fbpx

ସ୍ୱର୍ଣ୍ଣ ମନ୍ଦିରରେ ଯୁବକଙ୍କୁ ପିଟିପିଟି ହତ୍ୟା, ନିଜାମପୁର ଗୁରୁଦ୍ୱାରାରେ ବି ଆଉ ଜଣଙ୍କୁ ହତ୍ୟା: ସିସିଟିଭିରେ କଏଦ ହେଲା ଭିଡିଓ…

ପଞ୍ଜାବର ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ଗୁରୁ ଗ୍ରନ୍ଥ ସାହେବଙ୍କ ସହ ଅଶୋଭନୀୟ ଆଚରଣ ଏବଂ ମନ୍ଦିର ଅପବିତ୍ର କରିବାକୁ ଉଦ୍ୟମ କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି । ‘ଦରବାର ସାହିବ’ର ଏହି ଘଟଣାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଖବର ଅନୁଯାୟୀ ସ୍ୱର୍ଣ୍ଣ ମନ୍ଦିର କମ୍ପ୍ଲେକ୍ସରେ ଯୁବକ ଜଣଙ୍କ ଶନିବାର ସନ୍ଧ୍ୟା ପ୍ରାର୍ଥନା ସମୟରେ ରେଲିଂ ଡେଇଁ ମନ୍ଦିର ଭିତରେ ପ୍ରବେଶ କରିଥିଲେ। ଶିଖମାନଙ୍କ ପବିତ୍ର ଧର୍ମଗ୍ରନ୍ଥ ଗୁରୁଗ୍ରନ୍ଥ ସାହିବ ଆଗରେ ରଖାଯାଇଥିବା ଖଣ୍ଡାକୁ ସେ ଛୁଇଁବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଲୋକେ ତାଙ୍କୁ ଧରି କରିଡର ବାହାରକୁ ଆଣିଥିଲେ। ସେଠାରେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଘେରିଯାଇ ମାଡ଼ ମାରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୂଯାୟୀ, ମୃତ ୨୫ ବର୍ଷୀୟ ଯୁବକ ହେଉଛନ୍ତି ଉତ୍ତରପ୍ରଦେଶର । କୁହାଯାଉଛି ଯେ ଯୁବକ ଜଣକ ପ୍ରାୟ ୧ ଘଣ୍ଟା ଲାଇନରେ ଛିଡା ହୋଇଥିଲା।

ଏହି ଘଟଣାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଦୁଃଖ ପ୍ରକାଶ କରିଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବା ସହ ମାମଲାର ମୂଳ ସ୍ଥାନକୁ ଯିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଜାବ ଗୃହମନ୍ତ୍ରୀ ସୁଖଜିନ୍ଦର ସିଂ ରନ୍ଧାୱାଙ୍କ ଅନୁଯାୟୀ ଏହି ଘଟଣା ସମଗ୍ର ମାନବିକତାକୁ ଆଘାତ ଦେଇଛି। ସେ କହିଛନ୍ତି ଯଦି ବ୍ୟକ୍ତି ଜୀବିତ ଥାଆନ୍ତା ତେବେ ତା’ର ଉଦ୍ଦେଶ୍ୟ ଜଣା ପଡିଥାନ୍ତା। SGPC ସଭାପତି ହରିନ୍ଦର ସିଂ ଧାମିଙ୍କ ଅନୁଯାୟୀ, ଘଟଣାର ମୂଳ ଉଦ୍ଦେଶ୍ୟ କେବଳ ମନ୍ଦିରର ବାତାବରଣକୁ ନଷ୍ଟ କରିବାର ଥିଲା। ସେ କହିଛନ୍ତି ଯେ ଯୁବକ ବଳିଦାନ ଉଦ୍ଦେଶ୍ୟରେ ଭିତରକୁ ପ୍ରବେଶ କରିଥିଲା ଏବଂ ପବିତ୍ର ଖଣ୍ଡା ଉଠାଇବାକୁ ମଧ୍ୟ ଚେଷ୍ଟା କରିଥିଲା। ଏହାର ଅନୁସନ୍ଧାନ ପରେ ଦୋଷୀଙ୍କୁ ଦଣ୍ଡ ଦିଆଯିବା ଉଚିତ୍ ଥିଲା ।

ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି, “ଦରବାର ସାହିବରେ ହତ୍ୟା ଘଟଣା ଅତ୍ୟନ୍ତ ଦୁଃଖଦାୟକ। ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହା ଏକ ବଡ ଷଡଯନ୍ତ୍ର ହୋଇପାରେ। ଦୋଷୀମାନଙ୍କୁ କଠୋର ଦଣ୍ଡ ମିଳିବା ଉଚିତ୍।’  ଘଟଣାରେ ବିଜେପିର ପଞ୍ଜାବ ରାଜ୍ୟ ସଭାପତି ଅଶ୍ୱାନୀ ଶର୍ମା ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ମୁଁ ଅମୃତସରର ଶ୍ରୀ ଦରବାର ସାହିବଙ୍କ ନିକଟରେ ହତ୍ୟା ଏହି ବଳିଦାନ ଘଟଣାକୁ ମୁଁ ଦୃଢ଼ ନିନ୍ଦା କରୁଛି। ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଉଚିତ ବୋଲି ସେ କହିଛନ୍ତି।

ସେପଟେ ରବିବାର କପୁରଥାଲା ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । କପୁରଥାଲାର ନିଜାମପୁର ଗ୍ରାମରେ ଥିବା ଗୁରୁଦ୍ୱାରାରେ ଶିଖ୍ ପତାକା ନିଶାନ ସାହିବଙ୍କୁ ଅପବିତ୍ର କରିବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିଛନ୍ତି । ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି ।

 

 

 

 

 

Get real time updates directly on you device, subscribe now.