କ୍ୟାନ୍ସରଗ୍ରସ୍ତ ବ୍ୟକ୍ତିଙ୍କ ସ୍ପର୍ମରୁ ଜନ୍ମ ହେଲେ ୬୭ ଶିଶୁ, ୧୦ ଜଣଙ୍କୁ କ୍ୟାନ୍ସର

ମିଲାନ: ଏକ ଚିନ୍ତାଜନକ ଘଟଣାରେ ଜଣାପଡ଼ିଛି ଯେ ଜଣେ ବ୍ୟକ୍ତିଙ୍କ ସ୍ପର୍ମ, ଯାହାଠାରେ କ୍ୟାନ୍ସର ସହ ଜଡ଼ିତ ଏକ ବିରଳ ଜେନେଟିକ ତ୍ରୁଟି (TP53 Mutation) ଥିଲା, ତାହା ମାଧ୍ୟମରେ ୟୁରୋପର ୮ଟି ଦେଶରେ ୬୭ଟି ଶିଶୁ ଜନ୍ମ ନେଇଛନ୍ତି। ଏହି ଶିଶୁମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଏପର୍ଯ୍ୟନ୍ତ କ୍ୟାନସର ନିର୍ଣ୍ଣୟ ହୋଇଛି। ଏହି ଘଟଣା ସ୍ପର୍ମ ଦାନ ପ୍ରକ୍ରିୟାରେ ଅଧିକ କଡ଼ା ଜେନେଟିକ ସ୍କ୍ରିନିଂ ଏବଂ ଏକ ଦାତାଙ୍କଠାରୁ ଜନ୍ମ ନେଉଥିବା ଶିଶୁଙ୍କ ସଂଖ୍ୟା ଉପରେ ସୀମା ନିର୍ଦ୍ଧାରଣ କରିବାର ଆବଶ୍ୟକତାକୁ ଉଜାଗର କରିଛି। ଫ୍ରାନ୍ସର ରୁଏନ ବିଶ୍ୱବିଦ୍ୟାଳୟ ହସ୍ପିଟାଲର ଜୈବବିଜ୍ଞାନୀ ଡକ୍ଟର ଏଡୱିଜ କାସପର ମିଲାନରେ ଅନୁଷ୍ଠିତ ୟୁରୋପୀୟ ସୋସାଇଟି ଅଫ ହ୍ୟୁମାନ ଜେନେଟିକ୍ସର ବାର୍ଷିକ ସମ୍ମିଳନୀରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି।

ଘଟଣାର ବିବରଣୀ
୨୦୦୮ ରୁ ୨୦୧୫ ମଧ୍ୟରେ ଡେନମାର୍କର ଏକ ଘରୋଇ ସ୍ପର୍ମ ବ୍ୟାଙ୍କ ‘ୟୁରୋପୀୟ ସ୍ପର୍ମ ବ୍ୟାଙ୍କ’ ମାଧ୍ୟମରେ ଏହି ବ୍ୟକ୍ତିଙ୍କ ସ୍ପର୍ମ ୟୁରୋପର ୮ଟି ଦେଶ (ବେଲଜିୟମ, ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ଗ୍ରୀସ, ସ୍ପେନ, ସ୍ୱୀଡେନ ଓ ଯୁକ୍ତରାଜ୍ୟ)ର ୪୬ଟି ପରିବାରରେ ବ୍ୟବହୃତ ହୋଇ ୬୭ଟି ଶିଶୁଙ୍କ ଜନ୍ମ ହୋଇଛି। ଦାତାଙ୍କ ସ୍ପର୍ମରେ TP53 ଜୀନରେ ଏକ ବିରଳ ତ୍ରୁଟି ଥିବା ଜଣାପଡ଼ିଛି, ଯାହା ଲି-ଫ୍ରାଉମେନି ସିଣ୍ଡ୍ରୋମ (Li-Fraumeni Syndrome) ସୃଷ୍ଟି କରେ। ଏହି ସିଣ୍ଡ୍ରୋମ ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରକାରର କ୍ୟାନସର, ଯେପରିକି ଲ୍ୟୁକେମିଆ, ନନ-ହଜକିନ୍‌ ଲିମ୍ଫୋମା, ମସ୍ତିଷ୍କ ଟ୍ୟୁମର ଓ ହଜକିନ୍‌ ଲିମ୍ଫୋମା ଆଦିରେ ଆକ୍ରାନ୍ତ ହେବାର ସମ୍ଭାବନା ବଢ଼ାଇଥାଏ।

ଶିଶୁଙ୍କ ଉପରେ ପ୍ରଭାବ
ଏହି ୬୭ ଶିଶୁଙ୍କ ମଧ୍ୟରୁ ୨୩ ଜଣଙ୍କଠାରେ TP53 ଜୀନରେ ତ୍ରୁଟି ଥିବା ଚିହ୍ନଟ ହୋଇଛି। ଏହି ୨୩ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କୁ କ୍ୟାନସର ନିର୍ଣ୍ଣୟ ହୋଇଛି, ଯେଉଁମାନେ ବିଭିନ୍ନ ପ୍ରକାରର କ୍ୟାନସରରେ ଆକ୍ରାନ୍ତ। ବାକି ୧୩ ଜଣ ଏହି ତ୍ରୁଟି ବହନ କରୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କୁ କ୍ୟାନସର ହୋଇନାହିଁ। ଏହି ଶିଶୁମାନଙ୍କୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଆବଶ୍ୟକ, ଯେଉଁଥିରେ ସମ୍ପୂର୍ଣ୍ଣ ଶରୀର ଏମଆରଆଇ, ମସ୍ତିଷ୍କ ଏମଆରଆଇ, ପେଟର ଅଲଟ୍ରାସାଉଣ୍ଡ ଏବଂ ପ୍ରାପ୍ତବୟସ୍କଙ୍କ ପାଇଁ ସ୍ତନ ଏମଆରଆଇ ଅନ୍ତର୍ଭୁକ୍ତ। ଏହି ପରୀକ୍ଷାଗୁଡ଼ିକ ଶିଶୁମାନଙ୍କ ପାଇଁ ମାନସିକ ଓ ଶାରୀରିକ ଚାପ ସୃଷ୍ଟି କଲେ ମଧ୍ୟ, ଶୀଘ୍ର ନିର୍ଣ୍ଣୟ ଓ ଚିକିତ୍ସା ପାଇଁ ଏହା ଅତ୍ୟନ୍ତ ଜରୁରୀ। ଏହି ଶିଶୁମାନଙ୍କର ୫୦% ସମ୍ଭାବନା ରହିଛି ଯେ ସେମାନେ ଏହି ଜେନେଟିକ ତ୍ରୁଟିକୁ ନିଜ ସନ୍ତାନଙ୍କୁ ହସ୍ତାନ୍ତର କରିପାରନ୍ତି।

କିପରି ଜଣାପଡ଼ିଲା?
ଏହି ଘଟଣା ତଦନ୍ତ ଆରମ୍ଭ ହେଲା ଯେତେବେଳେ ଦୁଇଟି ପରିବାର ଅଲଗା ଅଲଗା ଭାବେ ସେମାନଙ୍କ ଶିଶୁଙ୍କୁ କ୍ୟାନସର ନିର୍ଣ୍ଣୟ ହେବା ପରେ ଫର୍ଟିଲିଟି କ୍ଲିନିକ ସହ ଯୋଗାଯୋଗ କରିଥିଲେ। ତଦନ୍ତରୁ ଜଣାପଡ଼ିଲା ଯେ ଏହି ଶିଶୁମାନେ ଏକ ବିରଳ ଜେନେଟିକ ତ୍ରୁଟି ଯୋଗୁଁ କ୍ୟାନସରରେ ଆକ୍ରାନ୍ତ। ଡକ୍ଟର କାସପରଙ୍କ ଲ୍ୟାବ ଜନସଂଖ୍ୟା ଓ ରୋଗୀ ଡାଟାବେସ, କମ୍ପ୍ୟୁଟର ପ୍ରେଡିକସନ ଟୁଲ୍ସ ଏବଂ ଫଙ୍କସନାଲ ଟ୍ରାୟଲ ଫଳାଫଳ ଆଧାରରେ ଏହି ତ୍ରୁଟିକୁ ବିଶ୍ଳେଷଣ କରି ନିଷ୍କର୍ଷରେ ପହଞ୍ଚିଥିଲେ ଯେ ଏହା କ୍ୟାନସର ସୃଷ୍ଟିକାରୀ। ତେଣୁ ଏହି ଦାତାଙ୍କଠାରୁ ଜନ୍ମିତ ଶିଶୁମାନଙ୍କୁ ଜେନେଟିକ କାଉନସେଲିଂ ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାର ପରାମର୍ଶ ଦିଆଯାଇଛି।