ବାଲେଶ୍ବର: ସୌମ୍ୟାଶ୍ରୀ ମୃତ୍ୟୁ ମାମଲା । UGC ପକ୍ଷରୁ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ହେଲା ଗଠନ । UGCର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଏବେ ତଥ୍ୟ ଖୋଜିବ । ପ୍ରଫେସର ରାଜ ମିତ୍ତଲଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି ।
କମିଟିରେ ସୁଷମା ଯାଦବ, ନିରଜ ଗୁପ୍ତା ଓ ଅସୀମା ମଙ୍ଗଳା ସାମିଲ ଅଛନ୍ତି । ଏହି ଆତ୍ମାହୁତି ଘଟଣାରେ ତଦନ୍ତ କରିବେ 4 ଜଣିଆ ଟିମ । ସମସ୍ତ ଦିଗକୁ ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବ କମିଟି । କେଉଁ ପରିସ୍ଥିତିରେ ଏଭଳି ଘଟିଲା ତଦନ୍ତ ହେବ । 7 ଦିନ ଭିତରେ ଟିମ୍ ରିପୋର୍ଟ ଦାଖଲ କରିବ । ଏନେଇ ନିର୍ଦ୍ଦେଶ ଦିଆ ଯାଇଛି ।
ପ୍ରକାଶ ଥାଉକି, ଗତ 12 ତାରିଖ, ଶନିବାର ମଧ୍ୟାହ୍ନ ସମୟରେ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଶେଷ ବୈଠକ କରିବା ପରେ ସୌମ୍ୟାଶ୍ରୀ ହଠାତ୍ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ । ଏଜୁକେସନ ବିଭାଗ ମୁଖ୍ୟ ଅଧ୍ୟାପକ ସମୀର କୁମାର ସାହୁଙ୍କ ବିରୋଧରେ ସେ ଯୌନ ନିର୍ଯ୍ୟାତନାର ଅଭିଯୋଗ ଆଣିଥିଲେ । ଅଧ୍ୟାପକ ସମୀର ସାହୁ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ନେଇ ସେ ବିଭିନ୍ନ ସ୍ଥାନରେ ଅଭିଯୋଗ କରିଥିଲେ । ଏପରିକି ତାଙ୍କୁ ପରୀକ୍ଷା ଦେବାରୁ ମଧ୍ୟ ବଞ୍ଚିତ କରାଯାଇଥିଲା । କିନ୍ତୁ ତାଙ୍କୁ ନ୍ୟାୟ ନ ମିଳିବାରୁ ସେ ଆତ୍ମାହୁତି ଦେବା ଭଳି ଚରମ ନିଷ୍ପତ୍ତି ନେଇଥିଲେ । ବାରମ୍ବାର କଲେଜ ଅଧ୍ୟକ୍ଷ ଦିଲୀପ ଘୋଷ ଓ ଅଧ୍ୟାପକଙ୍କ ମାନସିକ ନିର୍ଯ୍ୟାତନା ଯୋଗୁଁ ସେ ପ୍ରାଣ ହରାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।