fbpx

ମଣିଷ ପାଇଁ ଆସିବ ୬ଷ୍ଠ ପ୍ରଳୟ: ବଢ଼ିବ ଉତ୍ତାପ, କମିବ ଅକ୍ସିଜେନ, ପାଣି ହେବ ବିଷମୟ, ବୈଜ୍ଞାନିକଙ୍କ ଚେତାବନୀ

ନୂଆଦିଲ୍ଲୀ: ପାଖାପାଖି ୬୫ ମିଲିୟନ ବର୍ଷ ପୂର୍ବରୁ ଶେଷ ପ୍ରଳୟ ଆସିଥିଲା । ସେ ସମୟରେ ଧରିତ୍ରୀ ବକ୍ଷରୁ ଡାୟନାସୋର ବଂଶ ଲୋପ ପାଇଯାଇଥିଲା । ଏହାକୁ ୫ମ ସାମୁହିକ ବିନାଶ କୁହାଯାଏ । ତେବେ ପୁଣି ୬ଷ୍ଠ ପ୍ରଳୟ ଆସିବ ବୋଲି ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଏହାଦ୍ୱାରା ମଣିଷ ସମେତ ଅନେକ ଜୀବଜନ୍ତୁ ଧ୍ୱଂସ ହୋଇପାରନ୍ତି । ଏହି ବିନାଶ ବାୟୁ ଓ ପାଣିରେ ଅକ୍ସିଜେନର ଅଭାବରୁ ଦେଖାଦେବ ବୋଲି ଅନୁମାନ କରାଯାଉଛି ।

ପାଖାପାଖି ୪୪୩ ମିଲିୟନ ବର୍ଷ ପୂର୍ବରୁ ପ୍ରଥମ ପ୍ରଳୟ ଆସିଥିଲା । ସେ ସମୟରେ ଧରିତ୍ରୀ ପୃଷ୍ଠରେ ଯେତେ ପାଣି ଥିଲା, ତାହା ସବୁ ବରଫରେ ପରିଣତ ହୋଇଯାଇଥିଲା । ସମୁଦ୍ର ଓ ବାହାରର ଜୀବଜନ୍ତୁ ଥଣ୍ଡା କାରଣରୁ ମୃତ୍ୟୁବରଣ କରିଥିଲେ । ଏହି ସମୟରେ ପାଖାପାଖି ୮୬ ପ୍ରଜାତି ଧ୍ୱଂସ ପାଇଯାଇଥିଲା । ଅବଶିଷ୍ଟ ପ୍ରଜାତି ଜଳବାୟୁ ଅନୁସାରେ ନିଜକୁ ବଞ୍ଚାଇ ନେଇଥିଲେ । ୨୦୨୭ରେ ପ୍ରକାଶିତ କରେଣ୍ଟ ବାୟୋଲୋଜି ପତ୍ରିକାରେ ଏ ବାବଦରେ ସୁବିସ୍ତୃତ ଭାବେ କୁହାଯାଇଛି ।

ଦ୍ୱିତୀୟ ପ୍ରଳୟ ପାଖାପାଖି ୩୫୯ରୁ ୩୮୦ ମିଲିୟନ ବର୍ଷ ପୂର୍ବରୁ ଆସିଥିଲା । ଏହି ସମୟରେ ଜ୍ୱାଳାମୁଖୀଗୁଡ଼ିକ ଅଚାନକ ଆକ୍ଟିଭ ହୋଇଯିବାରୁ ଅକ୍ସିଜେନର ସ୍ତର କମ୍ ହୋଇଯାଇଥିଲା । ଫଳରେ ଜୀବଜନ୍ତୁ ଧ୍ୱଂସ ପାଇବାରେ ଲାଗିଥିଲେ । ଏହା ଏତେ ଭୟଙ୍କର ଥିଲା ଯେ ସେ ସମୟରେ ଥିବା ୭୫ ପ୍ରତିଶତରୁ ଅଧିକ ପ୍ରଜାତି ଧ୍ୱଂସ ପାଇଯାଇଥିଲେ ।

ପାଖାପାଖି ୨୫୧ ମିଲିୟନ ବର୍ଷ ପୂର୍ବରୁ ତୃତୀୟ ପ୍ରଳୟ ଆସିଥିଲା । ଏହି ସମୟରେ ସମୁଦ୍ର ଓ ବାୟୁରେ ବିଷ, ଏସିଡ୍ ବ୍ୟାପି ଯାଇଥିଲା । ଏହି ସମୟରେ ଓଜନ ସ୍ତର ଫାଟି ଯିବାରୁ ଭୟଙ୍କର ସୂର୍ଯ୍ୟ ରଶ୍ମୀ ନିର୍ଗତ ହୋଇଥିଲା । ଫଳରେ ରେଡିଏସନ ଦ୍ୱାରା ଜଙ୍ଗଲ ଜଳି ଧ୍ୱଂସ ହେବା ସହ ଫଙ୍ଗସ୍ ବ୍ୟତୀତ ଅନେକ ପ୍ରଜାତି ସମାପ୍ତ ହୋଇଯାଇଥିଲେ । ପାଖାପାଖି ୨୧୦ ମିଲିୟନ ବର୍ଷ ପୂର୍ବରୁ ଚତୁର୍ଥ ପ୍ରଳୟ ଧରିତ୍ରୀ ବକ୍ଷରେ ତାଣ୍ଡବ ରଚି ୮୦ ପ୍ରଜାତି ଧ୍ୱଂସ ପାଇଯାଇଥିଲେ । ଏଷ୍ଟରଏଡ ଧରିତ୍ରୀ ସହ ଧକ୍କା ହେବାରୁ ଅକ୍ସିଜେନ ସମାପ୍ତ ହୋଇଯାଇଥିଲା ।

ତେବେ ବର୍ତ୍ତମାନ ଷଷ୍ଠ ବିନାଶ କଥା ବୈଜ୍ଞାନିକମାନେ ଚର୍ଚ୍ଚା କଲେଣି । ମଣିଷ ଦ୍ୱାରା ଷଷ୍ଠ ପ୍ରଳୟ ହେବ ବୋଲି ନବେ ଦଶକ ପ୍ରାରମ୍ଭରେ ପ୍ରସିଦ୍ଧ ଜୀବାଶ୍ମ ବୈଜ୍ଞାନିକ ରିଚାର୍ଡ ଲିକେ ଚେତାବନୀ ଦେଇଥିଲେ । ପୂର୍ବ ୫ଟି ପ୍ରଳୟ ପ୍ରାକୃତିକ ବିପତ୍ତି ପାଇଁ ଆସିଥିଲା । ମାତ୍ର ମଣିଷ ଅଧିକ ଭୟଙ୍କର କାର୍ଯ୍ୟକଳାପରେ ଲିପ୍ତ ରହିବା ସହ ଧରିତ୍ରୀ ପୃଷ୍ଠରୁ ଅକ୍ସିଜେନର ମାତ୍ରା ହ୍ରାସ କରିବାରେ ଲାଗିଛି । ତେଣୁ ଆଗାମୀ ମହାପ୍ରୟସ ପାଇଁ ଜୀବଜନ୍ତୁ ନୁହଁ ବରଂ ମଣିଷ ଦାୟୀ ରହିବ ।

ଷଷ୍ଠ ପ୍ରଳୟର ଶୁଭାରମ୍ଭ ଆରମ୍ଭ ହୋଇ ସାରିଛି । ଧୀରେଧୀରେ ଧରିତ୍ରୀରୁ ବିଭିନ୍ନ ପ୍ରଜାତି ଧ୍ୱଂସ ପାଉଛନ୍ତି । ଏହି ହ୍ରାସ ୧୦୦ ଗୁଣା ଅଧିକ ବେଗରେ ଘଟୁଛି । ଅର୍ଥାତ ମଣିଷ ପାଇଁ ଜୀବଜନ୍ତୁମାନେ ଦ୍ରୁତ ବେଗରେ ଧ୍ୱଂସ ପାଉଛନ୍ତି । ଆଗାମୀ ଦିନରେ ବ୍ୟାକ୍ଟେରିଆ, ଫଙ୍ଗସ, ବୃକ୍ଷଲତା, ପକ୍ଷୀ, ମାଛ ସବୁ ଜଳବାୟୁ ପରିବର୍ତ୍ତନ ପାଇଁ ଗାଏବ ହୋଇଯିବେ । ଯେଉଁ ଭଳି ଭାବେ ଧରିତ୍ରୀ ଉତ୍ତପ୍ତ ହେଉଛି, ମହାସାଗରଗୁଡ଼ିକର ବରଫ ମଧ୍ୟ ତରଳିବାରେ ଲାଗିଛି । ଏହାଫଳରେ ଜ୍ୱାଳାମୁଖୀଗୁଡ଼ିକ ଫାଟିଯିବ । ପାଣି ଏତେ ଗରମ ହୋଇଯିବ ଯେ, ସେଥିରେ ଅକ୍ସିଜେନର ସ୍ତର କମିଯିବ । ପରିଣାମ ସ୍ୱରୂପ, ସାମୁଦ୍ରିକ ଜୀବଜନ୍ତୁ ମରିବାରେ ଲାଗିବେ ।

ପ୍ରଥମେ ଏହା ପାଣିରୁ ଆରମ୍ଭ ହୋଇ ପରେ ବାୟୁରେ ପହଞ୍ଚିବ । ଧୀରେଧରେ ମଣିଷ ସହିତ ସମସ୍ତ ପ୍ରଜାତି ଧ୍ୱଂସ ପାଇଯିବେ । ବର୍ତ୍ତମାନ ବର୍ଦ୍ଧିତ ତାପମାତ୍ରା ପାଇଁ ବିଭିନ୍ନ ଦେଶର ଜଙ୍ଗଲରେ ନିଆଁ ଲାଗିଯାଉଛି । କେଉଁ ଦେଶରେ କେତେବେଳେ ବନ୍ୟା ହେଲାଣି ତ କେଉଁଠି ବାତ୍ୟା, ତୁଫାନ, ଭୂକମ୍ପ ହେଉଛି । ୨୦୧୫ ପରେ ପ୍ରତ୍ୟେକ ବର୍ଷ ପାଖାପାଖି ୨୪ ମିଲିୟନ ଏକର ଜଙ୍ଗଲ କଟା ଯାଇଥିବା ଜଣାପଡ଼ିଛି । ତେବେ ବୈଜ୍ଞାନିକମାନେ ପରବର୍ତ୍ତୀ ପ୍ରଳୟକୁ ନେଇ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ତେବେ ୨୧୦୦ ବର୍ଷ ପୂର୍ବରୁ ବିନାଶ ଆସିପାରେ ବୋଲି ରିସର୍ଚ୍ଚ ଆଧାରରେ କୁହାଯାଇଛି ।

Get real time updates directly on you device, subscribe now.