fbpx

ଲାଜ ବଞ୍ଚାଇଦେଲେ ରୋହିତ ଶର୍ମା: ଶ୍ରୀଲଙ୍କାକୁ ୧୭୪ ରନର ଟାର୍ଗେଟ ଦେଲା ଭାରତ

ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ର ସୁପର-୪ ମ୍ୟାଚରେ ଶ୍ରୀଲଙ୍କାକୁ ୧୭୪ ରନର ଟାର୍ଗେଟ ଦେଇଛି ଟିମ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମାଙ୍କ ଦମଦାର ୭୨ ରନର ପାଳି ଫଳରେ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚିଛି ଦଳ । ୪୧ ବଲରୁ ୭୨ ରନର ଏକ ଧୂଆଁଦାର ଇନିଂସ ଖେଳିଛନ୍ତି ରୋହିତ । କିନ୍ତୁ ପୁଣିଥରେ ଷ୍ଟାର ପ୍ଲେୟର କେ.ଏଲ ରାହୁଲ, ବିରାଟ କୋହଲି ଏବଂ ଋଷଭ ପନ୍ତ ଏହି ମ୍ୟାଚରେ ଫେଲ ମାରିଛନ୍ତି ।

ପ୍ରଥମେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଶ୍ରୀଲଙ୍କା । କିନ୍ତୁ ଭାରତର ଟପ୍ ଅର୍ଡର ସମ୍ପୂର୍ଣ୍ଣ ଫେଳ ମାରିଥିଲା । କେ.ଏଲ ରାହୁଲ ଏବଂ ବିରାଟ କୋହଲି ପୁଣିଥରେ ଦଳକୁ ନିରାଶ କରିଥିଲେ । ଏବଂ ଶସ୍ତାେ ନିଜ ୱିକେଟ ପିଙ୍ଗି ପାଭିଲିୟନ ଫେରିଥିଲେ । ଏହାପରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ମିଶି ଦଳର ସ୍କୋର ଆଗେଇ ନେଇଥିଲେ ସୁର୍ଯ୍ୟକୁମାର ଯାଦବ । ୯୭ ରନର ଏକ ବଡ ଭାଗିଦାରୀ ପରେ ପାଭିଲିୟନ ଫେରିଥିଲେ ରୋହିତ । କିନ୍ତୁ ୪୧ ବଲରୁ ସେ ୫ଟି ଚୌକା ଏବଂ ୪ ଟି ଛକା ସହ ୭୨ ରନର ଏକ ମୂଲବାନ ପାଳି ଖେଳିଥିଲେ । ସେପଟେ ସୂର୍ଯ୍ୟକୁମାର ମଧ୍ୟ ୨୯ ବଲରୁ ୩୪ ରନ ସଂଗ୍ରହ କରିଥିଲେ । ଏହି ପାଳିରେ ଗୋଟିଏ ଲେଖାଏଁ ଚୌକା ଏବଂ ଛକା ଲଗାଇଥିଲେ ସୂର୍ଯ୍ୟକୁମାର ।

ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଏତେ ବଡ ପାର୍ଟନରସିପ କରିବାରେ ସଫଳ ହୋଇ ପାରିନାହାନ୍ତି । ତେବେ ଷ୍ଟାର ପ୍ଲେୟର ଋଷଭ ପନ୍ତ ମଧ୍ୟ ପୁଣିଥରେ ନିଜକୁ ପ୍ରମାଣ କରିବାର ସୁଯୋଗ ହାତଛଡା କରିଛନ୍ତି । ଛୋଟ ଛୋଟ ବ୍ୟକ୍ତିଗତ ରନ ସହିତ ଭାରତ ୨୦ ଓଭରରେ ୮ ୱିକେଟ ହରାଇ ୧୭୩ ରନ କରିବାରେ ସକ୍ଷମ ହୋଇଛି ।

ଶ୍ରୀଲଙ୍କା ପକ୍ଷରୁ ଦିଲସାନ ମଦୁଶନାକା ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଛନ୍ତି । ତାଙ୍କ ବ୍ୟତୀତ କରୁନରତ୍ନେ ଏବଂ ଅଧିନାୟକ ଦସୁନ ଶନାକା ୨ ଟି ଲେଖାଏଁ ସଫଳତା ପାଇଥିବା ବେଳେ ଗୋଟିଏ ଶିକାର କରିଛନ୍ତି ମହୀଷ ଥିକ୍ସାନା । ଏବେ ଶ୍ରୀଲଙ୍କା ସାମନାରେ ୧୭୪ ରନର ଏକ ଟାର୍ଗେଟ ସେଟ କରିଛି ଟିମ ଇଣ୍ଡିଆ ।

Get real time updates directly on you device, subscribe now.