ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କଳା ଓ କ୍ରୀଡ଼ା ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି, ଉପକୃତ ହେବେ ୪୬୦୫ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛି ମାସ ମଧ୍ୟରେ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କର ଦରମା ବୃଦ୍ଧି ଘୋଷଣା କରାଯାଇଥିବା ବେଳେ ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ନିୟୋଜିତ ସାମୟିକ କଳା ଓ କ୍ରୀଡ଼ା ପ୍ରଶିକ୍ଷକମାନଙ୍କ ମାସିକ ପାରିଶ୍ରମିକକୁ ରାଜ୍ୟ ସରକାର ସାତ ହଜାର ଟଙ୍କାରୁ ଦଶ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ।

୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରିବା ସମୟରେ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଏନେଇ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଏହି ସମସ୍ୟା ଉପରେ ବିଚାର କରି ମୁଖ୍ୟମନ୍ତ୍ରୀ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି କଳା ଓ କ୍ରୀଡ଼ା ଶିକ୍ଷକ-ଶିକ୍ଷୟିତ୍ରୀମାନେ ୧୦ ମାସ ବଦଳରେ ବର୍ଷକୁ ୧୨ ମାସର ପାରିଶ୍ରମିକ ପାଇବେ । ସେମାନେ ମାସିକ ୨୪ଟି ପରିୟଡ ପରିବର୍ତ୍ତେ ୩୦ଟି ପିରିୟଡରେ ଶିକ୍ଷା ପ୍ରଦାନ କରିବେ । ଏହାସହିତ ଅନ୍ୟ ସରକାରୀ କର୍ମଚାରୀ ମାନଙ୍କ ପରି ମହିଳା କଳା ଓ କ୍ରୀଡା ପ୍ରଶିକ୍ଷକମାନେ ମଧ୍ୟ ଆବଶ୍ୟକସ୍ଥଳେ ମାତୃତ୍ୱ ଛୁଟି ପାଇପାରିବେ । ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତି ଫଳରେ ୪୬୦୫ ଜଣ ଶିକ୍ଷକ-ଶିକ୍ଷୟତ୍ରୀ ଉପକୃତ ହେବେ । ସୂଚନାଯୋଗ୍ୟ ଯେ, ରାଜ୍ୟର କେତେକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କ କଳା ଓ ଶାରୀରିକ ଶିକ୍ଷା ତାଲିମ ଦେବା ପାଇଁ ସାମୟିକ କଳା ଓ କ୍ରୀଡା ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି ।