fbpx

ରାଜଧାନୀରେ ଅଭାବନୀୟ ଘଟଣା: ମୁକୁଳା ଡ୍ରେନ୍‌ରେ ପଡି ଭାସିଗଲେ ଦଶମ ଶ୍ରେଣୀର ଛାତ୍ର, ମିଳୁନି ପତ୍ତା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜଧାନୀ ଭୁବନେଶ୍ୱରରେ ରବିବାର ଘଟିଛି ଏକ ଅଭାବନୀୟ ଘଟଣା । ଘରୁ ବାହାରି ସାଇକେଲ୍‌ରେ ଟ୍ୟୁସନ୍‌ ଯାଉଥିବା ବେଳେ ଡ୍ରେନ୍‌ରେ ଭାସିଯାଇ ନିଖୋଜ ଅଛନ୍ତି ଜଣେ ଦଶମ ଶ୍ରେଣୀର ଛାତ୍ର । ଏଭଳି ଘଟଣା ଘଟିଛି ଶିରିୁର ଶତାଦ୍ଦୀନଗର ବ୍ୟାଙ୍କ କଲୋନୀ ଅଞ୍ଚଳରେ । ରବିବାର ଦ୍ୱି୍ରହର ପ୍ରାୟ ୩ଟା ବେଳେ ବରମୁଣ୍ଡା ପାଲାମଣ୍ଡପସ୍ଥିତ ନିଜ ଘରୁ ବାହାରି ସାଇକେଲ୍‌ରେ ଶତାଦ୍ଦୀ ନଗର ଟ୍ୟୁସନ୍‌ ଯାଉଥିଲେ ୧୫ ବର୍ଷୀୟ ଦଶମ ଛାତ୍ର ଜ୍ୟୋତିର୍ମୟ ବେହେରା । ତେବେ ଶତାଦ୍ଦୀନଗରରେ ବର୍ଷା ପାଣି ଜମିଥିବାରୁ ଛାତ୍ର ଜଣକ ସାଇକେଲ ସହ ନାଳମଧ୍ୟକୁ ଖସି ଯାଇଥିବା ଅନୁମାନ କରାଯାଉଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ହଠାତ୍‌ ଛାତ୍ରଜଣକ ସାଇକେଲ୍‌ ସହ ନାଳ ମଧ୍ୟକୁ ଖସି ପଡ଼ିଥିଲେ । ସ୍ଥାନୀୟ ଅଞ୍ଚଳର କିଛି ଲୋକ ଦୌଡ଼ି ଆସି ନାଳରେ ପଶି ଖୋଜାଖୋଜି କରିଥିଲେ ମଧ୍ୟ ଜ୍ୟୋତିର୍ମୟଙ୍କୁ ଠାବ କରିପାରି ନଥିଲେ । ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀର ସଦସ୍ୟମାନେ ପହଞ୍ଚି ଡ୍ରେନ୍‌ରେ ଖୋଜାଖୋଜି ଚଳାଇଥିଲେ ମଧ୍ୟ ରବିବାର ରାତି ସୁଦ୍ଧା ଛାତ୍ରଙ୍କ କୌଣସି ପତ୍ତା ମିଳିପାରି ନାହିଁ । ଘଟଣାକୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ନିଖୋଜ ଛାତ୍ର ଜ୍ୟୋତିର୍ମୟ ବେହେରାଙ୍କ ପରିବାର ସଦସ୍ୟ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ତେବେ ଏତେ ବଡ଼ ଘଟଣା କିପରି ଘଟିଲା ତାହା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ମୁକୁଳା ଡ୍ରେନ୍‌ ଯୋଗୁ ୨୦୧୯ରେ ନୂଆପଲ୍ଲୀ ଥାନା ଅଧୀନ ସାଲିଆସାହି ଏକାମ୍ରଭିଲ୍ଲା ଛକରେ ଘଟିଥିଲା ଅଘଟଣ । ଅସରାଏ ବର୍ଷାରେ ମୁକୁଳା ଡ୍ରେନ୍‌ରେ ଭାସି ଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା । କୌଣସି ପରିସ୍ଥିତିରେ ଡ୍ରେନ୍‌ ମୁକୁଳା ରଖାଯାଇପାରିବ ନାହିଁ । ସମସ୍ତ ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଇବା ବାଧ୍ୟତାମୂଳକ ହୋଇଥିଲେ ବି ରାଜଧାନୀ ଭୁବନେଶ୍ୱରରେ ସୁପ୍ରିମକୋର୍ଟଙ୍କ ଏହି ଗାଇଡ୍‌ଲାଇନକୁ ବିଏମ୍‌ସି ଖୋଲାଖୋଲି ଉଲ୍ଲଂଘନ କରିଚାଲିଛି ।

ସ୍ମାର୍ଟ ସିଟିରେ ବାରମ୍ବାର ଏଭଳି ଘଟଣା ଘଟିବା ପ୍ରଶାସନର ପାରିବାପଣିଆକୁ ପୁଣିଥରେ ପଦାରେ ପକାଇଛି । ୨୦୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଏମ୍‌ସିକୁ ଏକ ହଜାର କୋଟି ପ୍ରଦାନ କରିଥିଲେ ଡ୍ରେନେଜ୍‌ ସମସ୍ୟା ସମାଧାନ କରିବାକୁ । କିନ୍ତୁ ଏହି ସମସ୍ୟାର ସମାଧାନ ହୋଇପାରୁନି । ଅନ୍ୟପଟେ ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣାରେ ଉତ୍ତେଜନା ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବିଏମ୍‌ସିର କାମରେ ଅସନ୍ତୋଷ ଜାହିର କରି ଛାତ୍ର କଂଗ୍ରେସ ଧାରଣା ଆରମ୍ଭ କରିଦେଇଛି । ଛାତ୍ର କଂଗ୍ରେସ ସହ ଜଟଣୀ ବିଧାୟକ ସୁର ରାଉତରାୟ ମଧ୍ୟ ଧାରଣାରେ ବସିଛନ୍ତି । ନିଖୋଜ ଛାତ୍ରଙ୍କୁ ତୁରନ୍ତ ଖୋଜିବାକୁ ଦାବି କରିଛନ୍ତି ଛାତ୍ର କଂଗ୍ରେସ । ସେହିପରି ସୁର ରାଉତରାୟ ମଧ୍ୟ ଏନେଇ ସରକାରଙ୍କୁ ଦୋଷ ଦେଇ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୧ହଜାର କୋଟି କାହିଁକି ଠିକ୍‌ଭାବେ କାମରେ ଲାଗିପାରି ନାହିଁ । ଏଥିପାଇଁ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.