fbpx

IPL ରେ ୧୧ ନୁହେଁ ଖେଳିପାରିବେ ୧୫ ଖେଳାଳି ! BCCI ଆଣୁଛି ଏହି ନୂଆ ନିୟମ…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏବେ ଏକ ନୂଆ ନିୟମ ଆଣିବାକୁ ପ୍ରସ୍ତୁତି କରୁଛି । ଯଦି ଏହି ନିୟମ ଲାଗୁହେଉଛି ତେବେ ମ୍ୟାଚରେ ୧୧ ବଦଳରେ ୧୫ ଖେଳାଳିଙ୍କୁ ଖେଳିବାକୁ ଯୋଗ୍ୟ ହେବେ । ଏହି ନିୟମକୁ ‘ଇମ୍ପାକ୍ଟ ପ୍ଲେୟାର’ ନାମ ଦିଆଯାଇପାରେ । ନିୟମର ଟେଷ୍ଟିଂ ପାଇଁ ସର୍ବପ୍ରଥମେ ଘରୋଇ କ୍ରିକେଟ୍ ରେ ଏହି ନିୟମ ଲାଗୁ କରାଯିବ । ଏହି ପରିପ୍ରେକ୍ଷୀରେ ବିସିସିଆଇ ସବୁଠୁ ପ୍ରଥମେ ୧୧ ଅକ୍ଟୋବରରେ ଆରମ୍ଭ ହୋଇଥିବା ଟି ୨୦ ସୟୈଦ ମୁଶ୍ତାଫ ଅଲୀ ଟ୍ରଫି ଠାରୁ ଏହି ନୂଆ ନିୟମ ଲାଗୁ କରିପାରେ ।

ଘରୋଇ କ୍ରିକେଟରେ ଟେଷ୍ଟିଂ ପରେ ଏହି ‘ଇମ୍ପାକ୍ଟ ପ୍ଲେୟାର’ ନିୟମକୁ ଆଗାମୀ ବର୍ଷଠାରୁ ହେବାକୁ ଥିବା ଆଇପିଏଲ ୨୦୨୩ ସିଜିନ ଠାରୁ ଆରମ୍ଭ ହୋଇପାରେ । ଏଭଳି ନିୟମ ଅଷ୍ଟ୍ରେଲିଆ ଟୁର୍ଣ୍ଣାମେଣ୍ଟ ବିଗ୍ ବ୍ୟାଶ୍ ଲିଗରେ ମଧ୍ୟ ‘ଏକ୍ସ ଫ୍ୟାକ୍ଟର’ ନାମରେ ଲାଗୁ ହୋଇଛି । କିନ୍ତୁ ସେଠାରେ ୧୫ ବଦଳରେ ୧୩ ଖେଳାଳିଙ୍କୁ ଖେଳିବାକୁ ଅନୁମତି ଦିଆଯାଇଛି । ବିସିସିଆଇ ଏନେଇ ସବୁ ରାଜ୍ୟଙ୍କୁ ଏକ ସର୍କୁଲାର ଜାରି କରିଛି । ଯେଉଁଥିରେ କୁହାଯାଇଛି ଯେ ଟି-୨୦ ର ବଢ଼ୁଥିବା ଲୋକପ୍ରିୟତା ଧ୍ୟାନରେ ରଖି ଏବେ କିଛି ନୂଆ ଆଣିବାକୁ ପ୍ରୟାସ କରାଯାଉଛି ।

କେମିତି ହେବ ‘ଇମ୍ପାକ୍ଟ ପ୍ଲେୟାର’ ନିୟମ?

ନିୟମ ମୁତାବିକ ଟିମ୍ କ୍ୟାପ୍ଟେନ୍ଙ୍କୁ ଟସ୍ ସମୟରେ ପ୍ଲେଇଂ-୧୧ ସହ ଅନ୍ୟ ୪ ଖେଳାଳିଙ୍କ ନାମ ମଧ୍ୟ ସବଷ୍ଟିଚ୍ୟୁଟ୍ ଭାବରେ ଦେବାକୁ ହେବ । ଏହି ଚାରି ଖେଳାଳିଙ୍କ ମଧ୍ୟରୁ କେହି ଜଣକୁ ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ଅନୂଯାୟୀ ପ୍ଲେଇଂ-୧୧ ରେ ସାମିଲ ଖେଳାଳିଙ୍କ ସହ ରିପ୍ଲେସ କରାଯାଇପାରିବ ।

ଇମ୍ପାକ୍ଟ ପ୍ଲେୟାର ଭାବରେ ଯେଉଁ ଖେଳାଳିଙ୍କ ବ୍ୟବହାର କରାଯିବ, ସେ ହିଁ ମ୍ୟାଚ୍ ଖେଳିବେ । ପ୍ଲେଇଂ-୧୧ ରୁ ବାହାର କରାଯାଇଥିବା ଖେଳାଳି ମ୍ୟାଚ୍ ଖେଳିପାରିବେ ନାହିଁ । ସେହି ଖେଳାଳିଙ୍କ ଦ୍ୱାରା ଫିଲ୍ଡିଂ ମଧ୍ୟ କରାଯିବନାହିଁ । ମ୍ୟାଚରେ ବ୍ରେକ୍ ସମୟରେ ମଧ୍ୟ ଖେଳାଳିଙ୍କ ବ୍ୟବହାର କରାଯାଇପାରିବନାହିଁ ।

ଟିମ୍ କୁ ଗୋଟିଏ ଫାଇଦା ଏହା ମଧ୍ୟ ହେବ । ଯଦି ‘ଇମ୍ପାକ୍ଟ ପ୍ଲେୟାର’ ଭାବରେ କୌଣସି ବୋଲରଙ୍କୁ ସାମିଲ କରାଯାଏ, ତେବେ ସେ ନିଜ ପୂରା ୪ ଓଭର ବୋଲିଂ ହିଁ କରିବେ । ବାହାର କରାଯାଇଥିବା ବୋଲର କେତେ ଓଭର ଖେଳିଛନ୍ତି ନା  ନାହିଁ ତାହାର ସେହି ‘ଇମ୍ପାକ୍ଟ ପ୍ଲେୟାର’ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ।

ଅବଶ୍ୟ, କ୍ୟାପ୍ଟେନ୍ କିମ୍ବା ମ୍ୟାନେଜମେଣ୍ଟକୁ ଗୋଟିଏ କଥା ଧ୍ୟାନ ଦେବାକୁ ପଡ଼ିବ । ସେମାନଙ୍କୁ ‘ଇମ୍ପାକ୍ଟ ପ୍ଲେୟାର’ ନିୟମର ବ୍ୟବହାର କରିବା ପୂର୍ବରୁ ଫିଲ୍ଡ ଅମ୍ପାୟାର କିମ୍ବା ଫୋର୍ଥ ଅମ୍ପାୟାରଙ୍କୁ କହିବାକୁ ପଡ଼ିବ ।

ବିସିସିଆଇର ନିୟମ ଅନୂଯାୟୀ ମ୍ୟାଚ୍ ସମୟରେ ଉଭୟ ଟିମ୍ ନିଜ ଇନିଙ୍ଗ୍ସରେ ୧୪ ତମ ଓଭର ପୂର୍ବରୁ ‘ଇମ୍ପାକ୍ଟ ପ୍ଲେୟାର’ ର ବ୍ୟବହାର କରିପାରିବେ । ଅର୍ଥାତ୍ ଏହାପରେ ନିୟମର ବ୍ୟବହାର କରିପାରିବେ ନାହିଁ ।

 

Get real time updates directly on you device, subscribe now.