ଦେଶଦ୍ରୋହୀ ଜ୍ୟୋତିଙ୍କ କାରନାମା ଉପରୁ ଉଠୁଛି ପରଦା, ଡାଏରୀରେ ଲେଖୁଥିଲେ ପାକିସ୍ତାନ ପ୍ରେମ କାହାଣୀ
ଜ୍ୟୋତିଙ୍କ ଡାଏରୀ ଜବତ । ଖୋଳତାଡ଼ ଜାରି ରଖିଛି ତଦନ୍ତକାରୀ ସଂସ୍ଥା ।
ନୂଆଦିଲ୍ଲୀ: ପାକିସ୍ତାନକୁ ଭାରତର ଗୁପ୍ତ ତଥ୍ୟ ଦେବା ନେଇ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ପୋଲିସ ଗିରଫ କରିଛି । ସ୍ୱତନ୍ତ୍ର ସନ୍ଧାନକାରୀ ଟିମ୍ ଏବେ ଜ୍ୟୋତିଙ୍କୁ ଘନ ଘନ ଜେରା କରିବାରେ ଲାଗିଛନ୍ତି ।
ହରିୟାଣା ପୋଲିସ ହାତରେ ଜ୍ୟୋତିଙ୍କ ପର୍ସନାଲ ଡାଏରୀ ଲାଗିଛି । ଯେଉଁଥିରେ ସେ ପାକିସ୍ତାନ ସମ୍ପର୍କରେ ଲେଖିଛନ୍ତି । ପାକିସ୍ତାନ ପ୍ରତି ଥିବା ତାଙ୍କର ଭଲପାଇବା ଓ ପାକିସ୍ତାନର ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରିଛନ୍ତି ।
ଜ୍ୟୋତି ଡାଏରୀରେ ଲେଖିଛନ୍ତି, ପାକିସ୍ତାନରେ ଭଲପାଇବା ଭରି ରହିଛି । ସେଠାରେ ଥିବା ସବସ୍କ୍ରାଇବରଙ୍କଠାରୁ ବହୁତ ଭଲ ପାଇବା ମିଳିଛି । ଲାହୋର ଯିବା ପାଇଁ ୨୦ ଟଙ୍କା ରିସ୍କା ଭଡ଼ା ଦେବାକୁ ପଡ଼ିଥିଲା ।
ୱାଘା ବର୍ଡରେ ମୁଁ ଇମୋଶନାଲ ହୋଇପଡ଼ିଥିଲି । ଏ ମାଟି ଉଭୟ ଦେଶ ସହିତ ଜଡ଼ିତ । ପାକିସ୍ତାନ ସରକାରଙ୍କୁ ମୋର ଏହି ପ୍ରଶ୍ନ, ସେମାନେ ଭାରତୀୟଙ୍କୁ ପାକିସ୍ତାନ ମୁକ୍ତ ଭାବେ ବୁଲିବାର ସୁବିଧା ଉପଲବ୍ଧ କରାନ୍ତୁ ।
ଯାହାଫଳରେ ଆମେ ଏଠାକୁ ଆଉଥରେ ଆସିବୁ ନିଶ୍ଚୟ । ମୁସଲମାନମାନଙ୍କୁ ଶିକ୍ଷା ଦିଆଯାଉ ଯେ, ଏଠାରେ ଥିବା ହିନ୍ଦୁ ଭାଇମାନେ ନିଜକୁ ଅସୁରକ୍ଷିତ ନ ମାନନ୍ତୁ । ଯଦି ବାହାରୁ କେହି ହିନ୍ଦୁ ଆସନ୍ତି, ତେବେ ସେମାନେ ନୀଡ଼ର ହୋଇ ଏଠାରେ ବୁଲନ୍ତୁ । ପାକିସ୍ତାନର ସଡ଼କ ଏବଂ କୋଠା ରଙ୍ଗଭରା ।
ଗତ ୧୭ ତାରିଖରେ ଜ୍ୟୋତିଙ୍କୁ ହରିୟାଣା ପୋଲିସ ଗିରଫ କରିଥିଲା । ପାକିସ୍ତାନ ଗୋଇନ୍ଦା ସଂସ୍ଥା ସହ ତାଙ୍କର ସମ୍ପର୍କ ରହିବା ସହ ଭାରତର ଗୁପ୍ତ ତଥ୍ୟ, ବିଏସଏଫ୍ ସମ୍ପର୍କରେ ସୂଚନା ଇତ୍ୟାଦି ଜ୍ୟୋତି ପାକିସ୍ତାନକୁ ଦେଉଥିବା ଅଭିଯୋଗ ହୋଇଛି ।