fbpx

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲା ASI ଟିମ୍

ପୁରୀ, (ଓଡ଼ିଶା ଭାସ୍କର) : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଦିନକୁ ଦିନ ବଢ଼ିଚାଲିଥିବା ବେଳେ ଏହାର ଅନୁଧ୍ୟାନ ପାଇଁ ଆଜି ପୁରୀରେ ପହଞ୍ଚିଛି ଏଏସଆଇ ଟିମ୍ । ଆଞ୍ଚଳିକ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ପହଞ୍ଚିଛି ଉଚ୍ଚସ୍ତରୀୟ ଟିମ୍ । ଟିମରେ ଓବିସିସି ଓ ଟାଟା ପ୍ରୋଜେକ୍ଟ କତ୍ତୃପକ୍ଷଙ୍କ ସହ ଜିଲ୍ଲାପାଳ ମଧ୍ୟ ଅଛନ୍ତି । ପ୍ରକଳ୍ପ ଅନ୍ତଭୁକ୍ତ କ’ଣ କ’ଣ ନିର୍ମାଣ ଚାଲିଛି, ସେନେଇ ଅନୁଧ୍ୟାନ କରିବ ଟିମ୍ ।

ତେବେ ଏଏସଆଇର ବିନା ଅନୁମତିରେ ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ନେଇ ବିରୋଧୀ ଅଭିଯୋଗ କରୁଥିବା ବେଳେ ଏହାକୁ ନେଇ ରାଜନୈତିକ ଝଡ଼ ଓ ତୁମ୍ବି ତୋଫାନ ଲାଗି ରହିଛି । ଏଏସଆଇର ଅନୁମତି ମିଳିନଥିବାବେଳେ କାମ କିପରି ଆଗେଇ ଚାଲିଛି ସେ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ସେଥିପାଇଁ ଏଏସଆଇର ଏକ ଟିମ୍ ପ୍ରକଳ୍ପ ଅନୁଧ୍ୟାନ କରିବା ପାଇଁ ଆଜି ପୁରୀରେ ପହଞ୍ଚିଛି । ଏଥିରେ ଏଏସ୍ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ ଖମାରୀ, ପ୍ରତ୍ନତତ୍ତ୍ୱବିଭାଗର ଅଧୀକ୍ଷକ ଅରୁଣ ମଳ୍ଲିକ ଓ ସହକାରୀ ଅଧୀକ୍ଷକ ଚିତ୍ତରଞ୍ଜନ ଦାସ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସ୍ଥିତି ପରଖିବେ । ସେମାନଙ୍କ ସହ ଓବିସିସି ଅଧୀକ୍ଷଣ ଯନ୍ତ୍ରୀ ଓ ଟାଟା ପ୍ରୋଜେକ୍ଟର ଅଧିକାରୀ ମଧ୍ୟ ସାମିଲ ଅଛନ୍ତି ।

ସେଠାରେ ପ୍ରକୃତରେ କ’ଣ ନିର୍ମାଣ ଚାଲିଛି ସେ ନେଇ ଏଏସଆଇ ଅନୁଧ୍ୟାନ କରିବ । ଏଥିସହ ନିର୍ମାଣଧୀନ ପ୍ରକଳ୍ପର ଗଭୀରତା ଓ ପ୍ରସ୍ତାବିତ ଉଚ୍ଚତା ମଧ୍ୟ ଅନୁଧ୍ୟାନ ହେବ । ଅନୁଧ୍ୟାନ ପରେ ସେଗୁଡ଼ିକ ରେକର୍ଡଭୁକ୍ତ କରାଯିବ । ଏହାପରେ ମଇ ୭ରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯିବ । ମଇ ୧୬ରେ ଏହାର ଶୁଣାଣି ହାଇକୋର୍ଟରେ ହେବାର ଥିଲା । ହେଲେ କାମ ଚାଲୁଥିବାରୁ ତ୍ୱରିତ ଶୁଣାଣି ପାଇଁ ଆବେଦନକାରୀ ନିବେଦନ କରିଥିଲେ । ତେଣୁ ମଇ ୯କୁ ଦିନ ଧାର୍ଯ୍ୟ କରାଯାଇଥିବାବେଳେ ଏହା ପୂର୍ବରୁ ମଇ ୭ରେ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.