fbpx

(Video) ଡିଲରଙ୍କୁ କଡା ତାଗିଦ: ଲୋକଙ୍କୁ କମ୍ ରାସନ ଦେଲେ ନିଆଯିବ ଆକ୍ସନ, ଖାଉଟିଙ୍କୁ ଖରାପ ବ୍ୟବହାର କଲେ ଶାସ୍ତି

ଓଡ଼ିଶା ଭାସ୍କର: ରାଜ୍ୟରେ ରାସନ୍ ଡିଲରମାନଙ୍କର ଏକଛତ୍ରବାଦୀ ଶାସନ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ଦାୟିତ୍ୱ ମିଳିଥିବାରୁ ସାଧାରଣ ଜନତା ଏବଂ ଖାଉଟିଙ୍କୁ ଅସଦାଚରଣ କରୁଥିବା ମଧ୍ୟ ଅଭିଯୋଗ ହେଉଛି । ଦୁର୍ନୀତିର ଚେର ଚାରିଆଡେ ମାଡି ଯାଇଥିବା ବେଳେ ଡିଲର ପଦବୀରେ ବସି ଗରିବଙ୍କ ଅଧିକାରକୁ ଲୁଟ କରୁଥିବା ଆଲୋଚନା ହେଉଛି । ତେବେ ଏ ନେଇ ବାରମ୍ବାର ଅଭିଯୋଗ ହେବା ପରେ ଏବେ ଆକ୍ସନ ମୋଡକୁ ଆସିଛନ୍ତି ରାଜ୍ୟ ସରକାର । ଡିଲରମାନଙ୍କୁ ତାଗିଦ କରିବା ସହ ସତର୍କ ରହିବା ପାଇଁ ପୂର୍ବ ସଂକେତ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ଏଣିକି ଏଭଳି ଅଭିଯୋଗ ଆସିଲେ ସମ୍ପୃକ୍ତ ଡିଲରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

ଗରିବ ଖଟିଖିଆ ଲୋକଙ୍କୁ ଠକି ସେମାନଙ୍କ ପ୍ରାପ୍ୟକୁ ହରମଚାଲ୍ କରୁଛନ୍ତି ରାସନ୍ କାର୍ଡ ଡିଲର । କମ୍ ପରିମାଣର ରାସନ୍ ଦେଇ ଲୋକମାନଙ୍କୁ ଠକୁଛନ୍ତି । ତେବେ ଏହାକୁ ବିରୋଧ କଲେ କିମ୍ବା ଅଭିଯୋଗ କଲେ ଦୁର୍ବ୍ୟବହାର ଏବଂ ଗାଳି ଗୁଲଜ ସାଙ୍ଗକୁ ହାତ ଉଠାଇବାକୁ ବି ପଛାଉ ନାହାଁନ୍ତି । ଯାହାକୁ ନେଇ ବିଗତ ବର୍ଷରେ ଅଭିଯୋଗର ଲମ୍ବା ଫର୍ଦ୍ଦ ରହିଥିଲେ ବି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିଲା । ଆଉ ସେ ମନମୁଖୀ ଶାସନ ଚଳିବନି । ଏବେ ଏଭଳି ଅଭିଯୋଗକୁ ଗୁରୁତର ସହ ନିଆଯିବ ଏବଂ ଏହା ଉପରେ କନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେମାନଙ୍କୁ ତାଗିଦ କରାଯାଇଛି ।

ଡିଲରଙ୍କୁ ମନ୍ତ୍ରୀଙ୍କ ଚରମବାଣୀ । ଖାଉଟିଙ୍କୁ ଭଲ ବ୍ୟବହାର ନକଲେ ହେବ କାର୍ୟ୍ୟାନୁଷ୍ଠାନ । ରାସନ୍ ପରିମାଣ କମ ହେଲେ ଡିଲରଙ୍କୁ ହେବ ଜେଲ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, ଡିଲରମାନଙ୍କ ବିରୋଧରେ ଅନେକ ଅଭିଯୋଗ ରହିଛି । ୨୪ ବର୍ଷ ହେଲାଣି ସେମାନେ ଡ଼ିଲର ହୋଇ ଅଏସ କରୁଛନ୍ତି । ସେମାନେ ପୂର୍ବର ଥିବା ବସ୍ ପାଇଁ ଏମିତି ବ୍ୟବହାର କରୁଛନ୍ତି । ତାଙ୍କର ସେ ବସ୍ ଆଉ ନାହାନ୍ତି । ଯେଉଁ ଡିଲରଙ୍କ ବିରୋଧରେ ଅଭିଯୋଗ ଆସିବ ତାଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ହେବ । ତାଙ୍କୁ ବାହାର କରି ନୂଆ ଡିଲର ଦିଆଯିବ । ଆମେ ଚାହୁଁଛୁ ଭଲ ଖାଉଟିଙ୍କୁ ବ୍ୟବହାର ସହ କ୍ୱାଲିଟି ଓ କ୍ୱାଣ୍ଟିଟି ରହୁ । ପରିମାଣ କମ ରହିଲେ କଞ୍ଜ୍ୟୁମର ଆକ୍ଟ ଆନୁସାରେ କାର୍ୟ୍ୟାନୁଷ୍ଠାନ ହେବ । ସେମାନଙ୍କୁ ଫାଇନ ସହ ଜେଲ ମଧ୍ୟ ହୋଇପାରେ ବୋଲି କହିଛନ୍ତି ମନ୍ତ୍ରୀ ।

Get real time updates directly on you device, subscribe now.