ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ପଞ୍ଜିକରଣ କରିଥିଲେ ମଧ୍ୟ ରୀତିନୀତି ଓ ପରମ୍ପରା ପାଳନ ନକଲେ ହିନ୍ଦୁ ବିବାହକୁ ବୈଧ କୁହାଯାଇ ପାରିବନି

ନୂଆଦିଲ୍ଲୀ: ହିନ୍ଦୁ ବିବାହ ଏକ ଧାର୍ମିକ ସଂସ୍କାର ଓ ଧାର୍ମିକ ଉତ୍ସବ । ଏହା ନାଚିବା, ଗାଇବା, ଖାଇବା, ପିଇବାର କାର୍ଯ୍ୟକ୍ରମ ନୁହେଁ କି ଏହା କୌଣସି ବ୍ୟବସାୟିକ କାରବାର ମଧ୍ୟ ନୁହେଁ । ବିବାହ ହିନ୍ଦୁ ଆଇନ ଅନୁସାରେ ହେବା ଉଚିତ । ତେଣୁ ଏ କ୍ଷେତ୍ରରେ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଦରକାର । ରୀତିନୀତି ଓ ପରମ୍ପରା ପାଳନ ନକଲେ ପଞ୍ଜିକରଣ କରିଥିଲେ ମଧ୍ୟ ବିବାହକୁ ବୈଧ କୁହାଯାଇ ପାରିବନି । ଏକ ମାମଲାରେ ସୁପ୍ରିମକୋର୍ଟ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଦୁଇଜଣ ବ୍ୟବସାୟିକ ପାଇଲଟଙ୍କ ଛାଡ଼ପତ୍ର ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଜଷ୍ଟିସ ବି.ଭି ନାଗରତ୍ନା ଓ ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି । ଉଭୟ ପାଇଲଟଙ୍କ ମ୍ୟାରେଜ ହିନ୍ଦୁ ରୀତିନୀତି ଅନୁସାରେ ହୋଇନଥିଲା । ଭାରତୀୟ ସମାଜରେ ରୀତିନୀତି ଓ ପରମ୍ପରା ଅନୁସାରେ ହୋଇଥିବା ବିବାହକୁ ଗୁରୁତ୍ୱପୂର୍ଣ୍ଣ ମାନ୍ୟତା ଦେବା ଉଚିତ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ଦୁଇ ପ୍ରଶିକ୍ଷିତ କମର୍ଶିଆଲ ପାଇଲଟ ବୈଧ ହିନ୍ଦୁ ବିବାହ ସମାରୋହ ବିନା ତଲାକର ଡିଗ୍ରୀ ଦାବି କରିଥିଲେ ।

ବେଞ୍ଚ କହିଥିଲେ, ବିବାହ ‘ଗାଇବା ଓ ନାଚିବା, ‘ମଦ ପିଇବା ଓ ଖାଇବା’ର ଆୟୋଜନ କରିବା ବା ଅନୁଚିତ ଭାବେ ଚାପ ପକାଇ ଯୌତୁକ ଓ ଉପହାର ଦାବି କରିବାର ସୁଯୋଗ ନୁହେଁ । ଏପରି କରିବା ପରେ ଅପରାଧିକ କାର୍ଯ୍ୟ ଆରମ୍ଭ ହୋଇପାରେ । ବିବାହ ଏକ କମର୍ଶିଆଲ ଟ୍ରାଞ୍ଜାକ୍ସନ ନୁହେଁ । ଏହା ଏକ ଗମ୍ଭୀର ସାମାଜିକ କାର୍ଯ୍ୟକ୍ରମ, ଯେଉଁଥିରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମଧ୍ୟରେ ସମ୍ପର୍କ ସ୍ଥାପିତ ହୁଏ । ଭବିଷ୍ୟତରେ ଗୋଟିଏ ଭଲ ପରିବାର ପାଇଁ ସେମାନେ ପତି ଓ ପତ୍ନୀର ମାନ୍ୟତା ପାଇଥାନ୍ତି । ହିନ୍ଦୁ ବିବାହ ପ୍ରଜନନର ସୁବିଧା ପ୍ରଦାନ କରିଥାଏ । ଏହା ପାରିବାରିକ ସମ୍ପର୍କକୁ ମଜବୁତ କରିବା ସହିତ ବିଭିନ୍ନ ସମୁଦାୟ ମଧ୍ୟରେ ଭାଇଚାରାର ଭାବନାକୁ ଦୃଢ଼ କରିଥାଏ । ୧୯୫୫ ମସିହା ମେ ୧୫ରେ ଅଧିନିୟମ ଲାଗୁ ହେବା ପରେ ହିନ୍ଦୁଙ୍କ ମଧ୍ୟରେ ବିବାହ ସମ୍ବନ୍ଧିତ ନିୟମକୁ ଆଇନର ମାନ୍ୟତା ମିଳିଥିଲା । ସେଥିରେ କେବଳ ହିନ୍ଦୁ ସାମିଲ ରହିଛନ୍ତି । ମାତ୍ର ସେଥିରେ ଲିଙ୍ଗାୟତ, ବ୍ରହ୍ମୋସ, ଆର୍ଯ୍ୟସମାଜୀ, ବୌଦ୍ଧ, ଜୈନ ଓ ଶିଖମାନେ ମଧ୍ୟ ସାମିଲ ହୋଇପାରନ୍ତି ।