ସୋଫିଆଙ୍କ ଅଭିଯୋଗ କଟକ ରାଜନୀତିକୁ କଲା ହଲଚଲ

ଦେବାଶିଷ ଭୋଟ୍ ନଦେବା ପଛରେ ଭିତିରି ଡିଲ୍ କରିଛନ୍ତି କହିଲେ ବିଧାୟିକା ସୋଫିଆ

କଟକ: ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦୋସ୍ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ୱାକଫ୍ (ସଂଶୋଧନ) ବିଲ୍ ୨୦୨୫ ଭୋଟିଂ ସମୟରେ ରାଜ୍ୟସଭାରୁ ଓ୍ୱାକ୍‌ଆଉଟ୍ କରିବା ନେଇ ଟାର୍ଗେଟ୍ କରିଛନ୍ତି।

ସୋଫିଆଙ୍କ ଅଭିଯୋଗ: ‘ଓ୍ୱାକ୍‌ଆଉଟ୍ ମାନେ ଦେବାଶିଷ ବାବୁ ବିଜେପିିକୁ ସମର୍ଥନ କଲେ’

ସୋଫିଆ କହିଛନ୍ତି ଯେ, ୱାକଫ୍ ବିଲ୍ ଭୋଟିଂ ସମୟରେ ଦେବାଶିଷ ସାମନ୍ତରାୟଙ୍କ ଓ୍ୱାକ୍‌ଆଉଟ୍ ଏକ ସ୍ପଷ୍ଟ ସଙ୍କେତ ଦେଉଛି ଯେ ସେ ବିଜେପିକୁ ସମର୍ଥନ କରିଛନ୍ତି।
ସେ ଆହୁରି କହିଛନ୍ତି, “ଗୋଟିଏ ଭୋଟ୍ କମିଗଲେ ବିଜେପିର ଓଜନ ବଢ଼ିଗଲା। ଏହା ଦେବାଶିଷଙ୍କ ନିଷ୍ପତ୍ତିର ପରୋକ୍ଷ ପ୍ରମାଣ”।

‘ବାରବାଟୀ-କଟକର ଲୋକେ ତାଙ୍କ ନିଷ୍ପତ୍ତିରେ ଦୁଃଖୀ’: ସୋଫିଆ ଦାବି କରିଛନ୍ତି ଯେ, ଦେବାଶିଷଙ୍କ ଏହି ପଦକ୍ଷେପରେ ବାରବାଟୀ-କଟକର ଜନତା ମର୍ମାହତ ହୋଇଛନ୍ତି।
ସେ କହିଛନ୍ତି, “ଯଦି ଜଣେ ବାରବାଟୀ ଲୋକଙ୍କ ସହ ଭାବାବେଗ ହୋଇଥାନ୍ତା ତାହେଲେ ସେ ବିରୋଧ କରିଥାନ୍ତେ। କିନ୍ତୁ ଦେବାଶିଷ ବାବୁ ପ୍ରତିବାଦ ନ କରି ଓ୍ୱାକ୍‌ଆଉଟ୍ କରି ନିଜକୁ ବଞ୍ଚାଇବାକୁ ଚେଷ୍ଟା କଲେ।”

‘ବିଜେପିି ସହ ୧୦୦% ଡିଲ୍ କରି ନିଜକୁ ବଞ୍ଚାଇଲେ’: ବିଧାୟିକା ସୋଫିଆ ଆହୁରି ଅଭିଯୋଗ କରିଛନ୍ତି ଯେ, ଦେବାଶିଷ ନିଜକୁ ରାଜନୈତିକ ସଙ୍କଟରୁ ରକ୍ଷା କରିବା ପାଇଁ ବିଜେପି ସହ ଏକ ଭିତିରିଆ ଡିଲ୍ କରିଛନ୍ତି।

ସେ କହିଛନ୍ତି, “ଏହା ଏକ ଶତ ପ୍ରତିଶତ ଡିଲ୍। ସେ ବିଜେପି ସହ ହାତ ମିଳାଇ ନିଜର ସ୍ୱାର୍ଥ ସୁରକ୍ଷିତ କରିଛନ୍ତି।”

‘୨୪ ବର୍ଷର ଦୁର୍ନୀତିକୁ ସମର୍ଥନ ଦେଇଛନ୍ତି’: ସୋଫିଆଙ୍କ ଅନ୍ୟ ଏକ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ, ଦେବାଶିଷ ଗତ ୨୪ ବର୍ଷ ଧରି ବିଭିନ୍ନ କ୍ଷେତ୍ରରେ ଚାଲିଥିବା ଦୁର୍ନୀତିକୁ ସମର୍ଥନ କରିଆସିଛନ୍ତି। ସେ ଏହାକୁ ଲୁଚାଇବାକୁ ଯାଇ ଡିଲ୍ କରିଛନ୍ତି।

‘କଟକର ମୁସଲିମ ସମ୍ପ୍ରଦାୟକୁ ଠକିଛନ୍ତି’: ସୋଫିଆ ଆହୁରି ଦାବି କରିଛନ୍ତି ଯେ, ଦେବାଶିଷଙ୍କ ଏହି ନିଷ୍ପତ୍ତି କଟକର ମୁସଲିମ ସମ୍ପ୍ରଦାୟଙ୍କ ସହ ବିଶ୍ୱାସଘାତକତା ସଦୃଶ।

ସେ କହିଛନ୍ତି, “ମୁସଲିମ ସମ୍ପ୍ରଦାୟର ଲୋକଙ୍କୁ ସେ ଠକିଛନ୍ତି। ଏହି ବିଲ୍ ସେମାନଙ୍କ ଅଧିକାର ଉପରେ ଆକ୍ରମଣ କରୁଥିବା ବେଳେ ଦେବାଶିଷ ନିଜ ସ୍ୱାର୍ଥ ପାଇଁ ସେମାନଙ୍କୁ ଅଣଦେଖା କଲେ।”
ଏହି ଅଭିଯୋଗଗୁଡ଼ିକ ରାଜ୍ୟ ରାଜନୀତିରେ ନୂଆ ବିବାଦ ସୃଷ୍ଟି କରିଛି। ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ ଏପର‌୍ୟ୍ୟନ୍ତ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ।

କହିରଖୁଛୁ, ୱାକଫ୍ ବିଲ୍ ଭୋଟିଂ ସମୟରେ ବିଜେଡି ଦଳର ନେତା ସସ୍ମିତ ପାତ୍ର ଟୁଇଟ୍ କରି କହିଥିଲେ ବିବେକ ଅନୁସାରେ ତାଙ୍କ ଦଳର ୭ ସାଂସଦ ଭୋଟ୍ ଦେଇପାରିବେ ।
ପୂର୍ବରୁ କିନ୍ତୁ ଦଳ ଏହାକୁ ବିରୋଧ କରିବ ବୋଲି ଦଳ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ଏହାପରେ ବିଜେଡିରେ କନ୍ଦଳ ଦେଖାଦେଇଛି ।

ଦେବାଶିଷ ସାମନ୍ତରାୟ ସସ୍ମିତଙ୍କ ଉପରକୁ ପ୍ରଶ୍ନ କରି ଅଦୃଶ୍ୟ ଶକ୍ତି ଉପରେ ପ୍ରଶ୍ନ ଉଠାଉଥିବା ବେଳେ ସୋଫିଆ ଅନ୍ୟପଟେ ତାଙ୍କ ଉପରେ ଷଣ୍ଡୁଆଶୀ ଆକ୍ରମଣ କରିଛନ୍ତି ।