fbpx

ଶ୍ମଶାନରେ ଥିବା ଅସ୍ଥି ପାଖରୁ ମିଳିଲା ତନ୍ତ୍ର ମନ୍ତ୍ର ଜିନିଷ; ଦୁଇ ଦିନ ପୂର୍ବରୁ ହୋଇଥିଲା ମହିଳାଙ୍କ ଶବ ସତ୍କାର

Advertisement

ନୂଆଦିଲ୍ଲୀ: ହରିୟାଣାର ହିସାର ଜିଲ୍ଲାର ସେକ୍ଟର ୧୬-୧୭ ରେ ଅବସ୍ଥିତ ଏକ ଶ୍ମଶାନରେ ଏପରି କିଛି ଦେଖିବାକୁ ମିଳିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଶ୍ମଶାନରେ ଦୁଇ ଦିନ ପର୍ବରୁ ଶେଷ ରୀତିନୀତି ପରେ ଏକ ମୃତ ଶରୀରର ଅସ୍ଥି ଉପରେ ତନ୍ତ୍ର-ମନ୍ତ୍ରର ଜିନିଷ ଦେଖିବାକୁ ମିଳିଥିଲା । ତନ୍ତ୍ର ମନ୍ତ୍ରର ଜିନିଷ ପାଇବା ମାତ୍ରେ ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ରବିବାର ଦିନ ମ୍ୟୁନିସିପାଲିଟି ନିଗମର କାଉନସିଲରଙ୍କ ସହ ପରିବାର ସଦସ୍ୟ ଏବଂ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଶ୍ମଶାନରେ ଲାଗିଥିବା କ୍ୟାମେରା ଖରାପ ହୋଇଥିବାରୁୁ ଏବଂ ଅନ୍ତିମ ସଂସ୍କାର ପରେ କୌଣସି ରକ୍ଷଣାବେକ୍ଷଣର ସୁବିଧା ନଥିବାରୁ ପରିବାର ଲୋକ ବିରକ୍ତ ହୋଇଥିଲେ । ତେବେ ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି ।

ମଡେଲ ଟାଉନ ଏକ୍ସଟେନ୍ସନ୍ ର ବାସିନ୍ଦା ୫୭ ବର୍ଷୀୟ ଶକୁନ୍ତଲା ଦେବୀଙ୍କର ଦେହାନ୍ତ ହୋଇଥିଲା । ତାଙ୍କର ଅନ୍ତିମ ସଂସ୍କାର ଦୁଇ ଦିନ ପୂର୍ବରୁ କରାଯାଇଥିଲା । ପରମ୍ପରା ଅନୁଯାୟୀ ପରିବାର ସଦସ୍ୟ ସକାଳ ଆଠଟା ବେଳେ ଶ୍ମଶାନରେ ପହଞ୍ଚିଥିଲେ । ପରେ ପରିବାର ଲୋକେ ପାଉଁଶ ଉପରେ ଏକ କଳା ରଙ୍ଗର ପଲିଥିନ ବ୍ୟାଗରେ ମାଂସ, ମଦ, ଲଡୁ, କଳା କପଡା, ସିଗାରେଟ୍, ମ୍ୟାଚ୍ ବକ୍ସ ରହିଥିବା ଦେଖିବାକୁ ପାଇଥିଲେ । ପରିବାର ସଦସ୍ୟ ତୁରନ୍ତ ଜଗୁଆଳୀକୁ ଡାକି ସମ୍ପୃକ୍ତ ଘଟଣା ସମ୍ପର୍କରେ ପଚାରିଥିଲେ । କିନ୍ତୁ ତାଙ୍କ ପାଖରୁ କୌଣସି ଠୋସ୍ ଉତ୍ତର ମିଳିନଥିଲା । ସୂଚନା ପାଇବା ପରେ ଶ୍ମଶାନ ଟ୍ରଷ୍ଟର ମୁଖ୍ୟ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରିବାର ସଦସ୍ୟମାନେ ରାତି ପ୍ରାୟ ୪ ଟାରେ ପୋଲିସକୁ ଲିଖିତ ଆକାରରେ ଅଭିଯୋଗ କରିଥିଲେ ।

ଥାନାରେ କ୍ୟାମେରା ବନ୍ଦ କରାଯିବା ନେଇ ପରିବାର ସଦସ୍ୟ ଶ୍ମଶାନର ଅଧିକାରୀଙ୍କ ସହ ଯୁକ୍ତିତର୍କ କରିଥିଲେ । ଘଟଣାର ତଦନ୍ତ ପାଇଁ ତାଙ୍କ ତରଫରୁ ଏକ ଦାବି କରାଯାଇଥିଲା । ବହୁ ବର୍ଷ ପୂର୍ବେ ଶ୍ମଶାନରେ କ୍ୟାମେରା ଲଗାଯାଇଥିଲା, କିନ୍ତୁ ଘଟଣା ସମୟରେ କ୍ୟାମେରା ଗୁଡ଼ିକ ଖରାପ ହୋଇ ଯାଇଥିଲା । ଏଠାରେ ପ୍ରାୟ ୧୫ ଟି କ୍ୟାମେରା ଲଗାଯାଇଛି । ଶ୍ମଶାନ କାନ୍ଥ ଚାରିପାଖରେ ତାର ଅଛି ଏବଂ ମୁଖ୍ୟ ଫାଟକ ଲୁହାର ହୋଇଥିବା ବେଳେ ଏହାକୁ ୧୧ ଟା ସମୟରେ ବନ୍ଦ କରାଯାଇଥିଲା । କିନ୍ତୁ କାଠ ଗୋଦାମ ପାଖ କାନ୍ଥ ଡେଇଁ ଭିତରକୁ ଆସିବାର ସୁବିଧା ରହିଛି ।

ଚୌକିଦାର କାଉନସିଲର ଏବଂ ପୋଲିସକୁ କହିଛନ୍ତି ଯେ ପ୍ରାୟ ୧୧ ଟା ସମୟରେ ସମସ୍ତ ଫାଟକ ବନ୍ଦ କରି ଘରେ ଶୋଇଥିଲେ । ସେ ଜାଣି ନଥିଲେ କି ରାତିରେ କେହି ଶ୍ମଶାନକୁ ଆସିଛନ୍ତି କି ନାହିଁ । ପରିବାର ଲୋକଙ୍କ କହିବା ପରେ ଚୌକିଦାର ଏ ସମ୍ପର୍କରେ ସୂଚନା ପାଇଥିଲେ ।

Get real time updates directly on you device, subscribe now.