fbpx

ଆୟରଲ୍ୟାଣ୍ଡର ନୂତନ ପ୍ରଧାନମନ୍ତ୍ରୀ ହେଲେ ସାଇମନ୍ ହାରିସ୍‌, କନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ

ଡବଲିନ୍‌: ଆୟରଲ୍ୟାଣ୍ଡର ଶାସକ ଫାଇନ୍ ଗେଲ ଦଳ(Fine Gael Party) ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ସାଇମନ୍ ହାରିସଙ୍କୁ ଚୟନ କରିଛି । ମଙ୍ଗଳବାର ଆୟରଲ୍ୟାଣ୍ଡ ସଂସଦରେ ସାଇମନ୍ ହାରିସଙ୍କ ସମର୍ଥନରେ ମୋଟ୍ ୮୮ ଭୋଟ ମିଳିଥିଲା । ତାଙ୍କୁ ମିଳିତ ସହଯୋଗୀ ଦଳ ଫିଏନା ଫେଲ୍ ଏବଂ ଗ୍ରୀନ୍ ପାର୍ଟି ସହ ଅନେକ ସ୍ୱାଧୀନ ସାଂସଦଙ୍କ ସମର୍ଥନ ମିଳିଥିଲା । ବର୍ତ୍ତମାନ ୩୭ ବର୍ଷୀୟ ହାରିସ ଦେଶର ସବୁଠାରୁ କନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତାଙ୍କ ପୂର୍ବରୁ ଭାରତୀୟ ବଂଶୋଦ୍ଭବ ଲିଓ ଭରାଡକର(Leo Varadkar) ଆୟରଲ୍ୟାଣ୍ଡର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ଥିଲେ । ଗତ ମାସରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ ।

ଆୟରଲ୍ୟାଣ୍ଡର ନୂତନ ପ୍ରଧାନମନ୍ତ୍ରୀ ସାଇମନ୍ ହାରିସ୍ ମାତ୍ର ୧୬ ବର୍ଷ ବୟସରେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ସେ ଫାଇନ୍ ଗେଲ ଦଳରେ ଯୋଗ ଦେଇଥିଲେ । ଏବଂ ଖୁବ ଶୀଘ୍ର ସଫଳତା ହାସଲ କରି ଆଗେଇ ଚାଲଥିିଲେ । ପରେ ମାତ୍ର ୨୨ ବର୍ଷ ବୟସରେ ସେ କାଉଣ୍ଟି କାଉନସିଲ ହୋଇଥିଲେ । ୨୦୧୧ରେ ୨୪ ବର୍ଷ ବୟସରେ ଦେଶର ସାଂସଦ ଭାବେ ସେ ଚୟନ ହୋଇଥିଲେ । ସେତେବେଳେ ଦେଶର ସର୍ବକନିଷ୍ଠ ସାଂସଦ ଭାବରେ ସେ ଲୋକପ୍ରିୟ ଥିଲେ । ୨୦୧୯ରେ ମାତ୍ର ୨୯ ବର୍ଷରେ ସେ କ୍ୟାବିନେଟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ । ଏହା ପରେ ୨୦୨୦ରେ ସେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ବର୍ତ୍ତମାନ ଆୟରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ହାରିସଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିବ । ଶରଣାର୍ଥୀଙ୍କ ସଙ୍କଟରୁ ଆରମ୍ଭ କରି ବାସହୀନଙ୍କ ବୃଦ୍ଧି ପାଉଥିବା ସଂଖ୍ୟାର ମୁକାବିଲା କରିବା ତାଙ୍କ ପାଇଁ ଚ୍ୟାଲେଞ୍ଜ ହେବ । ଏଥିମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତାଙ୍କ କ୍ୟାବିନେଟ ଚୟନ କରିବା । ଆସନ୍ତା ବର୍ଷ ଆୟରଲ୍ୟାଣ୍ଡରେ ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହେବ । ତେଣୁ ବର୍ତ୍ତମାନ ନୂତନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ କେବଳ ଗୋଟିଏ ବର୍ଷ ପାଇଁ ରହିବ ।

Get real time updates directly on you device, subscribe now.