fbpx

ବାପାକୁ ମାଡ଼ ମାରି ଘରୁ ବାହାର କରିଦେଲା ପୁଅ, ସମ୍ପତ୍ତି ଲୋଭ ଘାରିଛି

ବାଲେଶ୍ୱର(ଓଡ଼ିଶା ଭାସ୍କର): ଦିନେ ଯୋଉ ଆଖି ପୁଅର ମଙ୍ଗଳ ଲାଗି ନିଇତି ସପନ ଦେଖୁଥିଲା, ସେଇ ଆଖି ଆଜି କ୍ଲାନ୍ତ । ପରଳ ପରଳ ଦୁଃଖ ଯନ୍ତ୍ରଣାର ଅନ୍ତଃବେଦନା ବେଶ୍ ଦେଖାଯାଉଛି ବୟସର ଅପରାହ୍ଣରେ ଥକି ପଡ଼ିଥିବା ବୃଦ୍ଧଙ୍କର ମୁହଁ । କିନ୍ତୁ ୯୬ ବର୍ଷୀୟ ବୃଦ୍ଧ ବାପାଙ୍କୁ ପୁଅ ମାଡ଼ମାରି ଘରୁ ବାହାର କରିଦେଲା । ଗ୍ରିଲରେ ତାଲା ପକାଇଦେଲେ ପୁଅବୋହୂ । ନଖାଇ ନପିଇ ଭୋକ ଉପାସରେ ରାତି ସାରା ବାରଣ୍ଡାରେ ପଡ଼ିରହିଲେ ବୃଦ୍ଧ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ ।

ସମ୍ପତ୍ତି ଲୋଭରେ ମଣିଷ ଭୁଲି ଯାଉଛି ନିଜ ମା’-ବାପାଙ୍କୁ । ଯେଉଁମାନଙ୍କ କୋଳରେ ବଢ଼ି ମଣିଷ ଭଳି ଛିଡ଼ା ହେଉଛି, ସେଭଳି ହାତ ପଛାଉନାହିଁ ବୃଦ୍ଧ ମାତା-ପିତାଙ୍କୁ ମାଡ଼ ମାରିବାକୁ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଛଡ଼ା ଗ୍ରାମର ବାସିନ୍ଦା ହେଉଛନ୍ତି ସୁରେଶ ଚନ୍ଦ୍ର ଭୂୟାଁ । ବୟସ ପାଖାପାଖି ୯୬ ବର୍ଷ । ନା କାନକୁ ଠିକରେ ଶୁଭୁଛି ନା ଆଖିକୁ ଭଲ ଭାବରେ ଦେଖାଯାଉଛି । ଚାଲବୁଲ କରିବାକୁ ବି ଦେହରେ ଆଉ ବଳ ନାହିଁ । ସୁରେଶଙ୍କ ଗୋଟିଏ ପୁଅ ଏବଂ ୬ ଜଣ ଝିଅ । ପୁଅର ନାମ ଭାବଗ୍ରାହୀ ବୋଲି ବୃଦ୍ଧ ଜଣଙ୍କ ଖନେଇ ଖନେଇ କହୁଛନ୍ତି । ଝିଅମାନେ ବାହାହୋଇ ଶାଶୂଘରକୁ ଚାଲିଗଲା ପରେ ପୁଅବୋହୂଙ୍କ ପାଖରେ ବୃଦ୍ଧ ଜଣଙ୍କ ପଡ଼ି ରହିଥିଲେ । ତେବେ ସୁରେଶଙ୍କ ସ୍ତ୍ରୀ ଆରପାରିକୁ ଚାଲିଯିବା ପରେ କାଳେ ଝିଅମାନେ ସମ୍ପତ୍ତିରୁ ଭାଗ ନେଇଯିବେ ସେଥିପାଇଁ ନିଜ ନାମରେ ସମସ୍ତ ସମ୍ପତ୍ତି କରିଦେବାକୁ ବୃଦ୍ଧ ବାପାଙ୍କୁ ଭାବଗ୍ରାହୀ କହିଥିଲେ । ତେବେ ଏଥିରେ ସେ ଅରାଜି ହେବାରୁ ତାଙ୍କୁ ନିର୍ଯାତନା ଦେଇ ଆସୁଥିଲେ । ସେହି ସମ୍ପତ୍ତି କଥାକୁ ନେଇ ବାପାଙ୍କ ସହିତ ଯୁକ୍ତିତର୍କ କରିବା ପରେ ଭାବଗ୍ରାହୀ ବଡ଼ ନିଷ୍ଠୁର ପାଲଟି ଯାଇଥିଲେ । ସ୍ତ୍ରୀ ସହ ମିଶି ତାଙ୍କ ବାପାଙ୍କୁ ଘରୁ ବାହାର କରିଦେଲେ ଏବଂ ଭିତର ପଟୁ ତାଲା ମାରି ଦେଇଥିଲେ । ଫଳରେ କୌଣସି ଉପାୟ ନପାଇ ଅସହାୟ ବୃଦ୍ଧ ଜଣଙ୍କ ଜିନିଷପତ୍ର ଧରି ନଖାଇ ନପିଇ ରାତି ସାରା ବାହାରେ ବସି ରହିଲେ ।

ସୁରେଶଙ୍କ ପାଖାପାଖି ୧୦ ଏକରରୁ ଅଧିକ ଜମି ରହିଥିବାବେଳେ ପ୍ରାୟ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଛି । ସେ ପୂର୍ବରୁ ୩ ଥର ସରପଞ୍ଚ ଏବଂ ଦୁଇଥର ବାଲିଆପାଳ ବ୍ଲକ ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ । ଦିନେ ଜନପ୍ରତିନିଧି ହୋଇ ଲୋକଙ୍କୁ ନ୍ୟାୟ ପ୍ରଦାନ କରୁଥିଲେ, ମାତ୍ର ସେ ନିଜେ ସମ୍ପ୍ରତି ପୁଅବୋହୂଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇପଡ଼ିଲେଣି । ପରିଣତ ବୟସରେ ସେ ସରକାରଙ୍କୁ ନ୍ୟାୟ ମାଗୁଛନ୍ତି । ତେବେ ଜେଜେ ବାପାଙ୍କ ଦୁଖଃ ସହି ନପାରି ତାଙ୍କ ନାତି ଓ ନାତୁଣି ବୋହୂ ତାଙ୍କୁ ଉଦ୍ଧାର କରିବାକୁ ଆସୁଥିବା ବେଳେ ଭାବଗ୍ରାହୀ ସେମାନଙ୍କୁ ମଧ୍ୟ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଛି । ଗାଁ ଲୋକେ ପହଞ୍ଚି ତାଲା ଖୋଲିବା ପାଇଁ ପୁଅବୋହୂଙ୍କୁ କହିଥିଲେ ମଧ୍ୟ ସେମାନେ କୌଣସି କଥା ଶୁଣି ନଥିଲେ । ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବାକୁ ଗାଁଲୋକେ ଦାବି କରିଛନ୍ତି।

Get real time updates directly on you device, subscribe now.