ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-୨୦ରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ତିଲକ ବର୍ମାଙ୍କ ବିସ୍ପୋରକ ଶତକ, ଅଭିଷେକଙ୍କ ଅର୍ଦ୍ଧଶତକ ଏବଂ ଷ୍ଟାର ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ମ୍ୟାଚ ଉପରେ କବଜା କରିଛି ସୂର୍ଯ୍ୟବାହିନୀ । ଏହି ମ୍ୟାଚରେ ଷ୍ଟାର ପେସ୍ ବୋଲର ଅର୍ଶଦୀପ ସିଂହ ୩ଟି ୱିକେଟ ହାସଲ କରିଛନ୍ତି । ଏହି ୩ଟି ସଫଳତା ସହ ଟି-୨୦ କ୍ରିକେଟରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ଅର୍ଶଦୀପ । ଭୁବନେଶ୍ୱର କୁମାର ଏବଂ ଜଶପ୍ରୀତ ବୁମରାହଙ୍କୁ ପଛରେ ପକାଇ ଟି୨୦ କ୍ରିକେଟରେ ସର୍ବାଧିକ ୱିକେଟ(ଭାରତ) ହାସଲ କରିବାରେ ଅର୍ଶଦୀପ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ତେବେ ପ୍ରଥମରେ କିଏ ରହିଛନ୍ତି?
ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ପୂର୍ବରୁ ଅର୍ଶଦୀପଙ୍କ ଖାତାରେ ୮୯ଟି ୱିକେଟ ରହିଥିଲା । କିନ୍ତୁ ଏହି ମ୍ୟାଚରେ ୩ଟି ୱିକେଟ ହାସଲ କରି ଅର୍ଶଦୀପ ୯୨ଟି ୱିକେଟ ନିଜ ନାମରେ କରିଛନ୍ତି । ଏହସହିତ ବୁମରାହ(୮୯) ଏବଂ ଭୁବନେଶ୍ୱର କୁମାର(୯୦)ଙ୍କୁ ପଛରେ ପକାଇବାରେ ମଧ୍ୟ ସଫଳ ହୋଇଛନ୍ତି । ମ୍ୟାଚ ପୂର୍ବରୁ ଅର୍ଶଦୀପ ସିଂହ ଏବଂ ଜଶପ୍ରୀତ ବୁମରାହଙ୍କ ନାମରେ ୮୯ଟି ଲେଖାଏଁ ୱିକେଟ ରହିଥିଲା । ତେବେ ଏହି ମ୍ୟାଚ ପରେ ବୁମରାହ ଅର୍ଶଦୀପଙ୍କ ପଛରେ ରହି ଯାଇଛନ୍ତି । ସେହିପରି ଭୁବନେଶ୍ୱର କୁମାରଙ୍କ ନାମରେ ମଧ୍ୟ ୯୦ଟି ୱିକେଟ ଥିବା ବେଳେ ବର୍ତ୍ତମାନ ସେ ମଧ୍ୟ ଅର୍ଶଦୀପଙ୍କ ପଛରେ ରହି ଯାଇଛନ୍ତି ।
ମାତ୍ର ୫୯ଟି ମ୍ୟାଚରୁ ୯୨ ୱିକେଟ ସହ ଅର୍ଶଦୀପ ସର୍ବାଧିକ ୱିକେଟ ନେବା ତାଲିକାରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ତେବେ ପ୍ରଥମ ସ୍ଥାନରେ ରହିଛନ୍ତି ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ । ଏକମାତ୍ର ବୋଲର ଭାବରେ ଚହଲ ଅର୍ଶଦୀପଙ୍କ ଅପେକ୍ଷା ଅଧିକ ୱିକେଟ ହାସଲ କରିଛନ୍ତି । ୮୦ଟି ମ୍ୟାଚରୁ ୯୬ଟି ୱିକେଟ ସହ ତାଲିକାର ଶୀର୍ଷ ସ୍ଥାନ ହାସଲ କରିଛନ୍ତି ୟୁଜବେନ୍ଦ୍ର ଚହଲ । ତେବେ ଅର୍ଶଦୀପ ଆଉ ୫ଟି ୱିକେଟ ହାସଲ କରିବା ମାତ୍ରେ ତାଲିକାର ଶୀର୍ଷ ସ୍ଥାନରେ ପହଞ୍ଚିବେ । ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟି-୨୦ ମ୍ୟାଚରେ ଏହି କାରନାମା କରିପାରିଲେ ସବୁଠାରୁ କମ୍ ମ୍ୟାଚରେ ଶୀର୍ଷ ସ୍ଥାନ ହାସଲ କରିବା ତାଲିକାରେ ମଧ୍ୟ ପହଞ୍ଚି ପାରିବେ ଅର୍ଶଦୀପ ।