fbpx

ବଢ଼ିଲା ଚିନି ଦର; କ୍ବିଣ୍ଟାଲ ପିଛା ୨୦୦ରୁ ୩୦୦ ଟଙ୍କା ବଢ଼ି ୪୪୦୦ ଟଙ୍କାରେ ପହଞ୍ଚିଲା

ନୂଆଦିଲ୍ଲୀ: ଦେଶରେ ଗତ କିଛିଦିନ ହେଲା ଅନେକ ଖାଦ୍ୟ ସାମଗ୍ରୀର ଦର ବଢ଼ିବାରେ ଲାଗିଛି, ଏହାରି ଭିତରେ ଯଦି ଦେଖିବା ଚିନି ଦର ବି କ୍ବିଣ୍ଟାଲ ପିଛା ୨୦୦ରୁ ୩୦୦ ଟଙ୍କା ବଢ଼ିଯାଇଛି। ପୂର୍ବରୁ ସାଧାରଣ କିସମ ଚିନିର ଦାମ୍‌ କ୍ବିଣ୍ଟାଲ ପିଛା ୩୮୫୦ ଟଙ୍କା ଥିଲା। ଏବେ ତାହା ୪୦୫୦ ଟଙ୍କାରେ ପହଞ୍ଚି ଯାଇଛି। ସେହିଭଳି ଡବଲ୍‌ ଫିଲ୍‌ଟର ଚିନି ଦାମ୍‌ ପୂର୍ବରୁ କ୍ବିଣ୍ଟାଲ ପିଛା ୪୧୦୦ ଟଙ୍କା ଥିବାବେଳେ ଏବେ ତାହା ୪୪୦୦ ଟଙ୍କାରେ ପହଞ୍ଚିଯାଇଛି। ଏହାବ୍ୟତୀତ ପରିବହନ ଖର୍ଚ୍ଚ ମଧ୍ୟ କ୍ବିଣ୍ଟାଲ ପିଛା ୨୫୦ରୁ ୩୫୦ ଟଙ୍କା ବଢ଼ିଯାଇଛି। ଏହାର ପ୍ରଭାବ ବି ଚିନିର ବର୍ଦ୍ଧିତ ଦରରେ ପ୍ରତିଫଳିତ ହୋଇଛି। ଦେଶର ସବୁ ଭାଗରେ ଏବେ ପ୍ରବଳ ଖରା ହେଉଥିବା କାରଣରୁ ଲୋକ ଶୋଷ ମେଣ୍ଟାଇବା ପାଇଁ ମୃଦୁପାନୀୟ ବ୍ୟବହାର କରୁଛନ୍ତି।

ଏଥିସହିତ ଆଇସକ୍ରିମର ବ୍ୟବହାର ମଧ୍ୟ ବଢ଼ିଛି। ଏବେ ଦେଶରେ ସାଧାରଣ ନିର୍ବାଚନ ଚାଲିଛି। ଏହି କାରଣରୁ ଚିନିର ବ୍ୟବହାର ଅନ୍ୟବର୍ଷର ଖରାଦିନ ତୁଳନାରେ ଅଧିକ ବଢ଼ିଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କୁହନ୍ତି ଯେ ରାଜ୍ୟରେ ବର୍ଷକୁ ୧୦ ଲକ୍ଷ ଟନ୍ ଚିନି ଆବଶ୍ୟକ ହୋଇଥାଏ। ସରକାର ଆଖୁର ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧି କରୁଛନ୍ତି। ପରିବହନ ଖର୍ଚ୍ଚ ବି ବଢ଼ୁଛି। ଏସବୁ କାରଣରୁ ଚିନି ଦାମ୍‌ ବଢ଼ୁଛି। ରାଜ୍ୟର ଚିନି ଆବଶ୍ୟକତା ପୂରଣ ପାଇଁ ଓଡ଼ିଶାକୁ ଦେଶର ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। କାରଣ ରାଜ୍ୟରେ ଅତି ଅଳ୍ପ ପରିମାଣର ଚିନି ଉତ୍ପାଦନ ହେଉଛି।

Get real time updates directly on you device, subscribe now.