fbpx

ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦାବି: ୧୦ରେ ବିଧାନସଭା ଘେରିବ ଛାତ୍ର କଂଗ୍ରେସ

Advertisement

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ମଙ୍ଗଳବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଭୁବନେଶ୍ୱରରେ ଏବଂ ରାଜ୍ୟବ୍ୟାପି ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଏବଂ ହତ୍ୟାକାରୀ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ଗିରଫ ଦାବିରେ ଛାତ୍ର କଂଗ୍ରେସ କ୍ରମାଗତ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରିଆସୁଛି । ସରକାର ପୋଲିସ ବଳ ପ୍ରୟୋଗ କରି ଛାତ୍ର କଂଗ୍ରେସର କଣ୍ଠରୋଧ କରିବାପାଇଁ ଅପଚେଷ୍ଟା କରିଆସୁଛନ୍ତି । ମାତ୍ର ଏହି ଅଗଣତାନ୍ତ୍ରିକ ପଦକ୍ଷେପକୁ ଛାତ୍ର କଂଗ୍ରେସ ଭୃକ୍ଷେପ କରିନାହିଁ ବରଂ ଜେଲ ଯିବାକୁ ପସନ୍ଦ କରିଛି । ଅନେକ ସ୍ଥାନରେ ପୋଲିସ୍‌ ଉପସ୍ଥିତିରେ ଛାତ୍ର କଂଗ୍ରେସର କର୍ମକର୍ତ୍ତାଙ୍କୁ ବିଜେଡ଼ି ଗୁଣ୍ଡାମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି ଏବଂ ପୋଲିସ ନିରବ ରହିଛି ।

ବିଧାନସଭାରେ ମମିତା ମେହେର ଆଲୋଚନା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଡରୁଛନ୍ତି । ଯଦି ମନ୍ତ୍ରୀ ଦିବ୍ୟଶଙ୍କରଙ୍କର ସଂପୃକ୍ତି ନାହିଁ ତେବେ ଏହାର ଉପରେ ବିଧାନସଭାରେ ଆଲୋଚନା କଲେ କ୍ଷତି କ’ଣ ? ମାମଲାର ଅପରାଧିକ ଷଡ଼ଯନ୍ତ୍ରର କୌଣସି ତଦନ୍ତ ପୋଲିସ କରୁନାହିଁ । କଲେଜରେ ଯୌନ କେଳେଙ୍କାରୀ ବାବଦରେ ତଦନ୍ତ ହେଉନାହିଁ । ମୁଖ୍ୟ ଅଭିଯୁକ୍ତ ଦିବ୍ୟଶଙ୍କର ମିଶ୍ରଙ୍କୁ ଖସାଇବା ପାଇଁ ଗୃହ ବିଭାଗ କାର୍ଯ୍ୟରେ ଲାଗିଛି । ବିରୋଧି ଦଳଙ୍କୁ ପ୍ରମାଣ ଯୋଗାଡ଼ କରିବା ପାଇଁ କୁହାଯାଉଛି । ଏହି ପ୍ରସଙ୍ଗରେ ଆସନ୍ତା ୧୦ ତାରିଖ ଦିନ ୧୧ ଘଣ୍ଟା ସମୟରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ ରଜତ ଚୌଧୁରୀ ଅଂଶଗ୍ରହଣ କରି କହିଥିଲେ ଯେ ଅପରାଧର ତଦନ୍ତ ପାଇଁ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଫଳଶୂନ୍ୟ । ଏହି ସାମ୍ବାଦିକ ସମ୍ମିଳନୀରେ ଅଜୟ ସାହୁ, ଆଦିତ୍ୟ ପ୍ରିତମ ଦାସ, ବିକାଶ ପଶୁପାଳକ, ବିଶ୍ୱଭୂଷଣ ଦାସ ଅଂଶଗ୍ରହଣ କରିଥିଲେ ।

Get real time updates directly on you device, subscribe now.