ଗର୍ଭାବସ୍ଥାରେ କେଉଁ ପୋଜିସନରେ ଶୋଇଲେ ଗର୍ଭସ୍ଥ ଶିଶୁର ବିକାଶ ଠିକ୍ ଭାବରେ ହୋଇଥାଏ ? ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ
ଓଡ଼ିଶା ଭାସ୍କର: ଗର୍ଭବସ୍ଥା ସମୟରେ ଡାକ୍ତର ମହିଳାଙ୍କୁ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଥାନ୍ତି । ସନ୍ତୁଳିତ ଖାଦ୍ୟପେୟ ଠାରୁ ଆରମ୍ଭ କରି ଯୋଗ ଏବଂ ନିଦ୍ରା ଉପରେ ଗୁରୁତ୍ୱାରୋପ କରିଥାନ୍ତି । ଏହା ଦ୍ୱାରା ମା’ର ସ୍ୱାସ୍ଥ୍ୟ ଓ ଗର୍ଭସ୍ଥ ଶିଶୁର ବିକାଶ ସଠିକ ଭାବରେ ହେବାରେ ସହାୟକ ହୋଇଥାଏ । ଅନେକ ସମୟରେ କିନ୍ତୁ ଗର୍ଭସ୍ଥ ମହିଳା ସେମାନଙ୍କୁ ଶୋଇବା ପୋଜିସନକୁ ନେଇ ଦ୍ୱନ୍ଦ୍ୱରେ ଥାନ୍ତି । କେଉଁ ପୋଜିସନରେ ଶୋଇବା ସେମାନଙ୍କ ପାଇଁ ଲାଭଦାୟକ ହୋଇଥାଏ ଆସନ୍ତୁ ଜାଣିବା କ’ଣ କୁହନ୍ତି ଏକ୍ସପର୍ଟ ।
ଅନେକ ସମୟରେ ଗର୍ଭାବସ୍ଥା ସମୟରେ ମହିଳାଙ୍କୁ ଥକ୍କାପଣ, ବାରମ୍ବାର ପରିଶ୍ରା ଲାଗିବା, ଶରୀରରେ ଯନ୍ତ୍ରଣା, ଅସ୍ଥିରତା ଇତ୍ୟାଦି ଅନୁଭବ ହୋଇଥାଏ । ଶୋଇବା ସମୟରେ ମଧ୍ୟ ଅନେକ ସମସ୍ୟା ଦେଖାଦେଇଥାଏ । ଏମିତିରେ ମନରେ ପ୍ରଶ୍ନ ଉଠିଥାଏ କି କେଉଁ ପୋଜିସନରେ ଶୋଇବା ଉତ୍ତମ ଅଟେ । ଏକ୍ସପର୍ଟଙ୍କ ଅନୁଯାୟୀ ବାମ ପଟେ ଶୋଇବା ଅଧିକ ଲାଭଦାୟକ ହୋଇଥାଏ । ବାମ ପଟେ ଶୋଇବା ଦ୍ୱାରା ଭ୍ରୁଣ, ଗର୍ଭାଶୟ, କିଡନୀ ଏବଂ ହୃଦୟରେ ରକ୍ତ ସଂଚାଳନ ବୃଦ୍ଧି ପାଇଥାଏ । ଫଳରେ ଗର୍ଭସ୍ଥ ଶିଶୁକୁ ଅଧିକ ପୋଷ୍କ ତତ୍ୱ ମିଳିଥାଏ । ଏହା ବ୍ୟତୀତ ବାମ ପଟେ ଶୋଇବା ଦ୍ୱାରା ଯକୃତ ଏବଂ ଗୋଡ଼ରୁ ହୃଦୟକୁ ରକ୍ତ ବହନ କରୁଥିବା ବଡ଼ ଶିରା ଉପରେ ଚାପ ହ୍ରାସ ହୋଇଥାଏ । ଡାହାଣ ପଟେ ଶୋଇବା ଦ୍ୱାରା ମୃତ ଶିଶୁ ଜନ୍ମ ହେବା, ଭ୍ରୁଣ ବିକାଶରେ ଅଭାବ ଏବଂ ପ୍ରିକ୍ଲାମ୍ପସିଆ ସମସ୍ୟାର ଆଶଙ୍କା ବୃଦ୍ଧି ପାଇଥାଏ ।
ଗର୍ଭାବସ୍ଥାରେ ଅଧିକ ଆରାମଦାୟକ ଭାବେ ଶୋଇବାକୁ ଚାହୁଁଥିଲେ ଦୁଇ ଗୋଡ଼ ମଝିରେ ତକିଆ ରଖି ଶୋଇପାରିବେ । ପାଞ୍ଚ ମାସ ପରେ ଚିତ୍ ହୋଇ ଶୋଇବା ଉଚିତ ନୁହେଁ । ଏହା ଆପଣଙ୍କ ମହାଧମନୀ(aorta) ଉପରେ ପ୍ରଭାବ ପକାଇଥାଏ । ଏଭଳି ପୋଜିସନରେ ଶୋଇଲେ ଗର୍ଭାଶୟ ପଛରେ ରକ୍ତ ସଂଚାଳନ ହୋଇଥାଏ ଏବଂ ରକ୍ତ ସଂଚାଳନ ଗତିକୁ ହ୍ରାସ କରିପାରେ (ଉଭୟ ମା ଓ ଗର୍ଭସ୍ଥ ଶିଶୁର) । ଚିତ୍ ହୋଇ ଶୋଇବା ଅନ୍ତନଳୀ ଉପରେ ଚାପ ପକାଇବା ସହ ନିଃଶ୍ୱାସ ନେବ।ରେ ମଧ୍ୟ ସମସ୍ୟା ଦେଖାଦେଇଥାଏ । ମନେରଖନ୍ତୁ ଗର୍ଭାବସ୍ଥାରେ କେବେ ବି ପେଟେଇ ଶୋଇବା ଉଚିତ ନୁହେଁ ଏହା ଗର୍ଭସ୍ଥ ଶିଶୁର ବିକାଶରେ ବାଧା ସୃଷ୍ଟି କରିଥାଏ । ଏଭଳି ସ୍ଥିତିରେ କୌଣସି ସମସ୍ୟା ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇପାରନ୍ତି ।