fbpx
BSKY SKY
BSKY SKY

ସ୍କୁଲରେ ଭଲ ପ୍ରଦର୍ଶନ କଲେ ଛାତ୍ର-ଛାତ୍ରୀ, ପୁରସ୍କାର ଭାବେ ମିଳିଲା ଘୁଷୁରି ଛୁଆ 

BSKY

ନୂଆଦିଲ୍ଲୀ: ସ୍କୁଲରେ ପିଲାମାନେ ଯଦି ପାଠପଢାରେ ଭଲ ପ୍ରଦର୍ଶନ କରନ୍ତି ତେବେ ସେମାନଙ୍କର ଉତ୍ସାହ ବଢାଇବା ପାଇଁ ସେମାନଙ୍କୁ ମାନପତ୍ର କିମ୍ବା ଅନ୍ୟ କୌଣସି ସାମଗ୍ରୀ ଦେଇ ପୁରସ୍କୃତ କରାଯାଏ। ଏପରିକି ମେଡାଲ୍ ମଧ୍ୟ ପ୍ରଦାନ କରାଯାଏ। କିନ୍ତୁ ଆପଣ କେବେ କଣ ଶୁଣିଛନ୍ତି କିମ୍ବା ଜାଣିଛନ୍ତି କି, ସ୍କୁଲରେ ପିଲାମାନଙ୍କୁ ଭଲ ପ୍ରଦର୍ଶନ କଲେ ପୁରସ୍କାରସ୍ଵରୂପ ଘୁଷୁରି ଛୁଆ ଦିଆଯାଉଛି। ଆଉ ଏମିତି ମାମଲା ଚୀନରେ ଦେଖିବାକୁ ମିଳିଛି। ଏସବୁ ଚୀନର ଏକ ପ୍ରାଥମିକ ସ୍କୁଲରେ ଘଟିଛି। ଏହାକୁ ନେଇ ସାରା ଦୁନିଆରୁ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ଏହି ମାମଲା ଚୀନର ଲିଲିୟାଙ୍ଗ କାଉଣ୍ଟି ସ୍ଥିତ ଶିୟାଙ୍ଗୟାଙ୍ଗ ଏଲିମେଣ୍ଟ୍ରି ସ୍କୁଲର। ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟର ଏକ ଅନଲାଇନ୍ ରିପୋର୍ଟ ଅନୁଯାୟୀ, ଏହି ସ୍କୁଲରେ କିଛି ପିଲା ଭଲପାଠ ପଢି ଭଲ ନମ୍ବର ରଖିଛନ୍ତି। ଯେବେ ଏହି ପିଲାମାନଙ୍କୁ ସମ୍ମାନିତ କରିବାର  ସମୟ ଆସିଲା, ତେବେ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କୁ ଅଜବ ପୁରସ୍କାର ଦେଇଛନ୍ତି।

ରିପୋର୍ଟ ମୁତାବକ, ଏହି ସ୍କୁଲର ପ୍ରାୟ ୨୦ ଛାତ୍ର-ଛାତ୍ରୀଙ୍କୁ ଭଲ ପ୍ରଦର୍ଶନ କରିଥିବା କାରଣରୁ ସମ୍ମାନିତ କରାଯାଇଛି। ସମ୍ମାନ ସମାରୋହରେ ଛାତ୍ର-ଛାତ୍ରୀଙ୍କ ବାପା-ମାଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଥିଲା। ସ୍କୁଲ ପ୍ରଶାସନ ଜଣେ ଛାତ୍ରଙ୍କୁ ପୁରସ୍କାର ସ୍ଵରୂପ ଏକ ଘୁଷୁରି ଛୁଆ ପ୍ରଦାନ କରିଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ଏହା ପଛର ଉଦ୍ଦେଶ୍ୟ ପିଲାଙ୍କୁ ପାଠପଢାରେ ପ୍ରୋତ୍ସାହିତ କରିବା ଏବଂ ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ପୁନର୍ଜୀବିତ କରିବାର ଅଛି।

କେବଳ ଏତିକି ନୁହେଁ ସ୍କୁଲ ଶିକ୍ଷକଙ୍କ ମତରେ ଘୁଷୁରି କେବଳ ଛାତ୍ର-ଛାତ୍ରୀଙ୍କୁ ନୁହେଁ ତାଙ୍କ ପରିବାରକୁ ମଧ୍ୟ ପ୍ରୋତ୍ସାହିତ କରିବା ପାଇଁ ଦିଆଯାଇଛି। ଏହାର ତୁରନ୍ତ ଫାଇଦା ତ ମିଳିବ ନାହିଁ, ମାତ୍ର ଭବିଷ୍ୟତରେ ଏହି ପଶୁ ପରିବାର ପାଇଁ ବେଶ ଫାଇଦା ହେ ବ। ଚୀନର ସାମାଜିକ ଗଣମାଧ୍ୟମରେ ପିଲାମାନଙ୍କୁ ଫୁଳମାଳ ପିନ୍ଧା ଯାଇଥିବାର ଫଟୋ ମଧ୍ୟ ଭାଇରାଲ୍ ହୋଇଛି। ଏଥିରେ ପିଲାମାନେ ଘୁଷୁରୀ ସହ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି।

Get real time updates directly on you device, subscribe now.