fbpx

ରାଜଧାନୀରେ ରୋଡ୍ ରୋମିଓଙ୍କ ଲଙ୍କାକାଣ୍ଡ; ଝିଅଙ୍କୁ କମେଣ୍ଟ ମାରିବା ସହିତ ଘରୋଇ ହଷ୍ଟେଲ୍ ରେ ପଶି କରୁଛନ୍ତି ଭଙ୍ଗାରୁଜା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ପିଲାମାନଙ୍କୁ ଅଧିକ ଶିକ୍ଷା ଆଉ ଚାକିରୀ ଆଶାରେ ପିତାମାତା ମାନେ ଗାଁ ରୁ ବଡ଼ ବଡ଼ ସହରକୁ ପଠେଇଥାନ୍ତି । କିନ୍ତୁ ବେଳେ ବେଳେ ଆପଣଙ୍କ ପିଲାମାନଙ୍କୁ ବେପରୁଆ ଲୋକ ମାନଙ୍କର ସାମ୍ନା କରିବାକୁ ପଡିଥାଏ। ଏହି ଭଳି ଲୋକ ମାନଙ୍କର ଜୀବନରେ କିଛି ଉଦ୍ଦେଶ୍ୟ ନଥାଏ ବାସ ସେମାନେ ଝିଅ ପିଲା ମାନଙ୍କୁ ଦେଖି କମେଣ୍ଟ ମାରିବା ଗାଳି ଗୁଲଜ କରିବାରେ ବେଶ ଆନନ୍ଦ ଉଠେଇ ଥାନ୍ତି । ତେବେ ଗତକାଲି ବିଳମ୍ବିତ ରାତିରେ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଥିଲା । କମେଣ୍ଟମରାକୁ କେନ୍ଦ୍ରକରି ରାଜଧାନୀରେ ରୋଡ୍ ରୋମିଓମାନେ ଲଙ୍କାକାଣ୍ଡ ଭିଆଇଥିଲେ ।

ସୂଚନାମୁତାବକ ଏହିପରି ଏକ ଘଟଣା ଶୁକ୍ରବାର ରାତ୍ର ୧୦ ଘଟିକାରେ ନୟାପଲ୍ଲୀ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ରୋଡ୍ ରୋମିଓମାନେ ହଷ୍ଟେଲ୍ ଛାତ୍ରୀଙ୍କୁ କମେଣ୍ଟ ମାରିଥିଲେ । ତେବେ ଏହାକୁ ପ୍ରତିବାଦ କରିବାରୁ ରୋଡ୍ ରୋମିଓମାନେ ସ୍ପିଡ୍ ବାଇକ୍ ରେ ଯାଇ ନୟାପଲ୍ଲୀରେ ଥିବାଏକ ଲେଡିଜ୍ ହଷ୍ଟେଲରେ ପଶିଥିଲେ । ସେଠାରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ହଷ୍ଟେଲ ରେ ଥିବା ଟିଭି ଠାରୁ ଆରମ୍ଭ କରି ବିଭିନ୍ନ ଆସବାବ ପତ୍ର ମଧ୍ୟ ଭାଙ୍ଗି ରୁଜି ଚୁନା କରିଥିଲେ । ଯାହାଫଳରେ ସେଠାରେ ଥିବା ଛାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ । ଏପରିକି ହଷ୍ଟେଲ୍ ରେ ଥିବା କିଛି ଗାଡ଼ିକୁ ଭାଙ୍ଗିଥିବା ଜଣାପଡ଼ିଛି ।

ସ୍ପିଡ୍ ବାଇକ୍ ରେ ୩/୪ଜଣ ରୋଡ୍ ରୋମିଓ ହଷ୍ଟେଲ୍ ରେ ପଶି ଏଭଳି କାଣ୍ଡ ଭିଆଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି । ଏ ସଂକ୍ରାନ୍ତରେ ଖବରପାଇ ନୟାପଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଆଉ ଯଥା ଶୀଘ୍ର ଏହି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି। ବର୍ତ୍ତମାନ ଏଭଳି କାଣ୍ଡ ଘଟାଉ ଥିବା ଲୋକଙ୍କ ସଂଖ୍ୟା ରାଜଧାନୀ ରେ ବୃଦ୍ଧି ପାଇବାରେ ଲାଗିଛି । ପୋଲିସ ଯଦି ଏହି ମାନଙ୍କ ଉପରେ ଠୋସ ପଦକ୍ଷପ ନ ନିଏ ତେବେ ରାଜଧାନୀରେ ମହିଳା ମାନଙ୍କ ସୁରକ୍ଷା ଉପରେ ଏହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିବ ।

Get real time updates directly on you device, subscribe now.