IND vs NZ WC Semi; ନ୍ୟୁଜିଲାଣ୍ଡର ମାୟାଜାଲରେ ଫସିଗଲେ ଅଧିନାୟକ ରୋହିତ: କାମ ଦେଲା ୱିଲିୟମସନଙ୍କ ରଣନୀତି

ନୂଆଦିଲ୍ଲୀ: ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଦୁଇ ପୁରୁଣା ପ୍ରତିଦ୍ୱନ୍ଦୀ ଭାରତ-ନ୍ୟୁଜିଲାଣ୍ଡ । ଟସ୍ ଜିତି ଅଧିନାୟକ ରୋହିତ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ଦମଦାର ଆରମ୍ଭ କରିଛନ୍ତି ଦୁଇ ଓପନର । ପ୍ରଥମରୁ ଚିରାଚରିତ ଭାବରେ ରୋହିତ ବଡ଼ ବଡ଼ ଶଟ୍ ଖେଳି ଦଳର ରନ୍ ଗତିକୁ ଆଗକୁ ବଢାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ମାତ୍ର ୭୧ ରନ୍ ସମୟରେ ରୋହିତ ଟିମ ସାଉଦିଙ୍କ ଶିକାର ହୋଇ ପାଭିଲିୟନ ଫେରିଛନ୍ତି । ରୋହିତଙ୍କ ପାଇଁ ନ୍ୟୁଜିଲାଣ୍ଡ ରଚିଥିବା ଷଡ଼ଯନ୍ତ୍ରରେ ହିଁ ଫସି ଯାଇଛନ୍ତି ହିଟମ୍ୟାନ ।

ସେମି ଫାଇନାଲରେ ଭାରତର ଶକ୍ତିଶାଳୀ ବ୍ୟାଟିଂ ୟୁନିଟକୁ ଭେଦ କରିବା ପାଇଁ ମାଷ୍ଟରପ୍ଲାନ କରିଥିଲା ନ୍ୟୁଜିଲାଣ୍ଡ । ଆଜି କେନ୍ ୱିଲିଅମସନଙ୍କ ଏହି ଚକ୍ରବ୍ୟୁହ ଦଳକୁ ଏକ ବଡ଼ ସଫଳତା ଦେଇଛି । ଭାରତର ହିଟମ୍ୟାନ ରୋହିତ ଶର୍ମାଙ୍କ ୱିକେଟ ନେବାରେ ସଫଳ ହୋଇଛି ନ୍ୟୁଜିଲାଣ୍ଡର ଷ୍ଟାର ବୋଲର ଟିମ ସାଉଦି । ତେବେ ଗତକାଲି ରୋହିତଙ୍କ ଦୁର୍ବଳତା ଖୋଜି ବାହାର କରିଥିଲା ନ୍ୟୁଜିଲାଣ୍ଡ । ରୋହିତଙ୍କୁ ପେସ୍ ବୋଲର ଅଫ ଲେନ୍ଥ ବୋଲିଂ କରି ଫସାଇବା ପାଇଁ ଯୋଜନା କରିଥିଲା । ତେବେ ଇନିଂସ ଆରମ୍ଭରୁ ଦଳର ଷ୍ଟାର ବୋଲର ଏହା ପ୍ରୟାସ କରିଥିଲେ ମଧ୍ୟ ରୋହିତ ପାର୍ କରି ଯାଇଥିଲେ । ତେବେ ଦଳର ନବମ ଓଭର ନେଇ ଆସିଥିଲେ ଟିମ ସାଉଦି । ଓଭରର ଦ୍ୱିତୀୟ ବଲରେ ରୋହିତଙ୍କୁ ଅଫ ଲେନ୍ଥ ବଲ ପକାଇଥିଲେ । ତେବେ ରୋହିତ ଏହି ବଲରେ ବଡ଼ ଶଟ୍ ଖେଳିବା ପାଇଁ ଚେଷ୍ଟା କରି ସାଉଦିଙ୍କ ଜାଲରେ ଫସି ଯାଇଛନ୍ତି । ମିଡ୍ ଅଫ୍ ରେ ଏହାକୁ ଛକା ମାରିବା ପ୍ରୟାସରେ କେନ୍ ୱିଲିୟମସନଙ୍କ ହାତରେ କ୍ୟାଚ୍ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି ରୋହିତ ।

ପ୍ରଥମେ ବ୍ୟାଟିଂ କରିବା ବେଳେ ମାତ୍ର ୨୯ ବଲରୁ ୪୭ ରନ୍ କରି ନ୍ୟୁଜିଲାଣ୍ଡ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ରୋହିତ । ଏହି ଇନିଂସରେ ସେ ୪ଟି ଚୌକା ଏବଂ ୪ଟି ଛକା ମାରି ଏକ ବିଶ୍ୱ ଇତିହାସ ମଧ୍ୟ ନିଜ ନାମରେ କରିଛନ୍ତି । ଏହି ଛକା ସହ ବିଶ୍ବକପ ଇତିହସାରେ ଆଉ ଏକ ମାଇଲଷ୍ଟୋନ୍ ନିଜ ନାମରେ କରିଛନ୍ତି ରୋହିତ । କୌଣସି ବିଶ୍ୱକପରେ ସବାଦିକ ଛକା ମାରିବା ତାଲିକାରେ କ୍ରିସ ଗେଲ୍ଙ୍କୁ ପଛରେ ପକାଇ ସର୍ବଶ୍ରେଷ୍ଠ ବ୍ୟାଟର ପାଲଟିଛନ୍ତି ହିଟମ୍ୟାନ୍ । ଗେଲ୍ ୨୦୧୫ ମସିହାରେ ସର୍ବାଧିକ ୨୬ଟି ଛକା ମାରିଥିବା ବେଳେ ରୋହିତ ଚଳିତ ବିଶ୍ୱକପରେ ୨୭ଟି ଛକା ସହ ତାଲିକାର ଶୀର୍ଷରେ ରହି ଇତିହାସ ସୃଷ୍ଟି କରିଛନ୍ତି ।