fbpx

Captain ଶୁଭମନ ଗିଲଙ୍କୁ ଡବଲ୍ ଝଟକା: ପରାଜୟ ପରେ ଏହି ଭୁଲ ପାଇଁ ମିଳିଲା ସଜା

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ର ସପ୍ତମ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଚେନ୍ନାଇ ସୁପର କିଙ୍ଗସ । ଗୁଜୁରାଟ ଟାଇଟନ୍ସକୁ ୬୩ ରନରେ ମାତ୍ ଦେଇ ସିଜନର ଦ୍ୱିତୀୟ ବିଜୟ ହାସଲ କରିଛି ୟେଲୋ ଆର୍ମି । ସେପଟେ ଏହି ପରାଜୟକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଗୁଜରାଟ ଅଧନାୟକ ଶୁଭମନ ଗିଲ୍ । ଚେନ୍ନାଇ ବିପକ୍ଷ ଏହି ପରାଜୟ ପରେ ଶୁଭମନ ଗିଲଙ୍କୁ ଆଉ ଏକ ଝଟକା ମଧ୍ୟ ଲାଗିଛି । ଏହି ମ୍ୟାଚରେ କରିଥିବା ଭୁଲ ପାଇଁ ଗିଲଙ୍କ ଉପରେ ଜରିମାନା ଲାଗୁ କରାଯାଇଛି । ଏହାସହିତ ସେ ୨୦୨୪ ଆଇପିଏଲରେ ଏଭଳି ଦଣ୍ଡରେ ଦଣ୍ଡିତ ହେବାରେ ପ୍ରଥମ ଅଧିନାୟକ ପାଲଟିଛନ୍ତି ।

ଚେନ୍ନାଇ ବିପକ୍ଷ ମ୍ୟାଚରେ ଶୁଭମନ ଗିଲ ସ୍ଲୋ ଓଭର ରେଟ ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତେଣୁ ତାଙ୍କ ଉପରେ ଏକ ମୋଟା ଅଙ୍କର ଜରିମାନା ଲାଗୁ କରାଯାଇଛି । ଚେନ୍ନାଇ ବିପକ୍ଷ ଏହି ମ୍ୟାଚ ପାଇଁ ଗୁଜୁରାଟ ଅଧିନାୟକ ଶୁଭମନ ଗିଲଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲାଗୁ ହୋଇଛି । ତେବେ ଆଇପିଏଲ-୨୦୨୪ରେ ଏଭଳି ଦଣ୍ଡରେ ଦଣ୍ଡିତ ହେବାରେ ସେ ପ୍ରଥମ ଅଧିନାୟକ ପାଲଟିଛନ୍ତି । ଏ ନେଇ ଆଇପିଏଲ ଏକ ବିବୃତ୍ତିରେ କହିଛି ଯେ, ‘ଗୁଜୁରାଟ ଟାଇଟନ୍ସର ଅଧିନାୟକ ଶୁଭମନ ଗିଲଙ୍କ ଉପରେ ଚେନ୍ନାଇ ବିପକ୍ଷ ମ୍ୟାଚରେ ସ୍ଲୋ ଓଭର ରେଟ୍ ପାଇଁ ଜରିମାନା ଲାଗୁ କରାଯାଇଛି । ସ୍ଲୋ ଓଭର ରେଟ୍ ରେ ଦୋଷୀ ସାବ୍ୟସ୍ତ ହେବା ପରେ ଆଚାର ସଂହିତା ଅନୁସାରେ, ସିଜନର ଅପରାଧ ପାଇଁ ଗିଲଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି ।

ଜରିମାନା ବ୍ୟତୀତ ସ୍ଲୋ ଓଭର ରେଟ୍ ପାଇଁ ଏହି ମ୍ୟାଚ ମଝିରେ ମଧ୍ୟ ଗିଲଙ୍କୁ ଦଣ୍ଡ ଦିଆ ଯାଇଥିଲା । ଗୋଟିଏ ଓଭର ବିଳମ୍ବରେ ମ୍ୟାଚ ଖେଳାଯାଉଥିବାରୁ ମ୍ୟାଚର ଶେଷ ଓଭରରେ ଗୁଜୁରାଟକୁ କେବଳ ୪ ଜଣ ଖେଳାଳିଙ୍କୁ ୩୦ ୟାର୍ଡ ସର୍କଲ ବାହାରେ ରଖିବା ପାଇଁ ଅନୁମତି ମିଳିଥିଲା । ତେବେ ସମୟ ପୂର୍ବରୁ ମ୍ୟାଚ ଶେଷ କରିଥିଲେ ଶେଷ ଓଭରରେ ୫ ଜଣ ଖେଳାଳିଙ୍କୁ ରହିବାର ଅନୁମତି ମିଳିପାରିବ । ତେବେ ଏହି ମ୍ୟାଚରେ ବାଉଣ୍ଡ୍ରି ନିକଟରେ ଜଣେ ଖେଳାଳିଙ୍କ ଅଭାବ ଯୋଗୁଁ ଗୁଜୁରାଟ ଏବଂ ଗିଲଙ୍କୁ ବିଶେଷ କ୍ଷତି ସହିବାକୁ ପଡ଼ିନାହିଁ । ତେବେ ମ୍ୟାଚ ହାତଛଡ଼ା କରିଛି ଗୁଜୁରାଟ ଟାଇଟନ୍ସ ।

Get real time updates directly on you device, subscribe now.