fbpx

ନକଲି ଔଷଧ କାରବାରକୁ ରୋକିବାକୁ ରାଜ୍ୟ ସରକାର ପ୍ରସ୍ତୁତ କରିବେ ‘ଡାଟା ବ୍ୟାଙ୍କ: ରାଜ୍ୟ ଭେଷଜ ନିର୍ଦ୍ଦେଶାଳୟର ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବଢ଼ିଚାଲିଥିବା ନକଲି ଔଷଧ କାରବାର ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ଚିନ୍ତାର କାରଣ ପାଲଟିଛି । ରାଜ୍ୟ ବାହାରୁ ଓଡ଼ିଶାକୁ ନକଲି ମେଡିସିନ ଆସୁଥିବାରୁ ତାହାକୁ ରୋକିବା ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ତେବେ ନକଲି ମେଡିସନ କାରବାର ଉପରେ ରୋକ ଲଗାଇବାକୁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ।

ସୂଚନା ମୁତାବକ, ନକଲି ଔଷଧ କାରବାରକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ‘ଡାଟା ବ୍ୟାଙ୍କ’ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଏକ ସ୍ୱତନ୍ତ୍ର ସଫ୍ଟୱେୟାର ଜରିଆରେ ରାଜ୍ୟରେ କାରବାର ହେଉଥିବା ଔଷଧ ଓ କମ୍ପାନୀ ସମ୍ପର୍କିତ ସମସ୍ତ ତଥ୍ୟ ମହଜୁଦ୍ କରି ରଖାଯିବ । ଏନେଇ ଏକ ପ୍ରସ୍ତାବ ରାଜ୍ୟ ଭେଷଜ ନିର୍ଦ୍ଦେଶାଳୟ ପକ୍ଷରୁ ଦିଆଯାଇଥିବା ବେଳେ ରାଜ୍ୟ ସରକାର ସଫ୍ଟୱେୟାର ପ୍ରସ୍ତୁତ କରିବା ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଏହି ‘ଡାଟା ବ୍ୟାଙ୍କ’ ମହାରାଷ୍ଟ୍ର ସମେତ କିଛି ରାଜ୍ୟରେ କାମ କରୁଛି । ତେବେ ଏଣିକି ଘରୋଇ ଔଷଧ କମ୍ପାନୀମାନେ ରାଜ୍ୟରେ ନିଜର ଉତ୍ପାଦର ବଜାର ପ୍ରବେଶ ପୂର୍ବରୁ ସ୍ଥାନୀୟ ନିର୍ଦ୍ଦେଶାଳୟର ଅନୁମତି ନେବେ । ଫଳରେ କେଉଁ କମ୍ପାନୀର କେତୋଟି ଉତ୍ପାଦକୁ ଅନୁମତି ଦିଆଯାଇଛି ସେନେଇ ତଥ୍ୟ ମିଳିପାରିବ । ଗତ କିଛିମାସ ମଧ୍ୟରେ ରାଜ୍ୟରେ ଯେତିକି ନକଲି ଔଷଧ ଚିହ୍ନଟ ହୋଇଥିଲା ସେଥିମଧ୍ୟରୁ ଅଧିକାଂଶ ଔଷଧର ଚେର ରାଜ୍ୟ ବାହାରେ ରହିଥିଲା । ଏପରିକି ସେଥିରେ ଦିଆଯାଇଥିବା ଠିକଣା ମଧ୍ୟ ନକଲି ଥିଲା । ତେଣୁ ଏକ ସ୍ୱତନ୍ତ୍ର ସଫ୍ଟୱେୟାର ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ) କି ଅନ୍ୟ କୌଣସି ସଂସ୍ଥା ଏହି ସଫ୍ଟୱେୟାର ପ୍ରସ୍ତୁତ କରିବ ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ।

Get real time updates directly on you device, subscribe now.