fbpx

T 20 World Cup: କ’ଣ ଏବେ ମଧ୍ୟ ଟି-୨୦ ବିଶ୍ଵ କପ୍ ଦଳରେ ସାମିଲ୍ ହୋଇ ପାରିବେ ମହମ୍ମଦ ଶାମି ?

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍ ପାଇଁ ଘୋଷିତ ଭାରତୀୟ ଦଳକୁ ନେଇ ଅନେକ ପ୍ରକାରର ପ୍ରଶ୍ନ ଉଠୁଛି। ଏସିଆ କପରେ ଯେଉଁଭଳି ଭାବେ ଭାରତୀୟ ବୋଲିଂର ଅବସ୍ଥା ଘଟିଲା, ଏହାକୁ ନେଇ ଟି-୨୦ ବିଶ୍ଵ କପର ଦଳ ଚୟନକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ବିଶେଷ କରି ଅଷ୍ଟ୍ରେଲିଆ ପରି ବାଉନ୍ସିଂ ପିଚରେ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଦଳରେ ସାମିଲ୍ ନକରାଯିବା ବିସିସିଆଇର ଏହି ନିଷ୍ପତ୍ତିକୁ ନେଇ କ୍ରିକେଟ୍ ବିଶେଷଜ୍ଞ ଏବଂ ଅନେକ କ୍ରିକେଟ୍ ପ୍ରେମୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେବେ ଶାମିଙ୍କୁ କାହିଁକି ୧୫ ଜଣିଆ ଦଳରେ ରଖାଗଲା ନାହିଁ ତାର କାରଣ ଏବେ ସାମ୍ନାକୁ ଆସିଛି।
ଟି-୨୦ ବିଶ୍ଵ କପ୍ ଦଳକୁ ନେଇ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଯଦି କୌଣସି ଖେଳାଳି ଗତ ୧୦ ମାସରେ କୌଣସି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାନ୍ତି ତେବେ ତାଙ୍କୁ ସିଧାସଳଖ ଟି-୨୦ ବିଶ୍ଵ କପ୍ ଦଳରେ ସାମିଲ୍ କରିବା ସେତେଟା ସହଜ ହୁଏ ନାହିଁ।

ଚୟନ କମିଟିର ଜଣେ ସଦସ୍ୟ ଇନସାଇଡ୍ ସ୍ପୋର୍ଟକୁ କହିଛନ୍ତି, ହର୍ଷଲ ପଟେଲ୍ ନିଜ ବ୍ରେକ୍ ସମୟରେ ବହୁତ ପରିଶ୍ରମ କରିଛନ୍ତି। ଦଳକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଖୁବ୍ ଅଭ୍ୟାସ୍ ଚଳାଇଛନ୍ତି। ଏମିତିରେ ତାଙ୍କର ଅଣଦେଖା କରାଯାଇ ପାରିନଥାନ୍ତା। ଯଦି ହର୍ଷଲ ପଟେଲ୍ କିମ୍ବା ଯଶପ୍ରୀତ ବୁମରାଙ୍କ ମଧ୍ୟରୁ ଜଣେ ଆହତ ଥାଆନ୍ତେ ତେବେ ମହମ୍ମଦ ଶାମି ଟି-୨୦ ବିଶ୍ଵ କପ୍ ଦଳରେ ସାମିଲ୍ ହୋଇଥାନ୍ତେ।
ତଥାପି ୧୫ ଜଣିଆ ଦଳରୁ କୌଣସି ଖେଳାଳି ଯଦି ଆହତ ହୁଅନ୍ତି କିମ୍ବା ଅନ୍ୟ କୌଣସି ଅସୁବିଧା ହୁଏ ତେବେ ମହମ୍ମଦ ଶାମିଙ୍କୁ ସର୍ବପ୍ରଥମେ ଦଳରେ ସାମିଲ୍ କରାଯିବ। ଭାରତୀୟ ଦଳ ବିଶ୍ଵ କପ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ଏବଂ ଏଥିରେ ୪ ଜଣ ଖେଳାଳିଙ୍କୁ ରିଜର୍ଭ ଖେଳାଳି ଭାବେ ସାମିଲ୍ କରିଛି।

ଯଦି ଶାମିଙ୍କ ଉପରେ ନଜର ପକାଇବା ତେବେ ସେ ନିଜର ଶେଷ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଟି-୨୦ ବିଶ୍ଵ କପ୍ ୨୦୨୧ରେ ଖେଳିଥିଲେ। ଏହା ପରଠୁ ଟି-୨୦ ଦଳରେ ତାଙ୍କୁ ଚୟନ କରାଯାଇ ନାହିଁ। ଏସିଆ କପରେ ତାଙ୍କୁ ଚୟନ କରାଯିବାର ଆଶା ଥିଲା, ହେଲେ ଏମିତି ହୋଇନଥିଲା।

ଟି-୨୦ ବିଶ୍ଵ କପ୍ ପାଇଁ ଏହି ପ୍ରକାର ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), ଲୋକେଶ ରାହୁଲ(ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଦିନେଶ କାର୍ତ୍ତିକ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍, ରବିଚନ୍ଦ୍ରନ ଅଶ୍ଵିନ, ଯଶପ୍ରୀତ ବୁମରା, ଭୁବନେଶ୍ଵର କୁମାର, ହର୍ଷଲ ପଟେଲ୍, ଅର୍ଶଦୀପ ସିଂହ ଏବଂ ୟୁଜବେନ୍ଦ୍ର ଚହଲ।
ଷ୍ଟାଣ୍ଡବାଇ ଖେଳାଳି- ମହମ୍ମଦ ଶାମି, ଶ୍ରେୟସ ଆୟର, ରବି ବିଷ୍ନୋଇ, ଦୀପକ ଚହର।

Get real time updates directly on you device, subscribe now.