୭ହଜାର ରୁ ଅଧିକ ଶିକ୍ଷକ ଙ୍କୁ ମିଳିବ ନିଯୁକ୍ତି, ପୂରଣ ହେବ ଖାଲି ପଡିଥିବା ଶିକ୍ଷକ ପଦବୀ

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିମିତ୍ତ ମୋଟ ୨୨ ହଜାର ୫ ଶହ ୨୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦ୍ବାରା ଖାଲି ପଡ଼ିଥିବା ପଦବୀ ଗୁଡ଼ିକୁ ଅଗ୍ରାଧ୍ୟାକାର ଭିଭିରେ ପୂରଣ କରିବା ପାଇଁ ଆମ ସରକାର ଗୁରୁତ୍ଵ ଦେଉଛନ୍ତି। ଗତବର୍ଷ ୧୧ ହଜାର ୪ ଶହ ୩ ଜଣ ମାଧ୍ୟମିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏହାବ୍ୟତୀତ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ପଦବୀ ପୂରଣ କରିବା ନିମନ୍ତେ, କ୍ୟାବିନେଟ ୬ ହଜାର ୨୫ ଟି LTR ପଦବୀ ସୃଷ୍ଟି କରିବାକୁ ଅନୁମୋଦନ ଦେଇଛନ୍ତି । ଏଥ୍‌ସହ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଆମେ ୭ ହଜାର ୫ ଶହ ୪୦ ଜଣ ନିୟମିତ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛୁ । ଏତଦ୍ ବ୍ୟତୀତ ୧ ହଜାର ୭ ଶହ ୯୯ ଟି କନିଷ୍ଠ ସହାୟକ ଓ ୩ ଶହ ୩୫ଟି PGT ଶିକ୍ଷକ ନିଯୁକ୍ତି ନିମନ୍ତେ ପଦକ୍ଷେପ ନିଆଯାଉଛି।

ଏହାବ୍ୟତୀତ ୧ଶହ ୬ ଟି ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିବର୍ତ୍ତନ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଅଧାରୁ ପାଠ ଛାଡିବା ହାରକୁ ନିୟନ୍ତ୍ରଣ କରିବା ତଥା ମାଧ୍ୟମିକ ଶିକ୍ଷା ସମାପ୍ତ କରିବା ପାଇଁ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବ୍ଲକ ଗ୍ରାଣ୍ଟ ଉଚ୍ଚ ବିଦ୍ୟାଳୟ, ସଂସ୍କୃତ ଟୋଲ ଓ ମଦ୍ରାସାରେ ନବମ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ସାଇକେଲ ଯୋଗାଣ ପାଇଁ ‘ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା’ କାର୍ଯ୍ୟକାରୀ କରାଯାଇଛି । ବର୍ତ୍ତମାନ ପ୍ରଚଳିତ ୨ ହଜାର ୬ ଶହ ଟଙ୍କାର ସହାୟତା ରାଶିକୁ ବୃଦ୍ଧି କରି ୨୦୨୩-୨୪ ଆର୍ଥିକ ବର୍ଷଠାରୁ ୩ ହଜାର ୫ ଶହ ଟଙ୍କା ପ୍ରଦାନ କରିବାକୁ ପ୍ରସ୍ତାବ ରହିଛି ।

ଏଥିପାଇଁ, ୨୦୨୩-୨୪ ଆର୍ଥିକ ବର୍ଷରେ ୧ ଶହ ୫୫ କୋଟି ଟଙ୍କାର ବ୍ୟୟବରାଦ କରିଯାଇଛି । ୨୦୨୩-୨୪ ରେ ସ୍କୁଲ ୟୁନିଫର୍ମ ଓ ଆନୁଷଙ୍ଗିକ ସାମଗ୍ରୀର ବ୍ୟବସ୍ଥା ପାଇଁ ସହାୟତା ରାଶିକୁ ୬ ଶହ ଟଙ୍କାରୁ ୧ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି । ଏହାବ୍ୟତୀତ, ୨୦୨୩-୨୪ରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ନବମ ଓ ଦଶମଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ସହ ଆନୁଷଙ୍ଗିକ ସାମଗ୍ରୀ ଯୋଗାଇ ଦେବାକୁ ପ୍ରସ୍ତାବ ରହିଛି ।

ବର୍ତ୍ତମାନ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକର କୋଟିଆରେ ଗୋଟିଏ ଅତିରିକ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସହିତ ୩ ଶହ ୧୩ ଟି ବ୍ଲକରେ ୩ ଶହ ୧୫ ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ୟ୍ୟକ୍ଷମ ହୋଇଛି । ଚଳିତ ଶିକ୍ଷାବର୍ଷରେ ଏକାଦଶ ଶ୍ରେଣୀ ପାଇଁ ଗୋଟିଏ ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ୟ୍ୟ କରୁଛି । ୨୦୨୨-୨୩ ଶିକ୍ଷାବର୍ଷରେ ୧ ଲକ୍ଷ ୨ ଶହ ୫୩ ଜଣ ଛାତ୍ରଛାତ୍ରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପାଠପଢ଼ା ଜାରି ରଖିଥିବା ବେଳେ ସେମାନଙ୍କ ମଧ୍ୟରୁ ୫୮ ହଜାର ୩ ଶହ ୪୩ ଜଣ ବାଳିକା ଓ ୪୧ ହଜାର ୯ ଶହ ୧୦ ଜଣ ବାଳକ ଅଛନ୍ତି ।
ସାମଗ୍ରିକ ଶିକ୍ଷା ପରିବେଶରେ ଅଧ୍ୟୟନ ଜାରି ରଖୁବା ପାଇଁ ୧ ଶହ ୬୬ ଟି ଛାତ୍ରୀ ନିବାସ କୋଠା ନିର୍ମାଣ ସରିଥିବା ବେଳେ ସେଥ୍‌ରେ ୬ ହଜାର ୨୮ ଜଣ ଛାତ୍ରୀ ରହୁଛନ୍ତି । ସରକାର ୧ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ୨ ଶହ ୩୭ ଟି ଛାତ୍ରାବାସ ନିର୍ମାଣ କାର୍ଯ୍ୟ ହାତକୁ ନିଆଯିବ ।

ସିବିଏସଇ ବୋର୍ଡ ପରୀକ୍ଷାର ଦଶମ ଶ୍ରେଣୀରେ ମୋଟ ୯୫ ଦଶମିକ ୭୧ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧ ହଜାର ୫୨ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ୨୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ନମ୍ବର ରଖୁଛନ୍ତି ଏବଂ କିଛି ଛାତ୍ରଛାତ୍ରୀ ଆଇଆଇଟି ଭଳି ପ୍ରମୁଖ ଅନୁଷ୍ଠାନରେ ନାମ ଲେଖାଇଛନ୍ତି । Education World India School Ranking, ୨୦୨୨ ଅନୁଯାୟୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରାଣୀଭୋଲ, ମୟୂରଭଞ୍ଜ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ହାତିଓଟା, ଗଞ୍ଜାମ, ଦେଶର ୧୦ଟି ଶ୍ରେଷ୍ଠ ବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛନ୍ତି ।