fbpx

ଅବମାନନା ମାମଲା, ପଳାତକ ବିଜୟ ମାଲ୍ୟା ଉପରେ ଦଣ୍ଡ ଶୁଣାଇବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ କୋର୍ଟର ଅବମାନନା ମାମଲାରେ ସୁପ୍ରିମକୋର୍ଟ ୧୧ ଜୁଲାଇରେ ଦଣ୍ଡ ଶୁଣାଇବେ । ରବିନ୍ଦ୍ର ଏସ ଭଟ ଏବଂ ପିଏସ ନରସିଂହଙ୍କୁ ନେଇ ଜଷ୍ଟିସ ୟୁୟୁ ଲଲିତଙ୍କ ନେତୃତ୍ୱରେ ଏକ ତିନିଜଣିଆ ଖଣ୍ଡପୀଠ ସୋମବାର ଏହି ରାୟ ପ୍ରଦାନ କରିବେ। ଖଣ୍ଡପୀଠ ମାର୍ଚ୍ଚ ୧୦ ରେ ରାୟ ସଂରକ୍ଷିତ ରଖିଥିଲେ । ୨୦୧୭ ରେ ବିଜୟ ମାଲ୍ୟାଙ୍କୁ ସୁପ୍ରିମକୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ।

ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଥିଲେ ଯେ ମାଲ୍ୟା ବ୍ରିଟେନରେ ଜଣେ ମୁକ୍ତ ବ୍ୟକ୍ତି ଭଳି ଆଚରଣ କରୁଛନ୍ତି  । ଦଣ୍ଡାଦେଶ ସଂରକ୍ଷଣ କରିବା ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ, ‘ଆମକୁ କୁହାଯାଇଛି ଯେ ବ୍ରିଟେନରେ ମାଲ୍ୟାଙ୍କ ବିରୋଧରେ କିଛି ମାମଲା ଚାଲିଛି । ଫଳରେ ମାମଲା ବିଳମ୍ବିତ ହେଉଛି । କେତେ ମାମଲା ବିଚାରାଧୀନ ଅଛି ଆମେ ଜାଣିନାହୁଁ।

ଏଥି ସହିତ, ଶୁଣାଣି ସମୟରେ ମାଲ୍ୟାଙ୍କ ଓକିଲ କହିଛନ୍ତି ଯେ ବ୍ରିଟେନରେ ରହୁଥିବା ମାଲ୍ୟାଙ୍କ ଠାରୁ କୌଣସି ନିର୍ଦ୍ଦେଶ ମିଳିନଥିବାରୁ ସେ ଅସହାୟ ଏବଂ ଅବମାନନା ମାମଲାରେ ଦିଆଯାଉଥିବା ଦଣ୍ଡର ଅବଧିକୁ ନେଇ ମାଲ୍ୟାଙ୍କ ପକ୍ଷ ରଖିବାରେ ଅସମର୍ଥ । ଏହା ପୂର୍ବରୁ କୋର୍ଟ ମାଲ୍ୟାଙ୍କୁ ଦେଇଥିବା ଲମ୍ବା ସମୟ ଯଥେଷ୍ଟ ବୋଲି ଦର୍ଶାଇ ୧୦ ଫେବୃଆରୀରେ ଶୁଣାଣି ତାରିଖ ଧାର୍ଯ୍ୟ କରିଥିଲେ ଏବଂ ପଳାତକ ବ୍ୟବସାୟୀକୁ ବ୍ୟକ୍ତିଗତ ଭାବରେ କିମ୍ବା ନିଜ ଓକିଲ ମାଧ୍ୟମରେ ଉପସ୍ଥିତ ହେବାକୁ ଶେଷ ସମୟ ଦେଇଥିଲେ ।

ଅବମାନନା ପାଇଁ ମାଲ୍ୟା ୨୦୧୭ ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ତାଙ୍କ ପ୍ରସ୍ତାବିତ ଦଣ୍ଡର ନିର୍ଣ୍ଣୟ ପାଇଁ ମାମଲା ତାଲିକାଭୁକ୍ତ ହେବାର ଥିଲା । ୨୦୧୭ ରାୟର ସମୀକ୍ଷା ପାଇଁ ମାଲ୍ୟାଙ୍କ ଦ୍ୱାରା ୨୦୨୦ ରେ ଦାଖଲ ହୋଇଥିବା ସଂଶୋଧନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ତାଙ୍କ ପିଲାଙ୍କ ଆକାଉଣ୍ଟକୁ ୪୦ ମିଲିୟନ ଡଲାର ସ୍ଥାନାନ୍ତର କରିଥିବାରୁ ତାଙ୍କୁ ଅବମାନନା ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।

 

 

 

Get real time updates directly on you device, subscribe now.