ମହାକୁମ୍ଭରୁ ଶେଷଯାତ୍ରା ଅଭିମୁଖେ ସୈନିକଙ୍କ ପରିବାର
ଭାବିଥିଲେ ତ୍ରିବେଣୀରେ ସ୍ନାନ କରି କୋଟି ପୂର୍ଣ୍ୟ ଲାଭ କରିବେ। ଜୀବନରେ ଆଉ କେବେ ଅଶାନ୍ତି ରହିବନି। ହେଲେ ମହାକୁମ୍ଭ ଯାତ୍ରା ପରିବାର ପାଇଁ ଶେଷଯାତ୍ରା ହୋଇଯିବ, ଜାଣି ନ ଥିଲେ ସୈନିକଙ୍କ ପରିବାର।
ପ୍ରୟାଗରାଜ: ମହାକୁମ୍ଭ ସାଜିଲା ଶେଷ ଯାତ୍ରା। ଏକାସାଙ୍ଗରେ ଚାଲିଗଲା ଗୋଟିଏ ପରିବାରର ତିନିଜଣଙ୍କ ଜୀବନ। ମହାକୁମ୍ଭର ତ୍ରିବେଣୀ ସଙ୍ଗମରେ ହେଲା ଶେଷ ସ୍ନାନ। ବୁଡ଼ ପକାଇ ଫେରିବା ପରେ କାର ଦୁର୍ଘଟଣା ନେଇଗଲା ସୈନିକ ବାପା,ଦାଦା ଓ ଝିଅର ପ୍ରାଣ।
ମହାକୁମ୍ଭରେ ବୁଡ଼ ପକାଇବା ପରେ ଭାବିଥିଲେ। ତାଙ୍କ ଜୀବନରେ ଏବେ ସବୁ ଭଲ ହେବ। ଏହି ସ୍ନାନ ସାରିବା ପରେ ଯେପରି ତାଙ୍କୁ କୋଟି ପୂର୍ଣ୍ଣ୍ୟ ଅର୍ଜନ ହେଲା ଭଳି ଲାଗୁଥିଲା। ଜୀବନର ସବୁ ପାପ ଧୋଇ ହୋଇଗଲା ପରି ମନେ ହେଉଥିଲା।
ଆଉ ଭାବୁଥିଲେ ଏବେ ତାଙ୍କ ପରିବାର ବେଶ ଆନନ୍ଦରେ ଚାଲିବ। ଆଉ ଜୀବନରେ କିଛି ଦୁଃଖ କଷ୍ଟ ରହିବନି। ହେଲେ ନିମିଷକ ମଧ୍ୟରେ ପାଣି ଫୋଟକା ପରି ସବୁ ମିଳେଇଗଲା। ଆଖି ପିଛୁଳାକେ ଚାଲିଗଲା ଜୀବନ।
ଅପେକ୍ଷା କରିଥିଲା ଦୁର୍ଭାଗ୍ୟ: ବିହାରର ଭଜପୁର ବାସିନ୍ଦା ଶିବଜୀ ସିଂ। ଯିଏକି ଜଣେ ସେନା ଅଧିକାରୀ। ଲଦାଖ ସୀମାରେ କାର୍ଯ୍ୟରତ ଥିଲେ। ହେଲେ କିଛିଦିନ ପାଇଁ ଛୁଟିରେ ଘରକୁ ବୁଲିବାକୁ ଆସିଥିଲେ।
ଛୁଟି ସରିଯିବା ପରେ କର୍ମକ୍ଷେତ୍ରକୁ ଫେରିବା ବେଳେ ଦିଲ୍ଲୀରେ ଫ୍ଲାଇଟ ମିସ୍ କରିଗଲେ। ଆଉ ଭାବିଲେ ଘରକୁ ଫେରିଯିବେ। ଏବଂ ପରିବାର ସହ ମହାକୁମ୍ଭ ମେଳା ଯାଇ କୋଟି ପୂର୍ଣ୍ଣ୍ୟ ଅର୍ଜନ କରିବେ।
ସେଇଆ ମଧ୍ୟ କଲେ। ନିଜେ ଶିବଜୀ ସିଂ,ପତ୍ନୀ ନୀରା ଦେବୀ, ଝିଅ ସୋନମ କୁମାରୀ, ଭାଇ ରାଜୀବ ସିଂ ଓ ଭାଇବୋହୂ ଅଳକା ଦେବୀଙ୍କୁ ସାଙ୍ଗରେ ଧରି ମହାକୁମ୍ଭ ଯାତ୍ରାକୁ ବାହାରିଲେ।
ସଙ୍ଗମରେ ଶେଷ ସ୍ନାନ: ସେଠାରେ ପହଞ୍ଚି ତ୍ରିବେଣୀ ସଙ୍ଗମରେ ବୁଡ଼ ମଧ୍ୟ ଦେଲେ। ପରିବାର ସହ ମିଶି ଅନେକ ମଜାମସ୍ତି କଲେ। ଆଉ ଏପରି ଅକ ଧାର୍ମିକ ସ୍ଥାନକୁ ଯାଇ ତାଙ୍କର କୋଟି ପୂର୍ଣ୍ୟ ହେଲା ବୋଲି ଭାବି ଘରକୁ ଫେରିଲେ।
ହେଲେ ହଠାତ୍ ୟୁପିର ପ୍ରୟାଗରାଜ-ବାରାଣାସୀ ରାଜପଥର ମିରଜାମୁରାଡରେ ସୈନିକଙ୍କ ଗାଡ଼ି ଦୁର୍ଘଟଣାର ଶିକାର ହେଲା। ଭାରସାମ୍ୟ ହରାଇ ଏକ ଡମ୍ଫର ସହ ଧକ୍କା ହେଲା।
କିଏ ମୃତ କିଏ ଆହତ: ତେବେ ଶୁବଜୀ ସିଂ ନିଜେ ଗାଡ଼ି ଚଲାଇଥିଲେ। ଆଉ ଆଗ ସିଟରେ ବସିଥିଲେ ତାଙ୍କ ଭାଇ। ପଛରେ ବସିଥିଲେ ପତ୍ନୀ, ଭାଇବୋହୂ ଓ ଝିଅ। କାରଟି ଅତି ଦ୍ରୁତ ଗତିରେ ଏକ ଡମ୍ପର ସହ ମୁହାଁମୁହିଁ ଧକ୍କା ହୋଇଥିଲା।
ଫଳରେ ଘଟଣା ସ୍ଥଳରେ ହିଁ ଶିବଜୀ ସିଂ,ତାଙ୍କ ଭାଇ ଓ ଝିଅର ମୃତ୍ୟୁ ହୋଇଥିବା ବେଳେ, ଆହତ ହୋଇଥିବା ତାଙ୍କ ପତ୍ନୀ ଓ ଭାଇବୋହୂଙ୍କୁ ଗୁରୁତର ଭାବରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।