Hollywood ଜଗତକୁ ବଡ଼ କ୍ଷତି: ୭୦ ଦଶକରୁ ଲୋକଙ୍କ ମନରେ ରାଜ୍ କରୁଥିବା ସୁପର ମଡେଲଙ୍କ ସନ୍ଦେହଜନକ ମୃତ୍ୟୁ
ସନ୍ଦେହଜନକ ଅବସ୍ଥାରେ ଘରୁ ମିଳିଲା ଆମେରିକୀୟ ସୁପର ମଡେଲ ଡେଲ୍ ହେଡୋନଙ୍କ ମୃତଦେହ, ଘରେ ଲାଗିଥିବା ଚିମ୍ନିରୁ ବିଷାକ୍ତ ଗ୍ୟାସ ବାହାରିବା ଯୋଗୁ ମୃତ୍ୟୁ ହୋଇଥିବା ସନ୍ଦେହ ।
ଲସ୍ଏଞ୍ଜେଲସ୍: ଅଭିନେତ୍ରୀ ତଥା ସୁପର ମଡେଲ୍ ଡେଲ୍ ହେଡୋନ ୭୬ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି । ମଡେଲଙ୍କର ସନ୍ଦେହଜନକ ମୃତ୍ୟୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ବକ୍ସ କଣ୍ଟ୍ରିର ଏକ ଘରେ ଜଣେ ମହିଳା ଅଚତ ଅବସ୍ଥାରେ ପଡ଼ିଥିବା ସୂଚନା ପାଇଥିଲା ଟାଉନସିପ୍ ପୋଲିସ । ଏହାପରେ ଘଟଣାସ୍ଥଳରେ ପହଞ୍ଚି ଡେଲଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । କିନ୍ତୁ ସେତେପର୍ଯ୍ୟନ୍ତ କେହି ତାଙ୍କ ଅସଲ ପରିଚୟ ପାଇ ନ ଥିଲେ ।
ପରବର୍ତ୍ତୀ ସମୟରେ ଡେଲଙ୍କ ଘରେ ପୋଲିସ ଯାଞ୍ଚ ଆରମ୍ଭ କରିଥିଲା । ଘରର ଦ୍ୱିତୀୟ ମହଲାରେ ଥିବା ଡେଲଙ୍କ ବେଡରୁମରେ ପ୍ରଚୁର ମାତ୍ରାରେ କାର୍ବନ ମନୋକ୍ସାଇଡ୍ ଗ୍ୟାସ୍ ଥିବା କହିଥିଲା ଅଗ୍ନିଶମ ବିଭାଗ ।
କାର୍ବନ ମନୋକ୍ସାଇଡ୍ର ମାତ୍ରା ଏତେ ଅଧିକ ଥିଲା ଯେ, ଯାଞ୍ଚ କାର୍ଯ୍ୟରେ ଲିପ୍ତ ୨ ଡାକ୍ତର ଓ ଜଣେ ପୋଲିସ ଅଚେତ ହୋଇଗଲେ ।
ପୋଲିସ ସୂଚନା ଅନୁସାରେ ଡେଲଙ୍କ ଘରେ ଥିବା ହିଟିଂ ସିଷ୍ଟମରେ ଅସନା ହୋଇଥିବା ଚିମ୍ନି ଏବଂ ଏଗଜର୍ଷ୍ଟ ପାଇପ୍ ଯୋଗୁ ବିଷାକ୍ତ ଖ୍ୟାସ୍ ବାହାରିଥିଲା ଯେଉଁକାରଣରୁ ସୁପର ମଡେଲଙ୍କ ମୃତ୍ୟୁ ଘଟିଥିବା ପୋଲିସ ସନ୍ଦେହ କରୁଛି ।
୧୯୪୮ ମେ ୨୬ରେ ଡେଲଙ୍କ ଜନ୍ମ । ଡେଲ ଜଣେ ଭଲ ଅଭିନେତ୍ରୀ ହେବା ସହ ସୁପର ମଡେଲ ଥିଲେ । ୧୯୭୩ରେ ତାଙ୍କ ପ୍ରଥମ ଫିଲ୍ମ ‘ଦ ୱାର୍ଲ୍ଡସ୍ ଗ୍ରେଟେଷ୍ଟ ଆଥଲିଟ୍’ ରିଲିଜ୍ ହୋଇଥିଲା । ୭୦ ଦଶକରୁ ବର୍ତ୍ତମାନ ସୁଦ୍ଧା ଦର୍ଶକଙ୍କ ମନରେ ରାଜ୍ କରୁଥିଲେ ଡେଲ୍ ।