fbpx

ସୋସିଆଲ୍‌ ମିଡିଆ ପାଇଁ ଆସିାରେ କଠୋର ଆଇନ୍‌, କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ସୂଚନା

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ପୋଷ୍ଟ କରାଯାଉଥିବା ବିଭିନ୍ନ ଆପତ୍ତିଜନକ ବିଷୟବସ୍ତୁ ଉପରେ ରୋକ୍‌ ଲଗାଇବା ପାଇଁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି  । ଏଥିସହ ଅପପ୍ରଚାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ କେନ୍ଦ୍ର ସରକାର କଠୋର ଆଇନ ଆଣିବା ସପକ୍ଷରେ ରହିଛନ୍ତି  । ଯଦି ସଂସଦରେ ବିରୋଧୀଙ୍କ ସମର୍ଥନ ମିଳେ ତାହାହେଲେ ଏହି ଆଇନକୁ କାର୍ଯ୍ୟକାରୀ କରାଯିବ ବୋଲି କେନ୍ଦ୍ର ରେଳ ତଥା ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି  ।

ଶନିବାର ରାଜ୍ୟସଭାରେ ଏ ସମ୍ପର୍କୀତ ଆଗତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବ କହିଥିଲେ ଯେ, ସୋସିଆଲ ମିଡିଆକୁ ଅଧିକ ଉତ୍ତରଦାୟୀ କରିବାକୁ ସରକାର କଠୋର ଆଇନ ଆଣିବା ସପକ୍ଷରେ ରହିଛନ୍ତି  । ଯଦି ସଂସଦରେ ରାଜନୈତିକ ସହମତି ମିଳେ ତାହାହେଲେ ଏଇ ଆଇନ ଅଣାଯିବ  । କେନ୍ଦ୍ର ସରକାର କେବେ ହେଲେ ବି ମହିଳାଙ୍କ ସମ୍ମାନକୁ ନେଇ ବୁଝାମଣା କିମ୍ବା ସାଲିସ କରିବେ ନାହିଁ ବୋଲି ସେ ରୋକ୍‌ଠୋକ୍‌ କହିଛନ୍ତି  । ନିକଟରେ ମୁସଲିମ୍‌ ମହିଳାଙ୍କ ନିଲାମ ଡାକିବା ଭଳି କାମ କରୁଥିବା ବୁଲ୍ଲିବାଈ ଓ ସୁଲ୍ଲି ଡିଲ୍‌ସ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ସେ କହିଥିଲେ ଧର୍ମ ନିର୍ବିଶେଷରେ ସମସ୍ତ ମହିଳାଙ୍କ ଆତ୍ମସମ୍ମାନର ସୁରକ୍ଷା ହେଉଛି କେନ୍ଦ୍ର ସରକାରଙ୍କ ମୂଳ ଲକ୍ଷ୍ୟ । ଯେତେବେଳେ ବି ସୋସିଆଲ ମିଡିଆ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି ସେତେବେଳେ ବିରୋଧୀ ଆମେ ବାକ୍‌ ସ୍ୱାଧୀନତା ଉପରେ ହସ୍ତକ୍ଷେପ କରୁଛୁ ବୋଲି କହୁଛନ୍ତି । ହେଲେ ଏହା ଠିକ୍‌ ନୁହେଁ । ଆମେ ସବୁଥିରେ ସମତୁଲ ନୀତି ଆପଣାଇବା ପାଇଁ ଚାହୁଁଛୁ ବୋଲି ସେ କହିଥିଲେ । ଆମକୁ ଉତ୍ତରଦାୟୀ ଗ୍ରହଣ କରୁଥିବା ସୋସିଆଲ ମିଡିଆ ତିଆରି କରିବାକୁ ହେବ । ଏଥିାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ । ବିଭିନ୍ନ ରାଜ୍ୟର ତଦନ୍ତକାରୀ ସଂସ୍ଥା କେନ୍ଦ୍ରର ସୂଚନା ଆଧାରରେ ପଦକ୍ଷେପ ଗ୍ରହଣ କରୁଛନ୍ତି । ବର୍ତ୍ତମାନର ସରକାର ସାମ୍ବିଧାନିକ ନୀତି ନିୟମ ମଧ୍ୟରେ କାର୍ଯ୍ୟ କରୁଛନ୍ତି । ସୋସିଆଲ ମିଡିଆକୁ ଉତ୍ତରଦାୟୀ କରିବାକୁ ବହୁ ପଦକ୍ଷେପ ପୂର୍ବରୁ ନିଆଯାଇଥିଲା । ଯଦି ଗୃହର ସଦସ୍ୟମାନେ ଚାହିଁବେ ତେବେ ଆମେ ସୋସିଆଲ ମିଡିଆ ପାଇଁ ଆହୁରି କଠୋର ଆଇନ ଆଣିବାପାଇଁ ପଛଘୁଞ୍ଚା ଦେବୁନାହିଁ । ସରକାର ୨୦୨୧ରେ ସୋସିଆଲ ମିଡିଆକୁ ଅଧିକ ସୁରକ୍ଷିତ ଓ ଦାୟିତ୍ୱବାନ କରିବାପାଇଁ ଆଇନ ଆଣିଥିବା ସେ ସୂଚନା ଦେଇଥିଲେ ।

Get real time updates directly on you device, subscribe now.