fbpx

(Video) ଝିଅକୁ ୫୦ ହଜାର ଟଙ୍କାରେ ବିକ୍ରି କରୁଥିଲା ସାବତ ବାପା: ରାଜସ୍ଥାନକୁ ଚାଲାଣ ହେଉଥିଲା ନବମ ଶ୍ରେଣୀର ଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଆଧୁନିକତା ଆଳରେ ସମାଜରୁ ଭଲପାଇବା କ୍ରମେ ଦୂରେଇ ଯାଉଛି । ଏପରିକି ନିଜ ପରିବାରର ଆପଣାର ଲୋକମାନେ ମଧ୍ୟ ଧୋକ୍କା ଦେବାକୁ ପଛାଉ ନାହାନ୍ତି । କେଉଁଠି ବାପା ପୁଅକୁ ହତ୍ୟା କଲାଣି ତ କେଉଁଠି ପୁଅ ମାଆକୁ ହତ୍ୟା କରିଦେଉଛି । ସେହିପରି ଅନେକ କ୍ଷେତ୍ରରେ ନିଜ ପରିବାର ସଦସ୍ୟ ହିଁ ପରିବାରର ବର୍ବାଦୀର ମୁଖ୍ୟ କାରଣ ସାଜୁଛନ୍ତି ।

ତେବେ ଏହା ମଧ୍ୟରେ ରାଜ୍ୟର ବଲାଙ୍ଗିର ଜିଲ୍ଲାରୁ ଆସିଛି ଏକ ବଡ଼ ଖବର । ଗୋଟିଏ ନବମ ଶ୍ରେଣୀରେ ପଢ଼ୁଥିବା ଝିଅକୁ ତା’ର ସାବତ ବାପା ଦଲାଲ ହାତରେ ବିକ୍ରି କରିବାକୁ ପଛାଇ ନାହିଁ । ଝିଅର ବୟସ ୨୧ ବର୍ଷ କହି ତାକୁ ୫୦ ହଜାର ଟଙ୍କାରେ ବିକ୍ରି କରିବାକୁ ଯୋଜନା କରିଥିଲା ଏହି ପାପୀ ବାପା । ତେବେ ଦୁର୍ଭାଗ୍ୟବଶତଃ ବାପାର ସବୁ ଚାଲକୁ ଅକାମି କରିଦେଇଥିଲା ରେଳବାଇ ପୋଲିସ ।

ସୂଚନା ମୁତବାକ, ବଲାଙ୍ଗିର ଜିଲ୍ଲାରେ ଜଣେ ସାବତ ବାପା ତାଙ୍କର ନାବାଳିକା ଝିଅକୁ ଦଲାଲ ହାତରେ ବିକ୍ରି କରିବାକୁ ବସିଥିଲା । ସନ୍ଦେହରେ ଲୋକମାନେ ତାକୁ ମାଡ଼ି ବସିଥିଲେ । ଏହି ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଅଟକି ରଖିଛି । ବାପା ଝିଅର ବୟସକୁ ଲୁଚାଇ ଦଲାଲକୁ ଟେକି ଦେଉଥିବା ନେଇ ଅଭିଯୁକ୍ତମାନେ ବୟାନ ଦେଇଛନ୍ତି । ନାବାଳିକାକୁ ରାଜସ୍ଥାନର ଦଲାଲଙ୍କୁ ବିକ୍ରି କରିବାକୁ ହୋଇଥିଲା ଯୋଜନା । ସେଥିପାଇଁ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଝିଅକୁ ନବବଧୂ ବେଶରେ ମଧ୍ୟ ସଜେଇ ଦେଇଥିଲା ପାପୀ ସାବତ ବାପା । ତେବେ ଦଲାଲ ନାବାଳିକାକୁ ପାଟଣାଗଡ଼ରୁ କଣ୍ଟାବାଞ୍ଜି ରେଳ ଷ୍ଟେସନକୁ ଆଣିବା ସମୟରେ କିଛି ଲୋକ ସନ୍ଦେହ କରିଥିଲେ । ପରେ ଖବର ପାଇ ପୋଲିସ ଦଲାଲମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରି ସେମାନଙ୍କଠାରୁ ସବୁ ତଥ୍ୟ ହାସଲ କରିଥିଲା । ତେବେ ପୂର୍ବରୁ ମଧ୍ୟ ଉକ୍ତ ଅଞ୍ଚଳରୁ ଅନେକ ଯୁବତୀ ଓ ନାବାଳିକାଙ୍କୁ ରାଜସ୍ଥାନକୁ ଚାଲାଣ କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.