ମୁମ୍ବାଇ : ଆଖୁ କମ୍ ଉତ୍ପାଦନ ହେତୁ ଗତ ଦୁଇ ସପ୍ତାହ ମଧ୍ୟରେ ଚିନି ମୂଲ୍ୟ ୬ ପ୍ରତିଶତ ବୃଦ୍ଧି ପାଇଛି। ଗ୍ରାହକମାନଙ୍କର କ୍ରମାଗତ ଚାହିଦା ହେତୁ ଚିନି ଦର ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହି ବଦ୍ଧିତ ଦର ଆଖୁ ଚାଷୀଙ୍କୁ ଠିକ୍ ସମୟରେ ଦେୟ ଦେବାରେ ସାହାଯ୍ୟ କରିବ।
ରିପୋର୍ଟ ଅନୁଯାୟୀ, ଚିନି ମୂଲ୍ୟ ବୃଦ୍ଧି ହେତୁ ଏହି କ୍ଷେତ୍ରର କମ୍ପାନୀଗୁଡିକ ଲାଭବାନ୍ ହେବେ । ଯାହାର ପରୋକ୍ଷ ପ୍ରଭାବ ଚାଷୀଙ୍କ ଉପରେ ପଡିବ । କମ୍ପାନୀ ଗୁଡିକ ଲାଭବାନ ହେବା ଦ୍ୱାରା ଠିକ୍ ସମୟରେ ଚାଷୀଙ୍କୁ ଦେୟ ଦେବାରେ ସକ୍ଷମ ହେବେ ।
ଏହି କାରଣରୁ ଚାହିଦା ବୃଦ୍ଧି ପାଇବ
ପ୍ରତିବର୍ଷ ଗ୍ରୀଷ୍ମ ଋତରେ ଚିନିର ଚାହିଦା ବଢିଥାଏ । ଏହି ଋତୁରେ, ପ୍ରତ୍ୟେକ ଘରେ ସରବତ୍ ଓ ଲସି ଆଦି ପ୍ରସ୍ତୁତ ହୁଏ । ଅତିଥିମାନଙ୍କୁ ଚା ବଦଳରେ ଲସି କିମ୍ବା ସରବତ୍ ଦିଆଯାଏ । ଖାଲି ଘରେ ନୁହେଁ, ରାସ୍ତା ଘାଟ ଓ ବଜାରରେ ବିଭିନ୍ନ ପ୍ରକାରର ଲସି ଓ ସରବତ୍ ଦୋକାନ ଖୋଲେ । ଯାହା ଦ୍ୱାରା ଚିନିର ଆବଶ୍ୟକତା ଆହୁରି ବଡିଯାଏ ।
ଗ୍ରୀଷ୍ମ ଋତୁରେ ମୃଦୂ ପାନୀୟ ବା କୋଲ୍ଡ ଡ୍ରିଙ୍କ୍ସ ଏବଂ ଆଇସକ୍ରିମର ଚାହିଦା ବୃଦ୍ଧିଥାଏ । ତେଣୁ ଏହି କାରଣରୁ ଚିନିର ଚାହିଦା ମଧ୍ୟ ବୃଦ୍ଧି ହେବ । ଅଧିକ ବ୍ୟବହାର ହେତୁ ଆସନ୍ତା ମାସରୁ ଚିନିର ଚାହିଦା ବୃଦ୍ଧି ପାଇବ, ତା’ପରେ ଏହାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ ।
ଏହା ବ୍ୟତୀତ ଆଗକୁ ବିବାହ ଋତୁ ମଧ୍ୟ ଆସୁଛି । ଯାହା ଫଳରେ ବିବାହ ଭୋଜି ଆଦି କାର୍ଯ୍ୟରେ ଚିନିର ଅଧିକ ବ୍ୟବହାର ହେବ । ଯାହା ଦ୍ୱାରା ଚିନିର ଚାହିଦା ବଢିବ ଏବଂ ଦାମ୍ ମଧ୍ୟ ବଢିବ । ଚିନି ଦାମ ବଢିଲେ ଆଖୁ ଚାଷୀ ଲାଭବାନ ହେବେ ।