ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଙ୍ଗଳବାର ଏକ ବଡ ନିଷ୍ପତ୍ତି କ୍ରମେ ବାବ୍ରି ମସଜିଦ ବିଧ୍ଵଂସ ଏବଂ ଗୁଜରାଟ ଦଙ୍ଗା ସଂପର୍କିତ ମାମଲାକୁ ବନ୍ଦ କରିବାକୁ ଆଦେଶ ଦେଇଛନ୍ତି। ଅଦାଲତ କହିଛନ୍ତି, ଗୁଜରାଟ ଦଙ୍ଗା ସଂପର୍କିତ କେସ୍ ନିଷ୍ଫଳ ସାବ୍ୟସ୍ତ ହେଉଛି। ଏଥିରୁ ଅଧିକାଂଶ ମାମଲାର ଶୁଣାଣି ପୂରା ହୋଇ ସାରିଛି। ଏହା ବ୍ୟତୀତ ସର୍ବୋଚ୍ଚ ନ୍ୟାୟାଳୟ ବାବ୍ରି ମସଜିଦ ବିଧ୍ଵଂସ ସଂପର୍କିତ ଅବମାନନା ମାମଲାକୁ ମଧ୍ୟ ବନ୍ଦ କରିବାକୁ ଆଦେଶ ଦେଇଛନ୍ତି।
ଅପରପକ୍ଷେ ସୁପ୍ରିମକୋର୍ଟ ବାବ୍ରି ମସଜିଦ ବିଧ୍ଵଂସ ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏବଂ ସାମ୍ବାଦିକ ତରୁଣ ତେଜପାଲଙ୍କ ବିରୋଧରେ ଅବମାନନା କାର୍ୟ୍ୟାନୁଷ୍ଠାନ ବନ୍ଦ କରିବାକୁ ଆଦେଶ ଦେଇଛନ୍ତି। ଉଭୟ ଏହି ମାମଲାରେ କ୍ଷମା ମାଗି ସାରିଛନ୍ତି। ପ୍ରଶାନ୍ତ ଭୂଷଣ ୨୦୦୯ରେ ଏକ ସାକ୍ଷାତକାରରେ ପୂର୍ବତନ ଏବଂ ବର୍ତ୍ତମାନର ଜଜଙ୍କ ଉପରେ ଦୁର୍ନୀତିର ଅଭିଯୋଗ ଲଗାଇଥିଲେ। ଏହି କେସରେ ପକ୍ଷ ରଖି କପିଲ ସିବଲ କହିଛନ୍ତି, ପ୍ରଶାନ୍ତ ଭୂଷଣ ଏବଂ ତରୁଣ ତେଜପାଲ କ୍ଷମା ମାଗି ସାରିଛନ୍ତି। ଏଥିପାଇଁ ଉଭୟଙ୍କ ବିରୋଧରେ ଥିବା କେସକୁ ବନ୍ଦ କରାଯାଇ ପାରିବ। ତାଙ୍କର ଏହି ଦାବିକୁ ବିଚାରପତି ଇନ୍ଦିରା ବାନାର୍ଜୀ, ବିଚାରପତି ସୂର୍ୟ୍ୟକାନ୍ତ ଏବଂ ବିଚାରପତି ଏମ ଏମ ସୁନ୍ଦରେଶଙ୍କ ପୀଠ ସ୍ଵୀକାର କରି ନେଇଛନ୍ତି।
ପ୍ରଶାନ୍ତ ଭୂଷଣ ଏବଂ ତରୁଣ ତେଜପାଲଙ୍କୁ ୨୦୦୯ ନଭେମ୍ବରରେ ନୋଟିସ୍ ଜାରି କରାଯାଇଥିଲା। ଏହା ଉପରେ ସଫେଇ ଦେଇ ପ୍ରଶାନ୍ତ ଭୂଷଣ କହିଥିଲେ, ମୁଁ ତହଲକାକୁ ୨୦୦୯ରେ ଯେଉଁ ସାକ୍ଷାତକାର ଦେଇଥିଲି, ସେଥିରେ ଦୁର୍ନୀତି ଶବ୍ଦର ବ୍ୟବହାର କୌଣସି ବିଶେଷ ଦିଗକୁ ନେଇ କରିନଥିଲି। ଏହି କଥାକୁ ମୁଁ ବ୍ୟାପକ ସଂଦର୍ଭରେ କହିଥିଲି। ଏହାର ସମ୍ବନ୍ଧ ବିତ୍ତୀୟ ଭ୍ରଷ୍ଟାଚାର ସହ ଜଡିତ ନୁହେଁ। ଯଦି କୌଣସି ଜଜ କିମ୍ବା ତାଙ୍କ ପରିବାରକୁ ଏଥିରେ ଆଘାତ ଲାଗିଛି ତେବେ ଏଥିପାଇଁ ମୁଁ କ୍ଷମା ମାଗୁଛି। ପ୍ରଶାନ୍ତ ଭୂଷଣ ୨୦୨୦ରେ ନିଜର ବୟାନକୁ ନେଇ କ୍ଷମା ମାଗିଥିଲେ।