fbpx

ଆସାମ ବୋର୍ଡ ପରୀକ୍ଷା: ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ ପାଇଁ ଛାତ୍ରଛାତ୍ରୀଙ୍କ ଦାବି

ନୂଆଦିଲ୍ଲୀ: ଆସାମରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷାକୁ ନେଇ ଲାଗିରହିଛି ଦ୍ୱନ୍ଦ । ଏହି ପରିପ୍ରେକ୍ଷୀରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ୍ କାରିବାକୁ ରବିବାର ଦିନ ହଜାର ହଜାର ଛାତ୍ର ଟ୍ୱିଟରରେ ଏକ କ୍ୟାମ୍ପେନ ଆରମ୍ଭ କରିଥିଲେ । ତେବେ ସରକାର ଏହା ଉପରେ ଖୁବଶୀଘ୍ର ଏକ ବୈଠକ କରିବା ନେଇ ସୂଚନା ଦେଇଛନ୍ତି ।

ଆସାମରେ ପୂର୍ବରୁ ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମେ ୧୧ରେ ହେବାକୁଥିଲା । କିନ୍ତୁ ମେ ୪ ତାରିଖରେ ସରକାର କରୋନାର ବଢୁଥିବା ମାମଲାକୁ ଦେଖି ପରୀକ୍ଷାକୁ ସ୍ଥଗିତ ରଖିଥିଲେ ଏବଂ ଖୁବଶୀଘ୍ର ପରୀକ୍ଷା ତାରିଖ ଘୋଷଣା କରିବା ନେଇ ଘୋଷଣା କରିଥିଲେ । ସେପଟେ ଦେଶର ଅନ୍ୟ ବୋର୍ଡମାନେ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଆସାମ ରାଜ୍ୟ ସରକାର ପରୀକ୍ଷାକୁ ନିଷ୍ପତ୍ତିରେ ବିଳମ୍ବ କରୁଥିବାରୁୁ ଛାତ୍ରଛାତ୍ରମାନେ ସୋସିଆଲ ମିଡିଆରେ ପରୀକ୍ଷା ବାତିଲ କରିବାକୁ ନେଇ ଏକ କ୍ୟାମ୍ପେନ ଆରମ୍ଭ କରିଛନ୍ତି । ଛାତ୍ରଛାତ୍ରୀମାନେ ଏଭଳି କରୋନା ପରିସ୍ଥିତିରେ ପରୀକ୍ଷା ନକରି ବାତିଲ କରିବା ପାଇଁ #Cancel #CancelAssamBoardExams ହ୍ୟାଶଟ୍ୟାଗକୁ ନେଇ ଟ୍ୱିଟ କରୁଛନ୍ତି ।

ସୋମବାର ଛାତ୍ର କଂଗ୍ରେସ ସଂଗଠନ, ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ ଇଣ୍ଡିଆ, ଆସାମର ସଦସ୍ୟମାନେ ପିପିଇ କିଟ ପିନ୍ଧି ଡେପୁଟି କମିଶନରଙ୍କ ଅଫିସ ସମ୍ମୁଖରେ ଆନ୍ଦୋଳନ କରିଥିଲେ ଏବଂ ପରୀକ୍ଷା ବାତିଲ କରିବାକୁ ଦାବି କରିଥିଲେ । ଆସାମ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଏମପି ରିପୁନ ବୋରା ପରୀକ୍ଷା ସମ୍ପର୍କରେ ଖୁବ ଶୀଘ୍ର ଏବଂ ଏକ ସ୍ଥାୟୀ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଏକ ଚିଠି ଲେଖିଛନ୍ତି ।

ତେବେ ପୂର୍ବରୁ ସ୍ଥାନୀୟ ଗଣମାଧ୍ୟମକୁ ସୂଚନା ଦେଇ ଶିକ୍ଷାମନ୍ତ୍ରୀ ଡ. ରନୋଜ ପେଗୁ କହିଥିଲେ ଯେ “ସରକାର ପରୀକ୍ଷା କରିବାକୁ ଇଚ୍ଛୁକ । କିନ୍ତୁ ପରୀକ୍ଷା ଦେବାକୁ ଅନେକ ଅନିୟମିତ ପିଲା ଅଛନ୍ତି । ତେଣୁ ଏଭଳି କ୍ଷେତ୍ରରେ କିପରି ଆଭ୍ୟନ୍ତରୀଣ ଭାବରେ ମୂଲ୍ୟାଙ୍କନ କରାଯାଇପାରିବ ?” ତେଣୁ ସ୍ଥିତି ସ୍ୱାଭାବିକ ହେବା ପରେ ପରୀକ୍ଷା ହେବା ନେଇ ସେ କହିଥିଲେ । ସେ ଆହୁରି କହିଥିଲେ ବୋର୍ଡ ପରୀକ୍ଷା ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯେଉଁମାନେ କେବେବି ପ୍ରତିଯୋଗିତାମୂଳକ ପରୀକ୍ଷାରେ ବସିନାହାନ୍ତି । ଯେଉଁମାନେ ପ୍ରତିଯୋଗିତା ମୂଳକ ପରୀକ୍ଷା ଦେଇଛନ୍ତି ସେମାନେ ଜାଣିଛନ୍ତି କେଉଁଠାରେ ପଢିବାକୁ ହେବ । କିନ୍ତୁ ସମସ୍ତେ ଏଭଳି ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇନାହାନ୍ତି । ସେ କହିଥିଲେ ଯେତେବେଳେ ପରୀକ୍ଷା ହେବ ସେମାନେ ଏକ ପରିବର୍ତ୍ତିତ ଫର୍ମାଟରେ ପରୀକ୍ଷା ଦେବେ ।

ପ୍ରାଥମିକ ତଥା ମାଧ୍ୟମିକ ଶିକ୍ଷା ବିଭାଗର ମୁଖ୍ୟ ସଚିବ ବି କଲ୍ୟାଣ ଚକ୍ରବର୍ତ୍ତୀ କହିଛନ୍ତି ଆସାମ ସରକାର ‘ପରୀକ୍ଷା ପରିଚାଳନା ସପକ୍ଷରେ ଅଛନ୍ତି କିନ୍ତୁ ପରୀକ୍ଷା ପାଇଁ ବିଷୟ କମାଯାଇପାରେ । ସରକାରଙ୍କ ପ୍ରାଥମିକତା ହେଉଛି ଛାତ୍ରଛାତ୍ରୀଙ୍କ ସୁରକ୍ଷା । ଆମେ ନିଶ୍ଚିତ କରିବାକୁ ଚେଷ୍ଟା କରୁଛୁ ଯେ ସମସ୍ତ ଶିକ୍ଷକଙ୍କୁ ଟିକାକରଣ କରାଯିବ ଏବଂ ପିଲାମାନଙ୍କ ମଧ୍ୟ ଟିକାକରଣ କରାଯିବ ସଥିପ୍ରତି ମଧ୍ୟ ଧ୍ୟାନ ଦେଉଛୁ ।’

Get real time updates directly on you device, subscribe now.