fbpx

ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ମାମଲା: ଆଜି ହେବ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ମାମଲା ଏବେ ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଛି । ସର୍ବୋଚ୍ଚ ନ୍ୟାୟାଳୟରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି ହେବ । ଏହାକୁ ଏକ ସାଂଘାତିକ ତ୍ରୁଟି ଭାବରେ ଗ୍ରହଣ କରାଯିବା ପରେ ଶୁଣାଣି କରିବେ ଅଦାଲତ । ପ୍ରଧାନ ବିଚାରପତି ଏନଭି ରମଣା ଏହି ମାମଲାର ଶୁଣାଣି କରିବେ । ଏଥିରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଓ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷା ଅଧିକାରୀ ଏବଂ ପଞ୍ଜାବ ସରକାରଙ୍କ ପକ୍ଷ ଉପସ୍ଥିତ ରହିବେ । କେଉଁ ଭଳି ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସେନେଇ ବିଚାର କରାଯିବ ।

ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟିର ତଦନ୍ତ ଲାଗି ପଞ୍ଜାବ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟି ତିନି ଦିନ ମଧ୍ୟରେ ତଦନ୍ତ ସମାପ୍ତ କରି ରିପୋର୍ଟ ଦେବେ । ସୂଚନାଯୋଗ୍ୟ, ଦୁଇଦିନ ତଳେ ଭାରତ-ପାକିସ୍ତାନ ସୀମା ନିକଟରେ ବା ଯେଉଁ ସ୍ଥାନରେ ଆଗରୁ ବି ଆତଙ୍କୀ ହମଲା ହୋଇସାରିଛି ସେହି ସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରୋକାଯାଇଥିଲା । ସେଠାରେ କିଛି ପ୍ରଦର୍ଶନକାରୀ ରାସ୍ତା ଅବରୋଧ କରିଥିଲେ । ତେଣୁ ସେଠାରେ ଏକ ଫ୍ଲାଏଓଭର ବ୍ରିଜ୍ ରେ ମୋଦୀଙ୍କ ଗାଡ଼ି ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଫଶିରହିଥିଲା ।

Get real time updates directly on you device, subscribe now.