ସବୁଆଡେ ଏବେ ହୋଲି ରଙ୍ଗରେ ରଙ୍ଗେଇ ହୋଇଯାଇଥିବା ବେଳେ ବଲିଉଡ୍ ଦୁନିଆରୁ ବି ମନକୁ ଖୁସି କରିଦେବା ଭଳି ଏକ ଖବର ସାମ୍ନାକୁ ଆସିଛି । ଫ୍ୟାନ୍ସଙ୍କ ପସନ୍ଦ ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ଏବେ ମିସ୍ରୁ ମିସେସ୍ ପାଲଟି ଯାଇଛନ୍ତି । ଅଭିନେତ୍ରୀ ନିଜର ବହୁ ଦିନର ବିଦେଶୀ ବୟଫ୍ରେଣ୍ଡ ମାଥିଆସ୍ ବୋଙ୍କୁ ଲୁଚି ଲୁଚି ବିବାହ କରିଛନ୍ତି ।
ଗତ ୨୩ ମାର୍ଚ୍ଚରେ ଉଦୟପୁରରେ ବେଶ୍ ଲୁଚିଛପି ତାପସୀ ବିବାହ ବନ୍ଧନରେ ଆବଦ୍ଧ ହୋଇଯାଇଛନ୍ତି । ତାପସୀଙ୍କ ଏହି ବିବାହ ଉତ୍ସବରେ ବର-କନ୍ୟାଙ୍କ ପରିବାର ଲୋକେ ଓ ଅତି ନିକଟତମ ସଂପର୍କୀୟ ସାମିଲ ହୋଇଥିଲେ । ମିଳିଥିବା ସୂତ୍ରରୁ ଜଣାଯାଇଛି ତାପସୀ ଖୁବ୍ ଶୀଘ୍ର ମୁମ୍ବାଇରେ ନିଜ ସାଙ୍ଗସାଥି ଓ ଫିଲ୍ମ ଇଣ୍ଡଷ୍ଟ୍ରୀ ଲୋକଙ୍କ ପାଇଁ ୱେଡିଂ ପାର୍ଟି ଦେବେ । କୁହାଯାଉଛି କି ତାପସୀଙ୍କ ବିବାହରେ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଓ ଲୋକପ୍ରିୟ ନିର୍ମାତା କନିକା ଧିଲ୍ଲନ ସାମିଲ ହୋଇଥିଲେ ।
କନିକା ନିଜ ଇନଷ୍ଟାଗ୍ରାମରେ ବିବାହ ସମୟର ବହୁ ଫଟୋ ସେୟାର କରିଛନ୍ତି । ତେବେ ସେ ନିଜ ପୋଷ୍ଟରେ ଏହା କହିନାହାନ୍ତି କି ଏହି ବିବାହ ଉତ୍ସବ କାହାର । ଏଠାରେ ସୂଚାଇ ଦିଆଯାଇପାରେ କି ତାପସୀ ଓ ମାଥିଆସ୍ ଗତ ୧୦ ବର୍ଷ ଧରି ପରସ୍ପର ସହ ସଂପର୍କରେ ଅଛନ୍ତି । ଡାନିସ୍ ବ୍ୟାଡମିଣ୍ଟନ ପ୍ଲେୟାର ମାଥିଆସ୍ ବୋ ହେଉଛନ୍ତି ପୂର୍ବତନ ଅଲମ୍ପିକ୍ ମେଡାଲିଷ୍ଟ । ତାପସୀ କିନ୍ତୁ ନିଜର ରିଲେସନକୁ ସର୍ବଦା ଲାଇମ୍ଲାଇଟରୁ ଦୂରରେ ରଖିଛନ୍ତି । ତେବେ ତାପସୀ ନିଜ ବିବାହକୁ ନେଇ ଅଧିକାରୀକ ଭାବରେ କୌଣସି ପ୍ରକାର ଘୋଷଣା କରିନାହାନ୍ତି ।