fbpx

(Video) KKR ମ୍ୟାଚରେ ସ୍ପେଶାଲ ‘Century’ ହାସଲ କଲେ ସାର୍ ଜାଡେଜା: IPL ଇତିହାସରେ ୧୦୦ କ୍ୟାଚ

ନୂଆଦିଲ୍ଲୀ: ଆଜି ଆଇପିଏଲର ୨୨ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ନାଇଟ ରାଇଡର୍ସ । ପ୍ରଥମେ ବୋଲିଂ କରି ଚେନ୍ନାଇ କୋଲକାତାକୁ ୧୩୭ ରନରେ ରୋକିବାରେ ସଫଳ ହୋଇଛି । ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ତୁଷାର ଦେଶପାଣ୍ଡେଙ୍କ ଦମଦାର ବୋଲିଂରେ କୋଲକାତା ୯ ୱିକେଟ ହରାଇ ୧୩୮ ରନର ଟାର୍ଗେଟ ଦେଇଛି । ତେବେ ଏହି ମ୍ୟାଚରେ ୩ଟି ୱିକେଟ ବ୍ୟତୀତ ଆଉ ଏକ ରେକର୍ଡ କରିଛନ୍ତି ଜାଡେଜା । ଚେନ୍ନାଇ ଜର୍ସିରେ ଏକ ସ୍ପେଶାଲ ‘ଶତକ’ ହାସଲ କରିଛନ୍ତି ସାର୍ ରବିନ୍ଦ୍ର ଜାଡେଜା ।

କୋଲକାତା ନାଇଟ ରାଇଡର୍ସ ଅଧିନାୟକ ଶ୍ରେୟସ ଆୟରଙ୍କ ୱିକେଟରେ ଜାଡେଜା ଶତକ ହାସଲ କରିଛନ୍ତି । ପ୍ରଥମ ଇନିଂସରେ ଶେଷ ଓଭରର ପ୍ରଥମ ବଲରେ ମୁସ୍ତାଫିଜୁରଙ୍କ ବଲରେ ବଡ଼ ଶଟ୍ ଖେଳି ଆଉଟ ହୋଇଛନ୍ତି ଶ୍ରେୟସ । ମୁସ୍ତାଫିଜୁରଙ୍କ ବଲରେ ବଡ଼ ଶଟ୍ ଖେଳିଥିବା ବେଳେ ଜାଡେଜାଙ୍କ ହାତରେ ସେ ଧରା ପଡ଼ିଥିଲେ । ତେବେ ଶ୍ରେୟସଙ୍କ ଏହି କ୍ୟାଚ ଧରିବା ମାତ୍ରେ ଜାଡେଜା ଏକ ବିଶାଳ ରେକର୍ଡ ନିଜ ନାମରେ କରିଛନ୍ତି । ଶ୍ରେୟସଙ୍କ କ୍ୟାଚରେ ଆଇପିଏଲ ଇତିହାସର ୧୦୦ତମ କ୍ୟାଚ ନିଜ ନାମରେ କରିଛନ୍ତି ରବିନ୍ଦ୍ର ଜାଡେଜା । ଏହାସହିତ ସର୍ବାଧିକ କ୍ୟାଚ ଧରିବା ତାଲିକାରେ ରୋହିତ ଶର୍ମାଙ୍କ ସହ ସମକକ୍ଷ ଭାବରେ ପଞ୍ଚମ ସ୍ଥାନ ହାସଲ କରିଛନ୍ତି ଷ୍ଟାର ଅଲରାଉଣ୍ଡର ।

ଶ୍ରେୟସଙ୍କ କ୍ୟାଚ ସହ ଆଇପିଏଲ ଇତିହାସରେ ୧୦୦ତମ କ୍ୟାଚ ହାସଲ କରିଛନ୍ତି ରବିନ୍ଦ୍ର ଜାଡେଜା । ତେବେ ଏହି ତାଲିକାର ଶୀର୍ଷରେ ରହିଛନ୍ତି ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁର ପୂର୍ବତନ ଅଧିନାୟକ ବିରାଟ କୋହଲି । ବର୍ତ୍ତମାନ ସୁଦ୍ଧା ସେ ମୋଟ ୧୧୦ଟି କ୍ୟାଚ ହାସଲ କରିଥିବା ବେଳେ ଦ୍ୱିତୀୟରେ ଚେନ୍ନାଇର ପୂର୍ବତନ କ୍ରିକେଟର ଚିନ୍ନା ଥାଲା ସୁରେଶ ରାଇନା(୧୦୯) ରହିଛନ୍ତି । ତେବେ ତୃତୀୟରେ କାଏରନ୍ ପୋଲାର୍ଡ ୧୦୩ଟି କ୍ୟାଚ୍ ନେଇଥିବା ବେଳେ ମୁମ୍ବାଇର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଏବଂ ରବିନ୍ଦ୍ର ଜାଡେଜା ୧୦୦ଟି ଲେଖାଏଁ କ୍ୟାଚ୍ ଧରିଛନ୍ତି । ଏହାପରେ ଶିଖର ଧୱନ ୯୮ ଟି କ୍ୟାଚ୍ ନେଇ ତାଲିକାର ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି ।

ଆଜିର ମ୍ୟାଚରେ ଜାଡେଜା ମୋଟ ୩ଟି ସଫଳତା ନିଜ ନାମରେ କରିଛନ୍ତି । ତାଙ୍କ ବ୍ୟତୀତ ତୁଷାର ଦେଶପାଣ୍ଡେ ମଧ୍ୟ ୩ଟି ୱିକେଟ ହାସଲ କରିଛନ୍ତି । ସେହିପରି ମୁସ୍ତାପିଜୁର ରହମାନ ୨ଟି ସଫଳତା ପାଇଥିବା ବେଳେ ମହୀଷ ଥୀକ୍ଷଣା ମଧ୍ୟ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି । ତେବେ କୋଲକାତା ପ୍ରଥମେ ବ୍ୟାଟିଂ କରି ଚେନ୍ନାଇକୁ ୧୩୮ ରନର ଲକ୍ଷ୍ୟ ଦେଇଛି ।

Get real time updates directly on you device, subscribe now.