ଶିରୋମଣି ଅକାଳୀ ଦଳ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁଖବୀର ସିଂହ ବାଦଲ

ନୂଆଦିଲ୍ଲୀ: ପଞ୍ଜାବ ରାଜନୀତିରୁ ଆସିଛି ଏକ ବଡ଼ ଖବର । ଶିରୋମଣି ଅକାଳୀ ଦଳ (ଏସଏଡି) ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ସୁଖବୀର ସିଂହ ବାଦଲ । ସୁଖବୀର ନିଜର ଇସ୍ତଫା ପତ୍ରକୁ ଦଳର ୱାର୍କିଂ କମିଟିକୁ ପଠାଇଥିବା ଜଣାପଡ଼ିଛି । ତେବେ ନିଜର ନେତୃତ୍ୱ କାଳରେ ତାଙ୍କ ପ୍ରତି ବିଶ୍ୱାସ ରଖିଥିବା ଓ ପୂରା ହୃଦୟର ସହ ସମର୍ଥନ, ସହଯୋଗ କରିଆସିଥିବା ପାର୍ଟିର ସମସ୍ତ ନେତାଙ୍କୁ ଏହି ଅବସରରେ ସୁଖବୀର କୃତଜ୍ଞତା ଜ୍ଞାପନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨୦୦୮ ମସିହାରେ ସୁଖବୀର ଶିରୋମଣି ଅକାଳୀ ଦର କମାଣ ସମ୍ଭାଳିଥିଲେ । ସେ ୧୬ ବର୍ଷ ଓ ଦୁଇ ମାସ ଧରି ଦଳର ଅଧ୍ୟକ୍ଷ ପଦରେ ରହିଥିଲେ । ସୁଖବୀରଙ୍କ ପୂର୍ବରୁ ତାଙ୍କ ରପିତା ପ୍ରକାଶ ସିଂହ ବାଦଲ ପାର୍ଟିର ନେତୃତ୍ୱ ସମ୍ଭାଳୁଥିଲେ । ଆସନ୍ତା ୨୦ ତାରିଖରେ ପଞ୍ଜାବର ୪ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ତା’ ପୂର୍ବରୁ ସୁଖବୀର ଏଭଳି ନିଷ୍ପତ୍ତି ନେଇ ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ଚକିତ କରିଦେଇଛନ୍ତି । ସୁଖବୀର ଅଧ୍ୟକ୍ଷ ପଦ ଛାଡ଼ିବା ପରେ କିଏ ଏହି ଦାୟିତ୍ୱ ସମ୍ଭାଳିବେ ଏବେ ତାହା ଏକ ବଡ଼ ପ୍ରଶ୍ନ ।