fbpx

(Video) ଆପ୍ ନେତ୍ରୀ ସ୍ୱାତୀ ମାଲିୱାଲ ରାଜ୍ୟସଭା ସାଂସଦ ଭାବେ ଦୁଇଥର ଶପଥ ନେଲେ: ଦୁଇଟି ତ୍ରୁଟି ପରେ ଗୃହ ଅଧ୍ୟକ୍ଷ ନିଷ୍ପତ୍ତି ନେଲେ

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲ୍ୟୁ)ର ପୂର୍ବତନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ଗତ ବୁଧବାର ଦିନ ରାଜ୍ୟସଭାର ସାଂସଦ ଭାବେ ଶପଥ ନେଇଥିଲେ । ତେବେ ନିଜର ବୟାନବାଜୀକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ଆମ୍ ଆଦମୀ ପାର୍ଟି (ଆପ) ନେତ୍ରୀ ସ୍ୱାତୀ କିଛି ତ୍ରୁଟି କାରଣରୁ ଦୁଇଥର ଶପଥ ନେଇଥବା ଜଣାପଡ଼ିଛି । ଶପଥ ଗ୍ରହଣ ସମୟରେ ହୋଇଥିବା ତ୍ରୁଟିକୁ ସୁଧାରିବା ପାଇଁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ସ୍ୱାତୀଙ୍କୁ ପୁଣି ଥର ଶପଥ ନେବା ପାଇଁ କହିଥିବା ଏକ ସୂତ୍ରରୁ ଜଣାପଡ଼ିଛି ।

ତେବେ ଦୁଇଟି କାରଣ ପାଇଁ ସ୍ୱାତୀ ଦୁଇଥର ଶପଥ ଗ୍ରହଣ କରିଥିଲେ । ପ୍ରଥମ କାରଣ ହେଉଛି, ସେ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ ହୋଇଥିବା ନେଇ ଶପଥ ପାଠ ସମୟରେ ଭୁଲ୍ ପଢ଼ିଥିଲେ । ଦ୍ୱିତୀୟ କାରଣ ହେଉଛି ଶପଥ ଗ୍ରହଣ ସମୟରେ ସ୍ୱାତୀ ଅନୁଚିତ ସ୍ଲୋଗାନ୍ ଦେଇଥିଲେ । ଶପଥ ପାଠକୁ ପଢ଼ି ସାରିବା ପରେ ସ୍ୱାତୀ ‘ଇନକିଲାବ ଜିନ୍ଦାବାଦ୍’ ନାରା ଦେଇଥିଲେ । ଏହାପରେ ଶ୍ରୀ ଧନଖର ସ୍ୱାତୀଙ୍କୁ ସିଟକୁ ଯିବାକୁ କହିଥିଲେ ଓ ପୁଣି ଥରେ ଡକାଇଥିଲେ । ଏହାପରେ ଦ୍ୱିତୀୟ ଥର ପାଇଁ ସ୍ୱାତୀ ଶପଥ ନେଇଥିଲେ ।

ସଂସଦରେ ଅନ୍ତରୀଣ ବଜେଟ ଆଗତ ହେବା ପୂର୍ବଦିନ ରାଜ୍ୟସଭାରେ ୩ ଜଣ ସାଂସଦ ଶପଥ ନେଇଥିଲେ । ସତନାମ ସିଂହ ସାନ୍ଧୁ ଉଚ୍ଚ ସଦନକୁ ମନୋନୀତ ହୋଇଥିବା ବେଳେ ସ୍ୱାତୀ ଓ ନାରାଏନ ଦାସ ଗୁପ୍ତା ନିର୍ବାଚିତ ହୋଇଥିଲେ । ତେବେ ଏହି ଶପଥ ଗ୍ରହଣ ସମୟରେ ସ୍ୱାତୀ ଦୁଇଟି ତ୍ରୁଟି କରିଥିଲେ । ପ୍ରଥମତଃ ସେ ନିର୍ବାଚିତ ସଦସ୍ୟା ବଦଳରେ ମନୋନୀତ ସଦସ୍ୟା ପଢ଼ିଥିଲେ । ଦ୍ୱିତୀୟତଃ ସେ ଶପଥ ପାଠ ଶେଷକୁ ‘ଇନକିଲାବ ଜିନ୍ଦାବାଦ’ ନାରା ଦେଇଥିଲେ, ଯାହାକି ଅନୁଚିତ ଥିଲା । ଏହାପରେ ଗୃହ ଅଧ୍ୟକ୍ଷ ଶ୍ରୀ ଧନଖର କହିଥିଲେ, ଏହା ଏକ ମହାନ ଉତ୍ସବ । ପୂର୍ବରୁ ଭାରତରେ ଓ ବିଦେଶରେ ଶପଥ ପାଠରେ ପରିବର୍ତ୍ତନ କରାଯାଇଥିବାର ଉଦାହରଣ ରହିଛି । ଏପରି ଘଟଣାକୁ ଆମକୁ ସଂଶୋଧନ କରିବାର ଆବଶ୍ୟକତା ରହିଛି ।

Get real time updates directly on you device, subscribe now.