fbpx

ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ପିଲା ଉପରେ ସ୍ପର୍ମ ବା ଏଗ୍ ଡୋନରଙ୍କର କୌଣସି ଆଇନଗତ ଅଧିକାର ନାହିଁ

ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟ ନିଜର ଏକ ନିଷ୍ପତ୍ତିରେ କହିଛନ୍ତି ଯେ, ସ୍ପର୍ମ ବା ଏଗ୍ ଡୋନରଙ୍କର ଶିଶୁ ଉପରେ କୌଣସି ଆଇନଗତ ଅଧିକାର ନାହିଁ । ଏହାର ଅର୍ଥ ହେଉଛି ଡୋନର ଶିଶୁର ଜୈବିକ ପିତାମାତା ବୋଲି ଦାବି କରିପାରିବେ ନାହିଁ ।

ନିକଟରେ କୋର୍ଟ ଜଣେ ୪୨ ବର୍ଷୀୟା ମହିଳାଙ୍କୁ ତାଙ୍କର ୫ ବର୍ଷର ଯାଆଁଳା ଝିଅଙ୍କୁ ଭେଟିବାର ଅଧିକାର ଦେଇଛନ୍ତି । ଶନିବାର ଏବଂ ରବିବାର ଦିନ ମହିଳାଙ୍କୁ ତିନି ଘଣ୍ଟା ଧରି ତାଙ୍କ ଝିଅଙ୍କୁ ଭେଟିବାକୁ କୋର୍ଟ ଅନୁମତି ଦେଇଛନ୍ତି । ଏହା ବ୍ୟତୀତ ସପ୍ତାହରେ ଦୁଇ ଦିନ ଫୋନରେ କଥା ହେବା ପାଇଁ ଅନୁମତି ମଧ୍ୟ ଦିଆଯାଇଛି । ଏହି ବ୍ୟବସ୍ଥା ଅସ୍ଥାୟୀ ହେବ ।

ମହିଳାଙ୍କ ଭଉଣୀ ଜଣେ ଏଗ୍ ଡୋନର ଥିଲେ … ମହିଳା ଜଣକ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ଯେଉଁଥିରେ ସେ କହିଥିଲେ ଯେ, ତାଙ୍କ ଝିଅମାନେ ସରୋଗେସି ମାଧ୍ୟମରେ ଜନ୍ମ ହୋଇଥିଲେ ଏବଂ ବର୍ତ୍ତମାନ ତାଙ୍କ ସ୍ୱାମୀ ଏବଂ ସାନ ଭଉଣୀଙ୍କ ସହ ରହୁଛନ୍ତି । ସାନ ଭଉଣୀ ଜଣେ ଏଗ୍ ଡୋନର । ଆବେଦନକାରୀଙ୍କ ସ୍ୱାମୀ ଦାବି କରିଛନ୍ତି ଯେ, ତାଙ୍କ ଶାଳୀ ଜଣେ ଏଗ୍ ଡୋନର, ତେଣୁ ତାଙ୍କୁ ଯାଆଁଳା ଝିଅର ଆଇନଗତ ପିତାମାତା ଭାବରେ ବିବେଚନା କରାଯିବା ଉଚିତ୍ । ପତ୍ନୀଙ୍କ ଅନୁଯାୟୀ ତାଙ୍କର ଝିଅମାନଙ୍କଠାରେ କୌଣସି ଅଧିକାର ନାହିଁ ।

କିନ୍ତୁ ଜଷ୍ଟିସ୍ ମିଲିନ୍ଦ ଯାଦବ ସ୍ୱାମୀଙ୍କ ଏହି ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଡୋନରଙ୍କର ଶିଶୁ ଉପରେ ଆଇନଗତ ଅଧିକାର ନାହିଁ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ମାମଲାର ଅନୁସନ୍ଧାନ ପାଇଁ ନିଯୁକ୍ତ ଆମିକସ୍ କ୍ୟୁରିଆ କହିଛନ୍ତି ଯେ ମହିଳା ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ସରୋଗେସି ଚୁକ୍ତିନାମା ୨୦୧୮ ରେ ସ୍ୱାକ୍ଷରିତ ହୋଇଥିଲାବେଳେ ସେହି ସମୟରେ ସରୋଗେସି ଉପରେ ୨୦୨୧ ଆଇନ ବଳବତ୍ତର ନଥିଲା । ତେଣୁ ୨୦୦୫ ର ଆଇସିଏମଆର ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ବିଷୟ ଉପରେ ଦୃଷ୍ଟି ଦିଆଯିବ । ଜଷ୍ଟିସ ଯାଦବ କହିଛନ୍ତି ଯେ ଯାଆଁଳା ଝିିଅ ଆବେଦନକାରୀ ଏବଂ ତାଙ୍କ ସ୍ୱାମୀଙ୍କର ଅଟନ୍ତି କାରଣ ନିର୍ଦ୍ଦେଶାବଳୀ ଅନୁଯାୟୀ ଡୋନରଙ୍କର ଶିଶୁ ଉପରେ ଆଇନଗତ ଅଧିକାର ନାହିଁ ।

Get real time updates directly on you device, subscribe now.