ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଗରମ ବାୟୁ ପ୍ରବେଶ କରିବାରୁ ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ଶନିବାର ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଜାରି ରହିବ। ଆଜି ରାଜ୍ୟର ୧୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଆଜି ଝାଡ଼ସୁଗୁଡ଼ାଠାରେ ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ଼ କରାଯାଇଛି। ଏଠି ସହ ଝାରସୁଗୁଡା ଆଜି ଏସିଆର ଉତପ୍ତ ସହର ହୋଇଛି।
୪୦ ଡ଼ିଗ୍ରୀ ଉପରେ ୧୪ ସହରରେ ପାରଦ pic.twitter.com/bMMjScWF6z
— Meteorological Centre, Bhubaneswar (@mcbbsr) April 12, 2023
ତେବେ ଆସନ୍ତା ରବିବାର ବଙ୍ଗେପସାଗରରୁ ବାୟୁ ପ୍ରବାହ ସମ୍ଭାବନା ଥିବାରୁ ଉତ୍ତର ଉପକୂଳ ସମେତ ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଇବା ନେଇ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଅନ୍ୟପଟେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ତାପମାତ୍ରା ବୃଦ୍ଧି ପାଉଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳସଙ୍କଟ ଦେଖାଦେଇଛି । ତେବେ ଏହାର ମୁକାବିଲା ପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି । ଆବଶ୍ୟକସ୍ଥଳେ ନଳକୂପ ଓ ପାନୀୟ ଜଳ ଉତ୍ସ ମରାମତି ପାଇଁ ଅଧୀକ୍ଷଣ ଯନ୍ତ୍ରୀ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ତେବେ ୫୦ ହଜାର ଟଙ୍କାରୁ ଅଧିକ ବ୍ୟୟ ଅଟକଳ ହେଲେ ଜିଲ୍ଲାପାଳଙ୍କ ଅନୁମତି ନେଇ ଖର୍ଚ୍ଚ କରିପାରିବେ । ଜିଲ୍ଲା ସ୍ତରରେ କୌଣସି ଅଭିଯୋଗ ଥିଲେ ଜନସାଧାରଣ ନିଃଶୁଳ୍କ ନମ୍ବରରେ ସେମାନଙ୍କର ସମସ୍ୟା ଜଣାଇପାରିବେ । ଉପାନ୍ତ ଅଞ୍ଚଳରେ ଟ୍ୟାଙ୍କର୍ ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି । ରାଜ୍ୟରେ ହିଟ୍ୱେଭ୍ ୱର୍ଣ୍ଣିଂ ଜାରି କରାଯାଇଥିବାବେଳେ ଜନସାଧାରଣ ସତର୍କ ରହିବା ଲାଗି ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଡାକ୍ତରଖାନାଗୁଡ଼ିକରେ ଔଷଧ ଓ ଆମ୍ବୁଲାନ୍ସ ପ୍ରସ୍ତୁତ ରଖିବା ସହ ଅସୁସ୍ଥତା ଅନୁଭବ କରି ରୋଗୀମାନେ ହସ୍ପିଟାଲରେ ପହଁଞ୍ôଚଲେ ସେମାନଙ୍କୁ ତୁରନ୍ତ ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ସଂକ୍ରାନ୍ତରେ ପ୍ରତି ଜିଲ୍ଲାରେ କଲ୍ ସେଣ୍ଟରରୁ ତଥ୍ୟ ସଂଗ୍ରହ କରାଯାଉଛି । ଜିଲ୍ଲାପାଳମାନଙ୍କ ସହାୟତାରେ ଲୋକଙ୍କୁ ସଚେତନ କରାଯାଉଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଶ୍ରୀ ମିଶ୍ର କହିଛନ୍ତି ।