fbpx

‘ଛାତ୍ର ସଂସଦ ନିବାଚନ ବାତିଲ; ଗଣତନ୍ତ୍ରର ଭ୍ରୂଣ ହତ୍ୟା’

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଲଗାତର ୪ର୍ଥ ପାଇଁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ୍ ପାଇଁ ସରକାରଙ୍କ ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ । ଏହା ସଂସଦୀୟ ଗଣତନ୍ତ୍ରର ଭ୍ରୁଣ ହତ୍ୟା ବୋଲି ଏ.ଆଇ.ଏସ୍.ଏଫ୍. ପକ୍ଷରୁ କୁହାଯାଇଛି । ପ୍ରାକ୍ ସ୍ୱାଧୀନତା କାଳରେ ଛାତ୍ର ଆନ୍ଦୋଳନକୁ ଲକ୍ଷ୍ୟ ରଖି ଛାତ୍ର ସଂସଦ ଗଠନ ପାଇଁ ବ୍ରିଟିଶ୍ ସରକାର ସମ୍ମତ ହୋଇଥିଲେ ସୁଦ୍ଧା ସ୍ୱାଧୀନ ଭାରତରେ ଏହା ସଂସଦୀୟ ଗଣତନ୍ତ୍ରର ପାଠଶାଳା ଭାବେ କାର୍ଯ୍ୟକାରୀ ହେଲା । ଏପରିକି ଛାତ୍ର ସଂସଦମାନେ ସଂସଦୀୟ ଗଣତନ୍ତ୍ର ସମ୍ପର୍କରେ ସବିଶେଷ ଅବଧାରଣା ପାଇଁ ମକ୍ ପାର୍ଲାମେଣ୍ଟ କରାଇଥାଏ । ବିଗତ କିଛିବର୍ଷ ଧରି ଛାତ୍ର ନିର୍ବାଚନ ବନ୍ଦ କରାଇବା ଓ ଛାତ୍ର ସଂସଦର ଅସ୍ଥିତ୍ୱକୁ ଲୋପ୍ କରାଇବା କାର୍ଯ୍ୟରେ ସରକାର ବ୍ୟସ୍ତ ଅଛନ୍ତି ।
ସମ୍ପ୍ରତି ଓଡ଼ିଶାର ଶିକ୍ଷାମନ୍ତ୍ରୀ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟାରୁ ରାଜ୍ୟ ରାଜନୀତିରେ ପ୍ରମୁଖ ଭୂମିକାକୁ ଆସିଥିବା ବେଳେ ସମାଜର ଭବିଷ୍ୟତ ରୂପକାର ଛାତ୍ର ସମାଜକୁ ଏହି ସୁଯୋଗରୁ ବଞ୍ଚିତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଜାତୀୟ ଶିକ୍ଷାନୀତି ୨୦୨୦ରେ ଛାତ୍ର ସଂସଦ ଗଠନ ସମ୍ପର୍କରେ କୌଣସି ବ୍ୟବସ୍ଥା ନଥିବା ବେଳେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ରେ ବିଶ୍ୱବିଦ୍ୟାଳୟ ପରିଚାଳନାରେ ଛାତ୍ର ପ୍ରତିନିଧିତ୍ୱ ବ୍ୟବସ୍ଥାକୁ ଲୋପ କରିବା ଉଭୟ ସରକାରଙ୍କ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଧ୍ୱଂସ କରିବାର ସୁପରିକଳ୍ପିତ ଷଡ଼ଯନ୍ତ୍ର । ଛାତ୍ର ସମାଜ ବିରୋଧି ଏହି ନିଷ୍ପତ୍ତିର ପୁନର୍ବିଚାର ନ କଲେ ଛାତ୍ର ସମାଜ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ଏ.ଆଇ.ଏସ୍.ଏଫ୍ ପକ୍ଷରୁ ରାଜ୍ୟ ସଭାପତି ସଂଘମିତ୍ରା ଜେନା ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.