fbpx

ସୌମ୍ୟଙ୍କ ମୃତ୍ୟୁକୁ ବର୍ଷେ ପୂରିଲା: ସୋନାଲିଙ୍କୁ କରାଯିବ ଜେରା, ଏଥର ଖୋଲିବ ସବୁ ରହସ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ବର୍ଷ ଜାନୁଆରୀ ମାସ ୩୦ ତାରିଖରେ ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା କରିଥିଲେ । ସୌମ୍ୟଙ୍କ ମୃତ୍ୟୁ ପଛରେ ତାଙ୍କର ପ୍ରେମିକା ସୋନାଲି ଦାୟୀ ବୋଲି ସୌମ୍ୟଙ୍କ ପରିବାର ଅଭିଯୋଗ କରିଥିଲେ । ଏହି ଖବର ରାଜଧାନୀ ଭୁବନେଶ୍ୱରରେ ଏକ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଏହା ମଧ୍ୟରେ ସୌମ୍ୟଙ୍କ ମୃତ୍ୟୁକୁ ୧ ବର୍ଷରୁ ଅଧିକ ସମୟ ବିତି ସାରିଲାଣି । ମାତ୍ର ଆଜି ପର୍ଯ୍ୟନ୍ତ ସୌମ୍ୟଙ୍କ ପରିବାର ନ୍ୟାୟ ପାଇପାରି ନାହାନ୍ତି ।

ଏହି ଘଟଣାରେ ସୌମ୍ୟ-ସୋନାଲିଙ୍କ ରିଲେସନସିପକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା । ଏପରିକି ସୌମ୍ୟଙ୍କୁ ଛାଡ଼ି ସୋନାଲି ଅନ୍ୟ ପୁଅଙ୍କ ସହ କଥାବାର୍ତ୍ତା କରିବେ ବୋଲି ସୋନାଲି କହୁଥିବା ମଧ୍ୟ ଅଡିଓ ଭାଇରାଲ ହୋଇଥିଲା । ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା । ସୁଇସାଇଡ୍ କରିବା ପୂର୍ବରୁ ସୌମ୍ୟ ସୋନାଲିଙ୍କୁ ଶେଷ ଥର ପାଇଁ କଲ୍ କରିଥିଲେ । ଏହି ଘଟଣାରେ ପୋଲିସ ସୌମ୍ୟ-ସୋନାଲିଙ୍କ କଲ ଡିଟେଲ୍ସ, ହ୍ୱାଟସଆପ୍ ଚାଟ୍ ସଂଗ୍ରହ କରିଥିଲା । ଏପରିକି ଖୁବଶୀଘ୍ର ସୋନାଲିଙ୍କୁ ଜେରା କରାଯିବ ବୋଲି ବର୍ଷକ ପୂର୍ବରୁ କୁହାଯାଉଥିଲା ।

ଏହି ଘଟଣାରେ ସୌମ୍ୟଙ୍କ ପରିବାର ବାରମ୍ବାର ଡିସିପି ଅଫିସକୁ ଦୌଡ଼ିବା ସହ ଧାରଣାରେ ବସିଥିଲେ । ତେବେ ନ୍ୟାୟ ନ ମିଳିବାରୁ ପରିବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୩ ମାସ ମଧ୍ୟରେ ରିପୋର୍ଟ ଦେବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏହା ମଧ୍ୟରେ କ୍ରାଇମବ୍ରାଞ୍ଚ ଟିମ୍ ସୌମ୍ୟଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିଛି । ଖୁବଶୀଘ୍ର ସୌମ୍ୟଙ୍କ ପ୍ରେମିକା ସୋନାଲିଙ୍କୁ ଜେରା କରାଯିବ ବୋଲି କ୍ରାଇମବ୍ରାଞ୍ଚ ସୂତ୍ରରୁ ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ସୌମ୍ୟ ରାଜଧାନୀର ଉନଫୋସିଟି ଅଞ୍ଚଳରେ ଏକ କାଫେ ଖୋଲି ବ୍ୟବସାୟ କରୁଥିଲେ । ସେଠାରେ କଣ୍ଠଶିଳ୍ପୀ ସୋନାଲିଙ୍କ ସହ ତାଙ୍କର ଦେଖା ହୋଇଥିଲା ଓ ପରବର୍ତ୍ତୀ ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ।

Get real time updates directly on you device, subscribe now.