ସବୁ ବେଳେ ଉଜ୍ଜ୍ୱଳ ଦେଖାଯିବ ତ୍ୱଚା, ଜାଣି ନିଅନ୍ତୁ କଣ ରହିଛି ରହସ୍ୟ

ଭୁବନେଶ୍ୱର : କ୍ଷୀର ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏଥିରେ ଅନେକ ପ୍ରକାରର ଭିଟାମିନ ବ୍ୟତୀତ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ମଧ୍ୟ ରହିଛି । କଥାରେ କୁହାଯାଏ କ୍ଷୀର ହେଉଛି ସମ୍ପୂର୍ଣ୍ଣ ଆହାର । ଏହା ଶରୀରର କଷ୍ଟ ଯନ୍ତ୍ରଣା ଏବଂ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦୂର କରିଥାଏ । ଏହା ସ୍ୱାସ୍ଥ୍ୟକୁ ସୁସ୍ଥ ମଧ୍ୟ ରଖିଥାଏ । ସେହିଭଳି କ୍ଷୀର ବାହ୍ୟ ଅଙ୍ଗ ଯଥା ମୁହଁ ବା ତ୍ୱଚା ଲାଗି ମଧ୍ୟ ଅତ୍ୟନ୍ତ ଉପକାରୀ ଅଟେ । ପ୍ରତିଦିନ କ୍ଷୀରକୁ ନିଜ ତ୍ୱଚାର ଯତ୍ନ ପାଇଁ ବ୍ୟବହାର କଲେ, ତ୍ୱଚାରେ ଚମକ ଆସିବା ସହ ଅନ୍ୟାନ୍ୟ ସମସ୍ୟା ବି ଦୂରେଇ ଯିବ । ତେବେ ଆସନ୍ତୁ ଜାଣିବା ତ୍ୱଚାରେ କ୍ଷୀର ଲଗାଇବା ଦ୍ୱାରା କି କି ଲାଭ ମିଳିଥାଏ..

ମହୁ ଓ କ୍ଷୀର : କ୍ଷୀରରେ ମହୁ ମିଶାଇ ମୁହଁ, ହାତ ଓ ବେକରେ ଲଗାନ୍ତୁ, ଏହାକୁ ଲଗାଇବା ଦ୍ୱାରା ମୁହଁ ଉଜ୍ବଳ ଦେଖାଯାଇଥାଏ । ମହୁ ତ୍ୱଚା ପାଇଁ ଔଷଧ ଭଳି କାମ କରେ । ତ୍ୱଚାକୁ କୋମଳ କରିବାକୁ ହେଲେ ଏକ ଛୋଟ ଚାମଚ ମହୁରେ କ୍ଷୀର ମିଶାଇ ମୁହଁରେ ଲଗାନ୍ତୁ । ୧୦ ମିନିଟ୍ ପର୍ଯ୍ୟନ୍ତ ରଖି ମୁହଁକୁ ଥଣ୍ଡା ପାଣିରେ ଭଲ ଭାବେ ଧୋଇଦିଅନ୍ତୁ। ଦେଖିବେ ଆପଣଙ୍କ ମୁହଁରେ ଚମକ ଆସିଯିବ ।

ତ୍ୱଚା କୁଞ୍ଚ : ଦୁଇ ଚାମଚ ମହୁରେ ଅଧ ଚାମଚ ଗ୍ଲିସେରିନ୍ ଓ ଚାରି ଚାମଚ କ୍ଷୀର ସରକୁ ମିଶାଇ ତ୍ୱଚାରେ ଲଗାନ୍ତୁ। ସପ୍ତାହରେ ଦୁଇଥର ଏହି ମିଶ୍ରଣକୁ ଲଗାଇବା ଦ୍ୱାରା ମୁହଁରେ ଥିବା କୁଞ୍ଚ ସମସ୍ୟା ଦୂରେଇ ଯିବ ।

ଓଠ କଳା : ଯଦି ଆପଣଙ୍କ ଓଠ କଳା ପଡ଼ିଛି, ତେବେ କ୍ଷୀରକୁ ଓଠରେ ଲଗାଇଲେ ଓଠର କଳାପଣ ଦୂର ହୁଏ। ଯଦି ଆପଣଙ୍କ ଓଠ ଫାଟୁଛି, ତେବେ ୨ଚାମଚ ଗୋଲାପ ଜଳ, ଅଧ ଚାମଚ ଲେମ୍ବୁରସ ସହ କ୍ଷୀରକୁ ଭଲଭାବେ ମିଶାଇ ଲଗାନ୍ତୁ ।

କ୍ଷୀର ସର : କ୍ଷୀରର ସରକୁ ଲଗାଇଲେ ଆପଣଙ୍କ ତ୍ୱଚା କୋମଳ ହେବ । ଦୁଇ ଚାମଚ କ୍ଷୀରର ସର ସହ ମହୁ ମିଶାଇ ତ୍ୱଚାରେ ଲଗାନ୍ତୁ । ଏହି ମିଶ୍ରଣକୁ ତ୍ୱଚାରେ ଲଗାଇବା ଦ୍ୱାରା ଶୁଷ୍କତା ଦୂର ହୁଏ ଏବଂ କ୍ଷୀର ସହ ଗୋଲାପ ଜଳ ମିଶାଇ ପୂରା ଶରୀରରେ ଲଗାଇବା ଦ୍ୱାରା ତ୍ୱଚାର ରଙ୍ଗ ଧୀରେ ଧୀରେ ସଫା ହୋଇଯିବ ।