fbpx

ଘୋଷଣା ହେଲା ବାଂଲା ବିପକ୍ଷ ‘ସୂର୍ଯ୍ୟ ବାହିନୀ’: T-20 ସିରିଜରେ ଡେବ୍ୟୁ କରିବେ ଷ୍ଟାର ବୋଲର ମୟଙ୍କ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିଛି ଟିମ ଇଣ୍ଡିଆ । ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ବାଂଲାଦେଶକୁ ଭେଟିବ ଭାରତୀୟ ଦଳ । ଏହି ଦଳରେ ଟିମ ଇଣ୍ଡିଆର ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେଇଛି ବିସିସିଆଇ । ବାଂଲାଦେଶ ବିପକ୍ଷ ଏହି ଟି-୨୦ ସିରିଜ ପାଇଁ ଆଇପିଏଲ ‘ସ୍ପିଡ ଷ୍ଟାର’ ମୟଙ୍କ ଯାଦବଙ୍କୁ ପ୍ରଥମ ଥର ଦଳରେ ସାମିଲ କରାଯାଇଛି । ଏହାସହିତ ସଞ୍ଜୁ ସାମସନ ମଧ୍ୟ ଦଳରେ ସୁଯୋଗ ପାଇଛନ୍ତି ।

ଭାରତ-ବାଂଲାଦେଶ ମଧ୍ୟରେ ଜାରି ରହିଛି ଟେଷ୍ଟ ସିରିଜ । ଏହି ସିରିଜ ପରେ ଭାରତ-ବାଂଲାଦେଶ ମଧ୍ୟରେ ଟି-୨୦ ସିରିଜ ଖେଳାଯିବ । ଏହି ସିରିଜରୁ ଷ୍ଟାର ୱିକେଟ କିପର ଋଷଭ ପନ୍ତ ଏବଂ ୟର୍କର କିଙ୍ଗ ଜଶପ୍ରୀତ ବୁମରାହଙ୍କୁ ଦଳରୁ ବାଦ୍ ଦିଆ ଯାଇଛି । ଋଷଭ ଏବଂ ବୁମରାହଙ୍କ ସ୍ଥାନରେ କିଛି ଅନ୍ୟ ଖେଳାଳି ଦଳରେ ସାମିଲ ହୋଇଛନ୍ତି । ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରେ ସଞ୍ଜୁ ସାମସନଙ୍କୁ ଚୟନ କରିଛନ୍ତି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର । ଏହାବ୍ୟତୀତ ଦ୍ୱିତୀୟ ୱିକେଟ କିପର ଭାବରେ ଜିତେଶ ଶର୍ମା ଦଳରେ ସ୍ଥାନ ପାଇଛନ୍ତି । ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରି ଇଶାନ୍ କିଶାନ୍ ଚୟନକର୍ତ୍ତାଙ୍କ ନଜରକୁ ଆସିଥିଲେ ମଧ୍ୟ ଇରାନୀ କପ୍ ଟୁର୍ଣ୍ଣାମେଣ୍ଟରେ ତାଙ୍କ ନାମ ସାମିଲ ଥିବାରୁ ତାଙ୍କୁ ବାଦ୍ ଦେଇଛି ଟିମ ଇଣ୍ଡିଆ ।

ସେହିପରି ବୁମରାହ ଏବଂ ମହମ୍ମଦ ସିରାଜଙ୍କୁ ମଧ୍ୟ ଟି-୨୦ ସିରିଜରୁ ବାଦ୍ ଦେଇଛନ୍ତି ବୋର୍ଡ ଚୟନକର୍ତ୍ତା । ତାଙ୍କ ସ୍ଥାନରେ ଅର୍ଶଦୀପ ସିଂହ ଏବଂ ହର୍ଷିତ ରାଣାଙ୍କୁ ଦଳରେ ସୁଯୋଗ ପ୍ରଦାନ କରାଯାଇଛି । ଏହାବ୍ୟତୀତ ବାଂଲାଦେଶ ବିପକ୍ଷ ସିରିଜରେ ଭାରତ ପାଇଁ ଡେବ୍ୟୁ କରିପାରନ୍ତି ସ୍ପିଡ ଷ୍ଟାର ମୟଙ୍କ ଯାଦବ । ଅନ୍ୟ ପକ୍ଷରେ ଶୁଭମନ ଗିଲ୍ ଏବଂ ଯଶସ୍ୱୀ ଜଏସ୍ୱାଲଙ୍କୁ ବିଶ୍ରାମ ଦେବାକୁ ଚିନ୍ତା କରିପାରେ ବିସିସିଆଇ । ବାଂଲାଦେଶ ବିପକ୍ଷରେ ଓପନର ଦାୟିତ୍ୱରେ ଅଭିଷେକ ଶର୍ମାଙ୍କୁ ସାମିଲ କରାଯାଇଛି ।

ବାଂଲାଦେଶ ବିପକ୍ଷ ଟି-୨୦ ଦଳ: ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଜିତେଶ ଶର୍ମା, ରିଙ୍କୁ ସିଂହ, ଶିବମ ଦୁବେ, ରିୟାନ ପରାଗ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତିଶ କୁମାର ରେଡ୍ଡୀ, ରବି ବିଷ୍ଣୋଇ, ୱାଶିଂଟନ୍ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା, ଅର୍ଶଦୀପ ସିଂହ, ମୟଙ୍କ ଯାଦବ ।

Get real time updates directly on you device, subscribe now.