fbpx

Smile Please… ଖୁସି ରହିବାର ସରଳ ଉପାୟ ଦେଲା ବିଜ୍ଞାନ: ଜାଣି ରଖନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: ଜୀବନରେ ସଫଳତା ପାଇବା ପାଇଁ ଏବଂ ସୁସ୍ଥ ରହିବା ପାଇଁ ଖୁସି ରହିବା ନିହାତି ଆବଶ୍ୟକ । କୁହାଯାଏ ମନ ସୁସ୍ଥ ରହିଲେ ଶରୀର ସୁସ୍ଥ ରହେ, ଯାହାଦ୍ୱାରା ଜଣେ ବ୍ୟକ୍ତି ସଫଳତାର ଶିଖର ଛୁଇଁପାରିବ । କିନ୍ତୁ ବିଭିନ୍ନ ଚିନ୍ତା ତଥା ପରିଶ୍ରମ ପାଇଁ ମଣିଷ ଚାହିଁଲେ ବି ଖୁସିର ମୁହୂର୍ତ୍ତକୁ ମଧ୍ୟ ଉପଭୋଗ କରି ପାରୁନାହିଁ । ତେଣୁ ବିଜ୍ଞାନ ଏବେ ଖୁସି ରହିବାର ସରଳ ଉପାୟ ଖୋଜି ବାହାର କରିଛି । ବ୍ରିଷ୍ଟଲ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ ଖୁସିର ମାପ ପରୀକ୍ଷା କରିବାକୁ ‘ସାଇନ୍ସ ଅଫ୍ ହାପିନେସ’ କୋର୍ସ ପରିଚାଳନା କରିଥିଲେ ଏବଂ ଏଥିରେ ସକରାତ୍ମକ ଜିନିଷ ଅନ୍ତର୍ଭୁକ୍ତ କରିଥିଲେ । ତେବେ ଏହି ଫର୍ମୁଲା ଗୁଡିକ ନିୟମିତ ଭାବେ ଗ୍ରହଣ କଲେ ଏହା ଦୀର୍ଘ ସମୟ ପାଇଁ ଲାଭଦାୟକ ହେବ ବୋଲି ଗବେଷକ କହିଛନ୍ତି ।

ଧ୍ୟାନ: ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଖୁସି ରହିବାର ପ୍ରଥମ ସୂତ୍ର ହେଉଛି ‘ଧ୍ୟାନ’ । ଧ୍ୟାନ ଏବଂ ଯୋଗ ହେଉଛି ଭାରତର ମହାନ ପରମ୍ପରା ଯାହାକୁ ବର୍ତ୍ତମାନ ସାରା ବିଶ୍ୱ ମଧ୍ୟ ଅନୁସରଣ କରୁଛି । ଧ୍ୟାନରେ ଜଣେ ବ୍ୟକ୍ତି ଏକାଗ୍ରତାର ସହିତ ବସି ମନକୁ ଶାନ୍ତ ଏବଂ ଏକାଗ୍ର କରିବାକୁ ହୋଇଥାଏ । ଭାରତରେ, ଧ୍ୟାନ କରିବା ସମୟରେ ମନରେ ‘ଓମ୍’ ଉଚ୍ଚାରଣ କରି ଜପ କରାଯାଏ ।

କିଛି ଲୋକ ଅପରିଚିତ ବ୍ୟକ୍ତିଙ୍କ ସହିତ ଖୁବଶୀଘ୍ର ମିଶି ଯାଆନ୍ତି । ଖୁସି ରହିବାକୁ ଏହି ପଦ୍ଧତି ହେଉଛି ସର୍ବୋତ୍ତମ ଉପାୟ । ଅଜ୍ଞାତ ଲୋକଙ୍କ ସହିତ ବାର୍ତ୍ତାଳାପ ଆପଣଙ୍କୁ ଭିତରୁ ଖୁସି କରିଥାଏ । ତେଣୁ, କେବଳ ନିଜ ପ୍ରିୟ ଲୋକଙ୍କ ମଧ୍ୟରେ ନିଜକୁ ସୀମିତ ରଖନ୍ତୁ ନାହିଁ, ଆଗକୁ ଯାଆନ୍ତୁ ଏବଂ ଅପରିଚିତ ବ୍ୟକ୍ତିଙ୍କ ସହିତ ମଧ୍ୟ କଥା ହୁଅନ୍ତୁ ।

ଖୁସି ହେବାର ଆଉ ଏକ ସୂତ୍ର ହେଉଛି ପର୍ୟ୍ୟାପ୍ତ ନିଦ । ବିଜ୍ଞାନ ଅନୁସାରେ, ଯଦି ଜଣେ ବ୍ୟକ୍ତି ଖୁସି ହେବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ପର୍ୟ୍ୟାପ୍ତ ପରିମାଣରେ ଶୋଇବା ଉଚିତ୍ । ଶାନ୍ତିପୂର୍ଣ୍ଣ ନିଦ ହେଉଛି ଅନେକ ରୋଗର ଉପଶମ । ବିଜ୍ଞାନ ଅନୁଯାୟୀ, ସୁସ୍ଥ ମସ୍ତିଷ୍କ ଏବଂ ସୁସ୍ଥ ଶରୀର ପାଇଁ ପ୍ରତିଦିନ ୭ ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ ।

ଖୁସି ହେବାର ଗୋଟିଏ ଉପାୟ ହେଉଛି ଅନ୍ୟମାନଙ୍କୁ ଦୟା ଏବଂ କରୁଣା ଦେଖାଇବା । ଏହା ଆପଣଙ୍କ ଜୀବନରେ ସୁଖ ଆଣିଦେବ । ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ କିଛି ଭଲ ଭଲ ଗୁଣ ରହିଛି, ଏହାକୁ ଆପଣ ମଧ୍ୟ ବୁଝିବା ଆବଶ୍ୟୃକ । ସେହି ଭଲ ଗୁଣକୁ ପ୍ରଶଂସା କରନ୍ତୁ ଏବଂ ଦୟାଳୁ ମନୋଭାବ ରଖନ୍ତୁ । ଦୟା ହେଉଛି ମାନବ ସଭ୍ୟତାର ସର୍ବଶ୍ରେଷ୍ଠ ଗୁଣ ।

ଏସବୁ ବ୍ୟତୀତ ନିୟମିତ ବ୍ୟାୟାମ କରିବା ଏବଂ ସାଙ୍ଗ-ସାଥୀ-ପରିବାର ସହିତ ସମୟ କାଟିବା ମଧ୍ୟ ଜୀବନରେ ସୁଖ ଭରିଦିଏ । ଏଥି ସହିତ, ଭଲ, ସୁସ୍ଥ ଏବଂ ସ୍ୱାଦିଷ୍ଟ ଖାଦ୍ୟ ଖାଇବା ମଧ୍ୟ ମଣିଷ ଜୀବନରେ କୁସିର ଆଉ ଏକ ଉପାଦାନ ବୋଲି କୁହାଯାଇପାରେ । ଏହିସବୁ ସୂତ୍ରକୁ ଦୈନନ୍ଦିନ ଜୀବନରେ ଲାଗୁ କଲେ ମଣିଷ ଖୁସିରେ ରହିପାରିବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି ।

Get real time updates directly on you device, subscribe now.