୍‌ନାଡୁର ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌, ‘ପିଡିପି’ ମୁଖ୍ୟ ମେହ୍‌ବୁବା ମୁଫ୍‌ତି, ଅଭିନେତା ତଥା ‘ଏମ୍‌ଏନ୍‌ଏମ୍‌’ର ମୁଖ୍ୟ କମଲ୍‌ ହସନ୍‌, ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍‌ ଏବଂ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁକୱିନ୍ଦର୍‌ ସିଂହ ସୁଖୁ ଆଦି ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ତେବେ ବେଙ୍ଗଳୁରୁରେ ଏହି ଶପଥ ଗ୍ରହଣ ସମାରୋହ ଚାଲିଛି । ଏହା ବ୍ୟତୀତ ଅନେକ ବିଧାୟକ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ନେଉଛନ୍ତି ।

ଦ୍ୱିତୀୟ ଥର ପାଇଁ କଂଗ୍ରେସ ସିଦ୍ଧରମୈୟାଙ୍କ ଉପରେ ଭରଷା କରି ତାଙ୍କୁ ଦ୍ୱିତୀୟ ଥର ରାଜ୍ୟ ଦାୟିତ୍ୱ ନେବାକୁ ସୁଯୋଗ ଦେଇଛି । ୧୨ ଅଗଷ୍ଟ ୧୯୪୮ ରେ ଜନ୍ମ ହୋଇଥିବା ସିଦ୍ଧରମୈୟା ମୌସୁର ବିଶ୍ୱବିଦ୍ୟାଳୟରୁ ବିଏସସି ଡିଗ୍ରୀ ହାସଲ କରିଥିଲେ ଏବଂ ପରେ ସେଠାରୁ ଲ’ର ଅଧ୍ୟୟନ କରିଥିଲେ ।

ରାଜନୀତିରେ ପ୍ରବେଶ ପୂର୍ବରୁ ସିଦ୍ଧରମୈୟା ଲ’ ଅଭ୍ୟାସ କରୁଥିଲେ । ସେ ପ୍ରଥମ ଥର ପାଇଁ ଭାରତ ଲୋକ ଦଳ ଟିକେଟରେ ଚାମୁଣ୍ଡେଶ୍ୱରୀ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରି କର୍ଣ୍ଣାଟକ ବିଧାନସଭାରେ ପ୍ରବେଶ କରିଥିଲେ । ସେ ଏଠାରୁ ପାଞ୍ଚ ଥର ଜିତିଥିଲେ ଏବଂ ତିନିଥର ପରାଜୟର ସାମ୍ନା କରିବାକୁ କରିଥିଲେ । ସିଦ୍ଧରମୈୟାଙ୍କୁ ରାଜନୀତି କାହାର ଉତ୍ତରାଧିକାରୀ ହିସାବରେ ମିଳିନଥିଲା, ତାଙ୍କ ପିତା ସିଦ୍ଧରମୈ ଗୌଡା ମାଇସୋର ଜିଲ୍ଲାର ଟି ନରସିପୁରା ନିକଟସ୍ଥ ଭାରୁନା ହୋବଲିରେ ଚାଷ କରିଥିଲେ ଏବଂ ମାତା ବୋରାମା ଜଣେ ଗୃହଣୀ ଥିଲେ ।

Get real time updates directly on you device, subscribe now.