fbpx

‘ଦାନିଶଙ୍କ ମୃତ୍ୟୁ କିପରି ହେଲା ଆମେ ଜାଣିନାହୁଁ’- ସାମ୍ବାଦିକଙ୍କ ହତ୍ୟା ପଛରେ ହାତଥିବା କଥାକୁ ଖଣ୍ଡନ କଲା ତାଲିବାନ୍

ନୂଆଦିଲ୍ଲୀ: ଆଫଗାନିସ୍ତାନର କନ୍ଧାରରେ ତାଲିବାନ ଏବଂ ଅଫଗାନ୍ ସୈନ୍ୟଙ୍କ ମଧ୍ୟରେ ଚାଲିଥିବା ରକ୍ତ ସଂଘର୍ଷକୁ କଭରେଜ୍ କରୁଥିବା ସମୟରେ ଭାରତୀୟ ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କ ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡରେ ତାଲିବାନ ମାନଙ୍କର ହାତ ଥିବା କୁହାଯାଉଥିବା ବେଳେ ତାଲିବାନୀ ମାନେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଓଲଟା ସେମାନେ କହିଛନ୍ତି ଯେ, ସେମାନେ ସାମ୍ବାଦିକଙ୍କ କିପରି ମୃତ୍ୟୁ ହେଲା ତାହା ଜାଣି ନାହାନ୍ତି । ଏଥିସହିତ ସେମାନେ ପୁଲିତ୍ଜର ବିଜେତା ସାମ୍ବାଦିକ ମୃତ୍ୟୁନେଇ ଦୁଃଖ ପ୍ରକାଶ କରିଛନ୍ତି ।

ଏ ସମ୍ପର୍କରେ ଆଜି ତାଲିବାନର ପ୍ରବକ୍ତା ଜବୀଉଲ୍ଲାହ ମୁଜାହିଦ୍ ମିଡିଆ ସାମନାରେ ବୟାନ ଦେଇଛନ୍ତି ଯେ, “ଆମେ ଜାଣିନୁ କାହାର ଗୁଳିଚାଳନାରେ ତାଙ୍କର ମୃତ୍ୟୁ ହୋଇଛି । ତେଣୁ କିପରି ମୃତ୍ୟୁ ହୋଇଛି ତାହା ମଧ୍ୟ ଜଣାନାହିଁ” । ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଯୁଦ୍ଧ କ୍ଷେତ୍ରରେ ପ୍ରବେଶ କରିବା ପୂର୍ବରୁ ସାମ୍ବାଦିକ ମାନେ ଆମକୁ ଜଣାଇବା ଦରକାର । ଆମେ ସେମାନଙ୍କୁ ବିଶେଷ ବ୍ୟକ୍ତିତ୍ୱ ହିସାବରେ ଚର୍ଚ୍ଚା କରିବୁ । ତେଣୁ କିଛି ନ କହି ଯୁଦ୍ଧ କ୍ଷେତ୍ରକୁ କୌଣସି ସାମ୍ବାଦିକ ଆସନ୍ତୁ ନାହିଁ” ।

ସୂଚନାଯୋଗ୍ୟ, ଶୁକ୍ରବାର ଅଫଗାନ୍ ସୁରକ୍ଷା ବଳ ଏବଂ ତାଲିବାନୀ ମାନଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷକୁ କଭର୍ କରୁଥିବା ସମୟରେ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କର ୩୮ ବର୍ଷରେ ଦେହାନ୍ତ ହୋଇଯାଇଛି । ସେପଟେ ଅଫଗାନ୍ କମାଣ୍ଡର କହିଛନ୍ତି ଯେ, ତାଲିବାନ ମାନେ ହିଁ ଦାନିଶଙ୍କ ମୃତ୍ୟୁ ପାଇଁ ଦାୟୀ । ଯେତେବେଳେ ଗୁଳିଚାଳନା ଜାରି ରହିଥିଲା ସେତେବେଳେ ତାଲିବାନୀ ମାନଙ୍କ ଗୁଳିଚାଳନାରେ ସିଦ୍ଦିକି ଏବଂ ଜଣେ ଅଫଗାନ୍ ଅଧିକାରୀଙ୍କର ମୃତ୍ୟୁ ହୋଇଯାଇଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.